ପୌର ଠିକା ସଫେଇ କର୍ମଚାରୀଙ୍କ ଅଭିଯୋଗର ତଦନ୍ତ ଆରମ୍ଭ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ବାଲେଶ୍ୱର ମୁନିସିପାଲିଟିର ଠିକା ସଫେଇ କର୍ମଚାରୀମାନଙ୍କର ଦୀର୍ଘଦିନର ଦାବି ଓ ଆନ୍ଦୋଳନ ପରେ ସଫେଇ କର୍ମଚାରୀଙ୍କ ମାସିକ ବେତନର ଭବିଷ୍ୟନିଧି ପାଣ୍ଠି ବାବଦରେକଟାଯାଇଥିବା ଓ ସଂପୃକ୍ତ ସଂସ୍ଥାରେ ଦାଖଲ କରାଯାଇଥିବା ଅଭିଯୋଗ ଉପରେ ଶୁକ୍ରବାର ଦିନ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ଗତ ୨୦୧୬ ମସିହାରୁ ପି.ଏଫ୍. ବାବଦରେ ଠିକାଦାରଙ୍କୁ କେତେ ଟଙ୍କା ଦିଆଯାଇଛି ଓ ସେମାନେ କେତେ ଅର୍ଥ ଦାଖଲ କରିଛନ୍ତି, ସେ ସମ୍ପର୍କୀୟ ତଥ୍ୟ ସଠିକ୍ ଆକଳନ ପରେ କର୍ତ୍ତୃପକ୍ଷ ସମସ୍ତ ଟଙ୍କା ଦାଖଲ କରିବାକୁ ବାଧ୍ୟ ହେବେ । ଏହି ଅର୍ଥର ପରିମାଣ ୩ କୋଟି ଟଙ୍କାରୁ ଊଦ୍ଧ୍ୱର୍ ହେବ ବୋଲି ଠିକା କର୍ମଚାରୀମାନେ ଅଭିଯୋଗ କରିଆସୁଛନ୍ତି । ଯଦି ଏହି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ ତେବେ ୩୦୦ ଶହ ଦୁସ୍ଥ କର୍ମଚାରୀ ହାରାହାରି ଏକଲକ୍ଷ ଲେଖାଁ ପାଇବାକୁ ହକ୍ଦାର ହେବେ । ଏତଦ୍ଭିନ୍ନ ସଫେଇ କାର୍ଯ୍ୟରେ ନିଯୁକ୍ତ ନଥାଇ ଦୀର୍ଘବର୍ଷ ଧରି ସଫେଇ କର୍ମଚାରୀ ଭାବେ ବେତନ ନେଇଥିବା ପ୍ରାୟ ୫୫ଜଣ ଜାଲି କର୍ମଚାରୀ ଧରାପଡ଼ିବେ ବୋଲି ସଫେଇ କର୍ମଚାରୀ ନେତୃବୃନ୍ଦ ପ୍ରକାଶ କରିଛନ୍ତି । କେନ୍ଦ୍ର ଭବିଷ୍ୟନିଧି ପାଣ୍ଠି କମିଶନର ଓ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କମିଶନରଙ୍କ ନିର୍ଦ୍ଦେଶରେ ପି.ଏଫ୍. ଅଫିସର୍ ରଶ୍ମିରଂଜନ ଦାସ ଓ ତାଙ୍କ ସହଯୋଗୀମାନେ କାର୍ଯ୍ୟନିର୍ବାହୀ ଅଧିକାରୀ ଅମୃତ ସରକାରଙ୍କ ଉପସ୍ଥିତିରେ ଠିକାଦାରମାନଙ୍କ ସମସ୍ତ କାଗଜପତ୍ର ତନଖି କରାଯାଉଛି । ସଫେଇ କର୍ମଚାରୀମାନଙ୍କ ମଧ୍ୟରୁ ଭଗବାନ ବେହେରା, ମନୋଜ ବେହେରା ଓ ଭଗି ନାୟକ ପ୍ରମୁଖଙ୍କ ସହ ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀ ଓ ଭାଗବତ ପ୍ରତିହାରୀ ତଦନ୍ତ ବେଳେ ଉପସ୍ଥିତ ଅଛନ୍ତି । ଏହି ପ୍ରକ୍ରିୟା ଏକ ସପ୍ତାହରେ ଶେଷ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ