ପ୍ରକୃତି ପ୍ରେମୀ ଙ୍କୁ ଆକୃଷ୍ଟ କରୁଛି ମଣ୍ଡାସରୁ ଇକୋ ଟୁରିଜିମ
ରାଇକିଆ, (ପ୍ରଦୀପ ବେହେରା):ପ୍ରାକୃତିକ ପର୍ଯ୍ୟଟନ କ୍ଷେତ୍ର ରେ କନ୍ଧମାଳ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ମଣ୍ଡାସରୁ ପ୍ରକୃତି ପ୍ରେମୀ ଙ୍କୁ ଆକୃଷ୍ଟ କରୁଛି । ଗତ କିଛିବର୍ଷ ମଧ୍ୟରେ ପ୍ରାକୃତିକ ସୋନ୍ଦର୍ଯ୍ୟ ସାଂଗକୁ ଏହାର ନବକଳେବର ଯୋଗୁଁ ପର୍ଯ୍ୟଟକଙ୍କୁ ତ୍ୱରିତ ସେବା ଯୋଗାଇଛି ଏହି ଇକୋ ଟୁରିଯିମ୍ ସେଣ୍ଟର । ସହର ର ବ୍ୟସ୍ତ ବହୁଳ ଜୀବନ ଭିତରୁ ବାହାରି ଶାନ୍ତ, ସବୁଜ ,ଜଙ୍ଗଲ ପାହାଡ ଘେରା ପରିବେଶ ଶୀତ ସାଙ୍ଗକୁ ପ୍ରାକୃତିକ ସୋନ୍ଦର୍ଯ୍ୟ ଉପଭୋଗ କରିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ସୁଅ ଛୁଟି ଥାଏ । ରାଇକିଆ ସହର ଠାରୁ 10 କିମି ଦୂର ରେ ଥିବା ମଣ୍ଡାସରୁ ଇକୋ ଟୁରିଯିମ୍ ସେଣ୍ଟର୍ ମଧ୍ୟ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିଥାଏ । ଏଠାରେ ପ୍ରାକୃତିକ ସୋନ୍ଦର୍ଯ୍ୟ, ଜଳ ପ୍ରପାତ, କାଠ ରେ ତିଆରି ବଙ୍ଗଳା ଇତ୍ୟାଦି ରହିଥିବା ବେଳେ ରହିବା ଖାଇବା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ ଥିବା ଯୋଗୁଁ ବର୍ଷ ତମାମ ପର୍ଯ୍ୟଟକ ଆସିଥାନ୍ତି । ବିଶେଷ କରି ଶୀତ ଋତୁ ରେ ଅଧିକା ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ । ପୂର୍ବରୁ ଚାରୋଟି କାଠ ବଙ୍ଗଳା ରେ ରହିବା ସୁବିଧା ଥିବା ବେଳେ ବର୍ତମାନ ଆଉ ଦୁଇଟି କାଠ ବଙ୍ଗଳା ନିର୍ମାଣ କରାଯାଇଛି । ଏହି ପର୍ଯ୍ୟଟନ ସ୍ଥଳୀ ରାଜ୍ୟର ପ୍ରଥମ ଜୈବ ବିବିଧତା ଐତିହ୍ୟ ସ୍ଥଳୀ ଭାବରେ ମାନ୍ୟତା ପାଇଛି । ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ପରିଚାଳିତ ଏହି ଇକୋ ଟୁରିଯିମ କୁ ଅଧିକ ଆକର୍ଷିତ କରିବା ପାଇଁ ଅଧିକା ସାଜସଜ୍ଜା ମଧ୍ୟ କରାଯାଉଛି । ଏହାର ନିକଟ ରେ ରହିଛି ଜଳ ପ୍ରପାତ । ୧୫୦ ଫୁଟ ଉଚ୍ଚରୁ ପାଣି ପଡୁଥିବାରୁ ସେଥିପ୍ରତି ମଧ୍ୟ ପର୍ଯ୍ୟଟକ ଆକର୍ଷିତ ହେଉଛନ୍ତି l ପୂର୍ବରୁ ଜଳ ପ୍ରପାତ କୁ ରାସ୍ତା ନଥିବାରୁ ଏହା ଲୋକଲୋଚନକୁ ଆସି ପାରିନଥିଲା । ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଏଥି ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯିବା ସହ ରାସ୍ତା ନିର୍ମାଣ କରଯାଇଥିଲା । ଏହାର ନିକଟ ରେ ଜଳ ପ୍ରପାତ ଦୃଶ୍ୟମାନ ପାଇଁ ଏକ ୱାଚ ଭିଉ ପଏଣ୍ଟ ମଧ୍ୟ ନିର୍ମାଣ କରାଯାଇଛି । ଗତ ଡ଼ିସେମ୍ବର ଓ ଜାନୁଆରୀ ରେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସି ଥିବା ବେଳେ ଏହି ଜଳ ପ୍ରପାତ ସମସ୍ତଙ୍କର ଆକର୍ଷଣ ର କେନ୍ଦ୍ରବିନ୍ଦୁ ଥିଲା । ଏହି ସ୍ଥାନ ବୁଲିବା ହିଲ ଟ୍ରେକିଂ ର ମଜା ମଧ୍ୟ ନେଉଛନ୍ତି ପର୍ଯ୍ୟଟକ । ଅନ୍ୟପକ୍ଷରେ ପିକନିକ ପାଇଁ ମଧ୍ୟ ସମସ୍ତ ସୁବିଧା ଥିବାରୁ ଭିଡ ଜମୁଛି । ରାଜ୍ୟ ସମେତ ରାଜ୍ୟ ବାହାର ର ପର୍ଯ୍ୟଟକ ଏଠାକୁ ନିୟମିତ ଆସୁଥିବାରୁ କନ୍ଧମାଳ ପର୍ଯ୍ୟଟନ ଶିଳ୍ପ କୁ ଏହା ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି ।