ପ୍ରକୃତ ଚାଷୀ ବଞ୍ଚିତ, ଅଣଚାଷୀ ଉପକୃତ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା ):ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡ।ଏହାକୁ ଜିଲ୍ଲାର ଭାତ ହାଣ୍ଡି କୁହାଯାଉଥିବା ବେଳେ ଚାଷରେ ବିବିଧକରଣ ପାଇଁ ଏବେ କୃଷି ବିଭାଗ ଓ ରାଜ୍ୟ ସରକାର ଗୁରୁତ୍ବ ପ୍ରଦାନ କରୁଛନ୍ତି। ବିଶେଷ କରି ଖରିଫ୍ ଋତୁର ଧାନ ଚାଷ ପରେ ଡାଲି ଓ ତୈଳବୀଜ ଜାତୀୟ ଫସଲ ଚାଷ କରି ଚାଷୀଙ୍କ ଭିତରେ ସଚେତନତା ସୃଷ୍ଟି କରିବା ପାଇଁ ଚଳିତ ବର୍ଷ କୃଷି ବିଭାଗ ଲକ୍ଷ୍ୟ ରଖିଛି। ଧାନ ପରବର୍ତ୍ତୀ ଫସଲ ଯୋଜନାରେ ଚାଷୀ ଧାନ ପରେ ମୁଗ,ଚଣା ସମେତ ଚିନାବାଦାମ ଭଳି ବିଭିନ୍ନ ଫସଲ ଚାଷ କରିବା ପାଇଁ କୃଷି ବିଭାଗ ଯୋଜନା କରିଛି। ଏହା ଦ୍ବାରା ଚାଷୀ ମାତ୍ର ୬୦ ରୁ ୭୦ ଦିନରେ ଆଉ ଏକ ଫସଲ ଅମଳ କରି ପାରିବ। କିନ୍ତୁ ଚଳିତବର୍ଷ ଭଞ୍ଜନଗର କୃଷି ଜିଲ୍ଲାରେ ଖରିଫ୍ ଧାନ ପରବର୍ତ୍ତୀ ରବି ଚାଷ ଯୋଜନା ବାବଦକୁ କେତେ ଜମିରେ କେଉଁ କେଉଁ ଫସଲ ଚାଷ ହେବ ସେ ନେଇ କୃଷି ବିଭାଗ ପାଖରେ କୌଣସି ସୂଚନା ନାଥିବା ବେଳେ କିଛି ଏନଜିଓ ଙ୍କ ଇସାରାରେ ଭଞ୍ଜନଗର କୃଷି ଜିଲ୍ଲା କାର୍ଯ୍ୟାଳୟ ଚାଲୁଥିବା ଅଭିଯୋଗ ହୋଇଛି।
ଗତ ବର୍ଷ ଡିସେମ୍ବର ପହିଲା ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଖରିଫ ଧାନ ଅମଳ ପରେ ପରେ ଡିସେମ୍ବର ପହିଲା ରୁ ହିଁ ଚାଷୀ ଚିହ୍ନଟ କରାଯାଇଥିଲା।ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଇ ଚାଷୀଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଇ ଚାଷ ଆରମ୍ଭ କରାଯାଇଥିଲା। ହେଲେ ଚଳିତବର୍ଷ ଡିସେମ୍ବର ଅଧା ହୋଇ ମାର୍ଗଶୀର ମାସ ସରିବାକୁ ବସିଥିଲେ ବି କୃଷି ଜିଲ୍ଲାର ଅଧିକାଂଶ ସ୍ଥାନରେ ଚାଷୀ ମାନଙ୍କୁ ଆବଶ୍ୟକ ବିହନ ବଣ୍ଟନ କରାଯାଇନାହିଁ।ଏମିତି କି କୃଷି ଜିଲ୍ଲାର ଭଞ୍ଜନଗର,ଜଗନ୍ନାଥପ୍ରସାଦ, ବେଲଗୁଣ୍ଠା ଓ ବୁଗୁଡା ବ୍ଲକର କେତେ ଜମିରେ କେଉଁ କେଉଁ ଫସଲ ଚାଷ ହେବ,ସରକାରଙ୍କ କେଉଁ ଯୋଜନାରେ ଚାଷୀ ଙ୍କୁ ମାଗଣାରେ ବିହନ ଯୋଗାଇ ଦିଆଯିବ ସେନେଇ
କୃଷି ବିଭାଗ ପାଖରେ କୌଣସି ତଥ୍ୟ ନାହିଁ।ଏବେ ଯେପରି ଗରମ ଅନୁଭୁତ ହେଉଛି ଜମିର ଆଦ୍ରତା କମି ଗଲେ ଆଉ ଏହି ଚାଷ ହୋଇ ପାରିବ ନାହିଁ। ଅନ୍ୟ ଜିଲାରେ ଏହି ଯୋଜନାରେ ଚାଷୀ ବିହନ ପାଇ ଚାଷ କାମ ଆରମ୍ଭ କରିଥିବା ବେଳେ ଭଞ୍ଜନଗର କୃଷି ଜିଲ୍ଲା ର ଅଧିକାଂଶ ସ୍ଥାନରେ ଏହା ଆରମ୍ଭ ହୋଇ ନାହିଁ I ଏମିତି କି ଜମି ଓ ହିତାଧିକାରୀ ଚିହ୍ନଟ ହୋଇ ନଥିବା ଜଣାପଡିଛି।
ଏଥର ଧାନ ପରବର୍ତ୍ତୀ ରବି ଫସଲ ଚାଷରେ ସରକାରୀ ଅର୍ଥ ପ୍ରଚୁର ମାତ୍ରାରେ ବାଟମାରଣା କରି କେବଳ କାଗଜପତ୍ରରେ ଚାଷ ଦେଖାଇବା ପାଇଁ ଏପରି ସଲାସୁତୁରା କରାଯାଉଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି। କିଛି ଏନଜିଓ ମାଧ୍ୟମରେ ଏହି ଯୋଜନାକୁ କାର୍ଯ୍ୟକାରୀ କରି ସରକାରଙ୍କୁ ଭୁଆଁ ବୁଲାଇବା ପାଇଁ ଭଞ୍ଜନଗର କୃଷି ବିଭାଗ ମସୁଧା କରୁଥିବା ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି।