ପୋଷ୍ୟ ସନ୍ତାନ ସଚେତନତା ସପ୍ତାହ ପାଳିତ

କଟକ, (ଯୁଗାବ୍ଦ ନ୍ୟୁଜ):ପରିବାର ପାଇଁ ସନ୍ତାନଟିଏ ଯେପରି ଆବଶ୍ୟକ, ସନ୍ତାନ ପାଇଁ ମଧ୍ୟ ପରିବାରଟିଏ ସେଭଳି ଅପରିହାର୍ଯ୍ୟ । ଦୁନିଆରେ ଏଭଳି ପିତା ମାତା ଅଛନ୍ତି ଯେଉଁମାନେ ସନ୍ତାନନର ସୁଖ ପାଇପାରିନାହାନ୍ତି ଏବଂ ଏଭଳି ସନ୍ତାନସନ୍ତତି ଯେଉଁମାନଙ୍କୁ ପରିବାରଟିଏ ମିଳିପାରୁନାହିଁ । ନିଃସନ୍ତାନ ଦମ୍ପତି ହୁଅନ୍ତୁ କିମ୍ବା ସ୍ୱେଚ୍ଛାକୃତ ଭାବେ କିଭଳି ପୋଷ୍ୟ ସନ୍ତାନ ଗ୍ରହଣ କରାଯାଇପାରିବ ସେ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ପୋଷ୍ୟ ସନ୍ତାନ ସଚେତନତା ସପ୍ତାହ ଉପଲକ୍ଷେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନ୍ୟାୟିକ ଭାବେ କିଭଳି ପୋଷ୍ୟ ସନ୍ତାନ ଗ୍ରହଣ କରାଯାଇପାରିବ ସେ ବିଷୟରେ ଆଲୋକପାତ କରିଥିଲେ । ଏକ ମହତ୍ ଉଦ୍ଦେଶ୍ୟ ରଖି ସମାଜର ସବୁ ବର୍ଗର ଲୋକେ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ସେ ଆହ୍ୱାନ ଦେଇଥିଲେ । ଏଥିସହ ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାମାନେ ଯଦି କୌଣସି କାରଣରୁ ପାଠପଢାରୁ ବ୍ୟାହତ ହୁଅନ୍ତି ସେମାନଙ୍କୁ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି ଏବଂ ଯଦି କୌଣସି ପିଲାର ପାରିବାରିକ କଳହ କାରଣରୁ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି ତେବେ ସେ ବାଳାଶ୍ରମରେ ରହି ପାଠ ପଢିପାରିବ ବୋଲି ସେ କହିଥିଲେ । ପୋଷ୍ୟ ସନ୍ତାନ ଗ୍ରହଣ ମାଧ୍ୟମରେ କିଭଳି ଅଧିକରୁ ଅଧିକ ବଡ ପିଲାମାନେ ପରିବାରରେ ପ୍ରତିପାଳିତ ହୋଇପାରିବ ସେଥିପାଇଁ ପ୍ରୟାସ ଆରମ୍ଭ ହୋଇଛି। ପ୍ରତିପାଳନ ବ୍ୟବସ୍ଥାରେ ପିଲାଙ୍କୁ ଥଇଥାନ କରାଇ ଆଇନଗତ ପୋଷ୍ୟ ସନ୍ତାନ ଗ୍ରହଣ ବ୍ୟବସ୍ଥାରେ ସମସ୍ତେ କରିବା ହେଉଛି ଚଳିତ ବର୍ଷର ପ୍ରସଙ୍ଗ। ଏଣୁ ଅଧିକରୁ ଅଧିକ ଜନସାଧାରଣ ଏହି ବ୍ୟବସ୍ଥାରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି। ଏହି କର୍ମଶାଳାରେ ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା କେତେକ ପିତାମାତା ଓ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଆଗ୍ରହୀ ଥିବା କେତେକ ପିତାମାତା ଅଂଶଗ୍ରହଣ କରି ନିଜ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ପୋଷ୍ୟ ସନ୍ତାନ ଗ୍ରହଣ ଓ ପ୍ରତିପାଳନ ଯତ୍ନ ସମ୍ପର୍କିତ ଏକ ଲିଫଲେଟ ଉନ୍ମୋଚନ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତି ପ୍ରଗତି ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିଶୁ ଭବନର ନିର୍ଦ୍ଦେଶକ, ଡା. ପ୍ରଭାକର ମିଶ୍ର, କଟକ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଶ୍ରୀ ପ୍ରମୋଦ କିଶୋର ଆଚାର୍ଯ୍ୟ, ଜିଲ୍ଲାର ବିିଭିନ୍ନ ଥାନାର ଆରକ୍ଷୀ ନିରିକ୍ଷକ, ଉପଖଣ୍ଡ ପୋଲିସ ଅଧିକାରୀ, ବାଳ ଅପରାଧ ନ୍ୟାୟିକ ପରିଷଦର ସଦସ୍ୟ, ଏସ ସି ବି ମେଡିକାଲ କଲେଜ ଓ ହସ୍ପିଟାଲର ହସ୍ପିଟାଲ ପରିଚାଳକ ଓ ଜିଲ୍ଲା ଶିଶୁ କଲ୍ୟାଣ ସମିତିର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ