ପ୍ରକୃତ ଶିକ୍ଷା ମଣିଷ ମନରୁ ମୋହ ଦୂର କରି ମାନବିକତାର ଶିକ୍ଷା ଦିଏ-ରାଜ୍ୟପାଳ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କରିଲୋପାଟଣାସ୍ଥିତ ଜୟରାମ ହାଇସ୍କୁଲର ୭୫ବର୍ଷ ପୂର୍ତ୍ତି ଅବସରରେ ପାଳିତ ହୀରକ ଜୟନ୍ତୀ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ପ୍ରକୃତ ଶିକ୍ଷା ମଣିଷ ମନରୁ ମୋହ ଦୂର କରି ମାନବିକତାର ଶିକ୍ଷା ଦିଏ । କ୍ରୋଧ, ଅହଂକାର ଦୂର କରି ସମାଜକୁ ଭାତୃଭାବ, ସମଭାବାପନ୍ନ ଓ ସହୃଦୟତାର ଶିକ୍ଷା ଦିଏ । ଭାରତର ମହାନ ସଂସ୍କୃତି ଓ ଜଗନ୍ନାଥ ସଂସ୍କୃତି ବିଶ୍ୱ ଦରବାରରେ ସ୍ୱତନ୍ତ୍ର ସ୍ଥାନର ମାନ୍ୟତା ପାଇଛି । ମହାଭାରତର ପ୍ରଭୁ ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କୁ କହିଥିବା କଥା ଓ ରାମାୟଣର ପ୍ରଭୁ ଶ୍ରୀରାମଙ୍କ ବାର୍ତ୍ତାର ଅବତାରଣା କରି ଜଗନ୍ନାଥ ସଂସ୍କୃତି ଓ ଶିଶୁର ଜୀବନ ଏକ ମା’ ଜୀବନ ସହ କିପରି ସଂପୃକ୍ତି ଥାଏ ତାହା ଉପରେ ମାର୍ମିକ ବାର୍ତ୍ତା ପ୍ରଦାନ କରିଥିଲେ ରାଜ୍ୟପାଳ । ପୁରାତନ ଛାତ୍ର ସଂସଦର ସଭାପତି ଡଃ. ନବଘନ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ସମ୍ମାନୀତ ଅତିଥି ଭାବେ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ, ମୁଖ୍ୟବକ୍ତା ଭାବେ ପ୍ରଫେସର ନିରଞ୍ଜନ ପାଢୀ, ପୁରାତନ ଛାତ୍ର ସଂସଦର ସାଧାରଣ ସମ୍ପାଦକ ବିପିନ ବିହାରୀ ବାରିକ, ଉପସଭାପତି ଅନ୍ନଦା ପ୍ରସାଦ ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ । ରାଜ୍ୟପାଳ ଏଠାରେ ପହଞ୍ଚିବା ପରେ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ କାଶିନାଥ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ମହାପ୍ରଭୁ ଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସମାରୋହକୁ ମୁଖ୍ୟ ଅତିଥି ଉଦଘାଟନ କରିଥିଲେ । ସ୍ମରଣୀକା ‘ସୁହୃଦ’କୁ ଉନ୍ମୋଚନ କରିବା ପରେ ପ୍ରାକ୍ତନ ଛାତ୍ର ନାଗମଣୀ ନାୟକ ଓ ମଦନମୋହନ ସାମଲଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ସଭାପତି ଡଃ. ପରିଡା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡଃ. ମୃତ୍ୟୁଞ୍ଜୟ ରଥ ମଞ୍ଚ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଅପରାହ୍ନରେ ଇନ୍ଦୁପୁର ହାଇସ୍କୁଲ ଓ ପୁରାତନ ଛାତ୍ର ସାଂସ୍କୃତିକ ପରିଷଦର ମିଳିତ ଆନୁକୂଲ୍ୟରେ ଇନ୍ଦୁପୁର ହାଇସ୍କୁଲ ପରିସରରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ ନିଜ ଶରୀର ମଧ୍ୟରେ ଥିବା ଐଶ୍ୱରିକ ଶକ୍ତିର ବିକାଶ କରିପାରିଲେ ଆମ୍ଭେ ଆମ ମଧ୍ୟରେ ଈଶ୍ୱର ସତା ଅନୁଭବ କରିପାରିବା ବୋଲି କହିଥିଲେ । ଫଳରେ ଦେଶ ଓ ବିଶ୍ୱରେ ଶାନ୍ତିର ବାତାବରଣ ସୃଷ୍ଟି ହେବା ସହ ବିଶ୍ୱରେ ଅଧୁନା ପରିଲକ୍ଷିତ ହେଉଥିବା ଯୁଦ୍ଧର ବିଭିଷିକା ସମାପ୍ତ ହୋଇପାରିବ ବୋଲି ସେ କହିଥିଲେ । ଜଳ, ବାୟୁ, ମାଟି, ଆକାଶ ଓ ଅଗ୍ନି ଏହି ପଞ୍ଚତତ୍ତ୍ୱ୍ୱ ବିଷୟରେ ଧାର୍ମିକ ଆବେଗ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଆମର ବୈଜ୍ଞାନିକ ଜ୍ଞାନ କୈାଶଳ ମାଧ୍ୟମରେ ଈଶ୍ୱର କୃପା ବିନା ଗୋଟିଏ ବି ଫୁଲ ଫୁଟିବା ସମ୍ଭବ ନୁହେଁ ବୋଲି କହି ଇଶ୍ୱରଙ୍କ ସତ୍ତାକୁ ସମସ୍ତେ ଅନୁଭବ କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇଥିଲେ । ପୁରାତନ ଛାତ୍ର ସଂସଦର କାର୍ଯ୍ୟକାରୀ ସଭାପତି ସୁଧାଂଶୁ ଶେଖର ଦାସଙ୍କ ସଂଯୋଜନା ଏବଂ ସଭାପତି ପ୍ରଫେସର ଶ୍ରୀବତ୍ସଲାଞ୍ଛନ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟବକ୍ତା ଭାବେ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ର, ସମ୍ପାଦକ ପ୍ରଦିପ ଦାସ, ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସିଦ୍ଧାର୍ଥଶଙ୍କର ଜେନା ପ୍ରମୁଖ ମଞ୍ଚସୀନ ଥିଲେ । ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜ୍ଜନ କରିଥିବା ପୁରାତନ ଛାତ୍ର ଡାକ୍ତର ବିରଞ୍ଚିନାରାୟଣ ଜଗଦେବ, ଅବସରପ୍ରାପ୍ତ ପଦାର୍ଥ ବିଜ୍ଞାନ ବିଭାଗ ପ୍ରଫେସର ଚାରୁଚନ୍ଦ୍ର ହାଜରା, ପୂର୍ବତନ ଶିକ୍ଷକ ନିଳମଣୀ ପରିଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସେହି ବିଦ୍ୟାଳୟର ଟପର ନମିତା ଦାସ ଓ ଜିଲ୍ଲା ଟପର ମଞ୍ଜୁଶ୍ରୀ ବିଶ୍ୱାଳଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା । ଶେଷରେ ସୁଧାଂଶୁ ଶେଖର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ପାୟଲ ମ୍ୟୁଜିକ ସ୍କୁଲର କଳାକାରମାନେ ସମ୍ପାଦକ ଦେବାଶିଷ ସାମଲଙ୍କ ନେତୃତ୍ୱରେ ଆବାହନୀ ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପୁରାତନ ଛାତ୍ର ସଂସଦର ଉପଦେଷ୍ଟା ପ୍ରଣବ କୁମାର ଜେନା, ଶ୍ରୀବତ୍ସ ନାୟକ, ଇନ୍ଦୁପୁର ସରପଞ୍ଚ ପ୍ରଦୀପରଞ୍ଜନ ସୁତାର, ଶତୃଘନ ଦାସ, ରାମନାରାୟଣ ସିଂ, ଦେବେନ୍ଦ୍ର ରାଉତ, ଜ୍ଞାନେନ୍ଦ୍ର ବାରିକ, ଦୁଷ୍ମନ୍ତ ମଲିକ ପ୍ରମୁଖ ପରିଚାଳନା କରିଥିଲେ । ଏଥିସହିତ ଏହି ଉତ୍ସବରେ ଅଧୁନା ଓ ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, ଜନସାଧାରଣ ଏବଂ ବୁଦ୍ଧିଜିବୀମାନେ ଉପସ୍ଥିତ ଥିଲେ ।