ପ୍ରକାଶ ପାଇଲା ଜେଇଇ ମେନ୍ ପରୀକ୍ଷା ଫଳ
ନୂଆଦିଲ୍ଲୀ- ଶୁକ୍ରବାର ଜେଇଇ (ମେନ୍) ପରୀକ୍ଷା ଫଳ ଘୋଷଣା କରାଯାଇଛି ଏବଂ ଏଥିରେ ୯ ଜଣ ପ୍ରାର୍ଥୀ ୧୦୦% ନମ୍ବର ହାସଲ କରିଥିବା ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ। ଏ ବର୍ଷ ଜାନୁଆରି ମାସରେ ଅନୁଷ୍ଠିତ ଏହି ପରୀକ୍ଷାରେ ଶତ ପ୍ରତିଶତ ନମ୍ବର ରଖିଥିବା ୯ ଜଣ ପିଲାଙ୍କ ମଧ୍ୟରେ ଜଣେ ଅଛନ୍ତି ଦିଲ୍ଲୀର ବାଳକ ନିଶାନ୍ତ ଅଗ୍ରଓ୍ଵାଲ୍ । ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ଗୁଜରାଟର ନିସର୍ଗ ଚଢ଼ା, ହରିୟାଣାର ଦିବ୍ୟାଂଶୁ ଅଗ୍ରଓ୍ଵାଲ୍, ଆନ୍ଧ୍ରପ୍ରଦେଶର ଲାଣ୍ଡା ଜିତେନ୍ଦ୍ର ଓ ତଦାଭାରତୀ ବିଷ୍ଣୁ ଶ୍ରୀସାଇଶଙ୍କର, ରାଜସ୍ଥାନର ଅଖିଳ ଜୈନ୍ ଓ ପାର୍ଥ ଦ୍ୱିବେଦୀ ଏବଂ ତେଲେଙ୍ଗାନାର ରୋଙ୍ଗାଲା ଅରୁଣ ସିଦ୍ଦାର୍ଦ୍ଧ ଓ ଚାଗାରି କୌଶଳ କୁମାର ରେଡ୍ଡୀ। ୬. ୦୪ ଲକ୍ଷ ପୁରୁଷ, ୨. ୬୪ ଲକ୍ଷ ମହିଳା ଏବଂ ତିନିଜଣ ତୃତୀୟ ଲିଙ୍ଗର ପ୍ରାର୍ଥୀଙ୍କ ସମେତ ସମୁଦାୟ ୮. ୬୯ ଲକ୍ଷ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ । ଏଥିରେ ଓଡ଼ିଶାର ସୌରଭ ସୌମ୍ୟକାନ୍ ଦାଶ ଟପ୍ପର ହୋଇଛନ୍ତି। ସେ ଏହି ପରୀକ୍ଷାରେ ୯୯.୯୯% ମାର୍କ ରଖି କୃତକାର୍ୟ୍ୟ ହୋଇଛନ୍ତି। ସର୍ବଭାରତୀୟ ସ୍ତରରେ ୯ ଜଣ ପ୍ରାର୍ଥୀ ଶତ ପ୍ରତିଶତ ନମ୍ବର ରଖିଛନ୍ତି ।


