ପୋଲିସ୍ ପକ୍ଷରୁ ପଂଚାୟତରେ ଫ୍ଲାଗମାର୍ଚ୍ଚ
ଛତ୍ରପୁର, (ଦେବଦତ୍ତ ମହାରଣା) :-ପଞ୍ଚାୟତ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ ଗଞ୍ଜାମ ପୋଲିସ୍ ପକ୍ଷରୁ ଆଗୁଆ ପ୍ରସ୍ତୁତି ଜାରି ରଖାଯାଇଛି । ବିଭିନ୍ନ ଥାନା ଅଂଚଳରେ ବିଶୃଙ୍ଖଳା ସୃଷ୍ଟିକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ସୁରୁଖୁରରେ ପରିଚାଳନା କରିବା ଏବଂ ଭୋଟର ମାନଙ୍କୁ ନିର୍ଭୟ ଭାବେ ମତଦାନ କରିବା ନିମନ୍ତେ ପଂଚାୟତ ଓ ଗାଁ ଗୁଡିକରେ ପୋଲିସ୍ ବୁଲି ଲୋକଙ୍କୁ ସଚେତନ କରୁଛି । ଏହି ପରିପ୍ରେକ୍ଷୀରେ ସୋମବାର ଛତ୍ରପୁର ପୋଲିସ୍ ପକ୍ଷରୁ ଛତ୍ରପୁର ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ବଡ ମାଧପୁର ପଂଚାୟତ ଅଧିନରେ ଥିବା ସମସ୍ତ ଗାଁ ଗୁଡିକରେ ଲୋକଙ୍କୁ ସଚେତନତା କରିବା ଲାଗି ଫ୍ଲାଗମାର୍ଚ୍ଚ କରାଯାଇଛି । ନିର୍ଭୀକ ଭାବେ ମତଦାନ କରିବା ସହିତ କିଛି ଅସୁବିଧା ହେଲେ ପୋଲିସ୍ କୁ ଯୋଗାଯୋଗ କରିବା, କୌଣସି ଅପରାଧର ଆଶଙ୍କା ଥିଲେ ପୋଲିସର ୧୧୨ ନମ୍ବର ରେ ସୂଚନା ଦେବା ଭଳି ବିଭିନ୍ନ ସଚେତନତା କରାଯାଇଥିଲା । ଏହି ଫ୍ଲାଗ ମାର୍ଚ୍ଚରେ ଛତ୍ରପୁର ଥାନାର ସବ ଇନ୍ସିପେକ୍ଟର ସିଲୁ ଧଳ, ବିନୟ ଦାସ ଓ ବିଶ୍ୱମ୍ବର କଅଁରଙ୍କ ସମେତ ବହୁ ପୋଲିସ୍ କର୍ମଚାରୀ ସାମିଲ ଥିଲେ । ସେହିପରି ଚମାଖଣ୍ଡି ଥାନା ପୋଲିସ୍ ପକ୍ଷରୁ ଟାଙ୍ଗଣାପଲ୍ଲୀ ପଂଚାୟତରେ ମଧ୍ୟ ଫ୍ଲାଗମାର୍ଚ୍ଚ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନତା କରାଯାଇଛି ।