ପ୍ରକୃତି ଓ ପ୍ରଶାସନ ପଞ୍ଝାରେ ଚାଷୀ ହନ୍ତସନ୍ତ ହେଉଛନ୍ତି ଚାଷୀ କୂଳ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ଲଘୁଚାପଜନୀତ ବର୍ଷା ନାଉଗାଁ ଅଂଚଳର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଗୋଟିଏ ପଟେ ପ୍ରଶାସନ ଦାଉ ସାଜୁଥିବା ବେଳେ ଅନ୍ୟପଟେ ପ୍ରକୃତି ମଧ୍ୟ ଛାଡୁନି । ଏହି ବ୍ଲକରେ ୭ ହଜାରରୁ ଉର୍ଦ୍ଧ ହେକ୍ଟର ଚାଷ ଜମିରେ ଧାନ ଚାଷ କରାଯାଇଥିବା ବେଳେ ଲଘୁଚାପ ବର୍ଷା ହେତୁ ଧାନ ଖଳାକୁ ଆସିବା ପୂର୍ବରୁ ଗଜା ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଧାନ ବିଲରେ ପାଣି ବୁଡି ରହିଥିବା ଦେଖିବାକୁ ମିଳୁଛି । ଚାଷୀ ବିଭିନ୍ନ ସେବା ସମବାୟ ସମିତି ଓ ବ୍ୟାଙ୍କ ଆଦିରୁ ରୁଣ କରି ଚାଷ କାମ ସାରି ଅମଳ ପୂର୍ବରୁ ବର୍ଷା ହେତୁ ଧାନ ବିଲରେ ଧାନ ନଷ୍ଟ ହେବା ଆଶଙ୍କା କରି ଚିନ୍ତାରେ ପଡି ରହିଛନ୍ତି । କେବଳ ଧାନ ଚାଷୀ ନୁହଁନ୍ତି ପନିପରିବା ଚାଷୀମାନେ ମଧ୍ୟ ସମାନ ଅବସ୍ଥାର ରହିଛନ୍ତି । ସୂଚନା ଅନୁସାରେ, ନାଉଗାଁ ଅଂଚଳର ୧୬ଟି ପଂଚାୟତରେ ୮୦ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରି ଚଳନ୍ତି । ଚଳିତ ଖରିଫ ରିତୁରେ ସମସ୍ତ ଚାଷୀ ନିଜ ଚାଷ ଜମିରେ ଧାନ ରୁଆ କାମ ସାରିଥିବା ବେଳେ ପ୍ରବଳ ବର୍ଷା ହେତୁ ଧାନଗଛ ନଷ୍ଟ ହୋଇଯାଇଥିଲା । ପରେ ଚାଷୀମାନେ ତଳି ଯୋଗାଡ କରି ପୂର୍ଣ୍ଣବାର ରୁଆ କାର୍ଯ୍ୟ କରି ସାରିବା ପରେ ଧାନ ଅମଳକୁ ଅପେକ୍ଷା କରି ରହିଥିଲେ । ଚାଷୀ ଧାନ ଅମଳ କରିବା ପୂର୍ବରୁ ପ୍ରକୃତି ପୁଣି ଦାଉ ସାଜି ଆଉ ଗୋଟିଏ ଲଘୁଚାପଜନୀତ ବର୍ଷା ସୃଷ୍ଟି ହୋଇଛି । ଯାହା ଦ୍ୱାରା ପାଚିଲା ଧାନ ବର୍ଷା ପାଣିରେ ବୁଡି ରହିଛି । ଏହା ଚାଷୀର ଚିନ୍ତା ବଢାଇ ଦେଇଛି । ଅପରପକ୍ଷରେ ଗତ ସେପ୍ଟେମ୍ବର ମାସରେ ପ୍ରବଳ ବର୍ଷା ହେତୁ ଧାନ ବିଲରେ ବର୍ଷା ପାଣି ଜମି ରହିବା ହେତୁ ଧାନ ଗଛ ନଷ୍ଟ ହୋଇଯାଇଥିଲା । ସରକାରଙ୍କ ତରଫରୁ ଧାନ ଚାଷର କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଆସିଲା । ରାଜସ୍ୱ ବିଭାଗ ଓ କୃଷି ବିଭାଗ ପକ୍ଷରୁ ଯୁଗ୍ମ ଭାବେ କ୍ଷୟକ୍ଷତିର ଆକଳନ କରାଯାଇଥିଲେ ମଧ୍ୟ ଆଜି ସୁଦ୍ଧା ଚାଷୀଙ୍କୁ କୌଣସି ସହାୟତା ମିଳି ପାରିନାହିଁ । ଯାହାଦ୍ୱାରା ଧାନ ଚାଷ ପାଇଁ ଚାଷୀ ବିଭିନ୍ନ ବ୍ୟାଙ୍କ ଓ ସୋସାଇଟିରୁ ରୁଣ କରିି ଚାଷ କାର୍ଯ୍ୟରେ ଲଗାଇଥିବାରୁ ବର୍ତମାନ ରୁଣ କିପରି ସୁଝିବେ ତାହା ସେମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । କେବଳ ଧାନ ଫସଲ ନୁହେଁ ରବି ଜାତୀୟ ଫସଲ ତଥା ବିରିକୁ ଚାଷୀ ବିଲରେ ପକାଇଥିଲା । ତାହା ବି ବର୍ଷା ପାଣିରେ ବୁଡି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳୁଛି । ସେହିପରି ପରିବା ଚାଷୀ ମଧ୍ୟ ଅନୁରୂପ ଚିନ୍ତାରେ ରହିଛନ୍ତି । ଏହି ବ୍ଲକର ପରିବା ଚାଷୀମାନେ କୋବି, ବାଇଗଣ, ଆଳୁ, ବିଲାତି, ଧନିଆ, ମୁଳା, ବିମି, ଆଳୁ ଆଦି ବିଭିନ୍ନ ଶୀତ ଦିନିଆ ଫସଲ ଭାବେ ଲଗାଇ ଅମଳକୁ ଅପେକ୍ଷା କରିଥିବା ବେଳେ ଦୁଇ ଦୁଇ ଥର ଲଘୁଚାପ ବର୍ଷା ହେବା ଦ୍ୱାରା ଚାରା ସବୁ ନଷ୍ଟ ହେବା ସହିତ ଫସଲ ହାନି ଘଟିଛି । ଯାହାକୁ ନେଇ ଚାଷୀ ଚିନ୍ତାରେ ଥିବା ବେଳେ ଖାଉଟି ମଧ୍ୟ ଚିନ୍ତାରେ ଥିବା ଆଲୋଚନା ହେଉଛି । ବିଭାଗୀୟ ଅଧିକାରୀ ଏହାର ତଦନ୍ତ କରିବା ସହିତ ସଠିକ କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ଉପଯୁକ୍ତ କ୍ଷତି ପୁରଣ ଯୋଗାଇ ଦେବାକୁ ଚାଷୀ ସଂଗଠନ ପକ୍ଷରୁ ଦାବି ହୋଇଛି ।


