ପୌରପରିଷଦ ପକ୍ଷରୁ ଗ୍ରୀନି ଇନ ହ୍ୱୁଉଲ କାର୍ଯ୍ୟକ୍ରମର ଶୁଭାରମ୍ଭ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ସାରା ବିଶ୍ୱରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ସବୁ ସ୍ତରରେ ସଚେତନତା ଆରମ୍ଭ ହୋଇଛି । ପ୍ରଶାସନିକ ସ୍ତରରେ ନିଆଯାଇଥିବା ନିଷ୍ପତିକୁ ବିଭିନ୍ନ ସ୍ତରରେ ମଧ୍ୟ କାର୍ଯ୍ୟକାରୀ କରାଯାଉଛି । ସ୍ଥାନୀୟ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ ପ୍ରଚୁର ପରିମାଣରେ ପରିବା ଅମଳ କରାଯାଉଥିଲେ ମଧ୍ୟ ଲକଡ଼ାଉନ ଯୋଗୁଁ ଉତ୍ପାଦିତ ସମସ୍ତ ପରିବା ବାହାରକୁ ଯିବା ସମ୍ଭବପର ହୋଉନାହିଁ । ଯଦ୍ୱାରା ଚାଷୀ ମାନେ ଅମଳ ପରିବା’ର ଉଚିତ ମୁଲ୍ୟ ପାଇ ପାରୁନଥିବା ଜଣାପଡ଼ିଛି ଏବଂ ବହୁ କ୍ଷତି ସହିବାକୁ ପଡ଼ୁଥିବା ନେଇ କ୍ଷୋଭର ସହ କହିଛନ୍ତି । ଅମଳ ପରିବାକୁ ପାଲିବାଲା (ହୋଲେସେଲ ପରିବା ବ୍ୟବସାୟୀ)ଙ୍କୁ କିଲୋ ପିଛା ଦର ୩ରୁ ୫ ଟଙ୍କା ଦରରେ ବିକ୍ରି କରୁଛନ୍ତି । ଏହା ଦ୍ୱାରା ଚାଷୀ ବହୁତ କ୍ଷତିର ସମ୍ମୁଖୀନ ହେଉଛନ୍ତି । ଏହାକୁ ଆଖି ଆଗରେ ରଖି ସ୍ଥାନୀୟ ପୌର ପରିଷଦ ପକ୍ଷରୁ ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବଜାରରେ ଖାଉଟିଙ୍କ ଭିଡ଼ କମାଇବା ସହ ଚାଷୀଙ୍କୁ ଅଧିକ ଦୁଇ ପଇସା ଲାଭ ଏବଂ ଖାଉଟିଙ୍କୁ ହାତ ପାହାନ୍ତାରେ ସତେଜ ପନିପରିବା ଯୋଗାଇଦେବା ଲକ୍ଷ୍ୟରେ ଗ୍ରୀନି ଇନ ହ୍ୱୁଉଲ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଶୁକ୍ରବାର ଠାରୁ ଗ୍ରୀନି ଇନ ହ୍ୱୁଉଲ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୧୦ ଜଣ ଚାଷୀଙ୍କୁ ରିକ୍ସା ଯୋଗାଇଦେବା ସହିତ ହୋଲେସେଲ ବ୍ୟବସାୟୀଙ୍କୁ ପରିବା ବିକ୍ରି ନକରି ଘରକୁ ଘର ବୁଲି ଖାଉଟିଙ୍କୁ ସତେଜ ପନିପରିବା ଯୋଗାଇ ଦିଆଯାଉଛି । ଆଗାମୀ ଦିନରେ ଅଧିକ ଚାଷୀଙ୍କୁ ଏହି ସୁବିଧା ସୁଯୋଗ ପ୍ରଦାନ କରାଯିବା ସହ ଚାଷୀଙ୍କୁ ଉତ୍ସାହିତ କରିବା ଲାଗି ବହୁ ପଦକ୍ଷେପ ଯୋଗାଇ ଦିଆଯିବ ବୋଲି ପୌର ପରିଷଦୀ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ସାହୁ କହିଛନ୍ତି ।


