ପ୍ରଚାରରେ ବାହାରିଲେ ବିଧାୟକ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ୩୪ନଂ ଜୋନରେ ବିଜେଡିର କିପରି ବିଜୟ ବାନା ଉଡିବ ସେନେଇ ଦଳର ଉଚ୍ଚ କର୍ତ୍ତୁପକ୍ଷଙ୍କ ଚିନ୍ତା ବଢ଼ିଛି । ଏଥିପାଇଁ ଘନଘନ ବୈଠକ କରିବା ସହିତ ପ୍ରାର୍ଥୀଙ୍କୁ ଧରି ନେତାମାନେ ପ୍ରଚାରରେ ବାହାରିଲେଣି । ଗତ ୨୦୧୭ ନିର୍ବାଚନରେ ୩୪ନଂ ଜୋନରୁ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିବାରୁ ଓ ଏହି ଜୋନରେ ବିଜେପିର ଦବଦବା ରହୁଥିବାରୁ ଚଳିତ ନିର୍ବାଚନରେ କପରି ବିଜେଡି ବିଜୟବାନା ଉଡାଇବ ସେନେଇ ସମସ୍ତେ ଲାଗିପଡିଛନ୍ତି । ଗତକାଲି ଜିଲ୍ଲା ପର୍ଯ୍ୟବେକ୍ଷକ ଥିବା ପ୍ରଣବ ପ୍ରକାଶ ଦାସ ଆନନ୍ଦପୁର ବିଧାୟକଙ୍କ ଘରେ ବୈଠକ କରିି ପ୍ରାର୍ଥୀ ଓ କର୍ମୀ ମାନଙ୍କୁ ଡାକି ଆଲୋଚନା କରିଥିଲେ । ଏଥିରେ ବିଶେଷକରି ୩୪ନଂ ଜୋନ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଆଜି ପୁନର୍ବାର ବିଦ୍ୟାଧରପୁରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଘସିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର, ଆନନ୍ଦପୁର ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ଅନୁଭବ ପଟ୍ଟନାୟକ, ଜିଲ୍ଲା ଯୁବ ବିଜେଡି ସଭାପତି ରାକେଶ ରାମ ପ୍ରମୁଖ ଏକ ରୁଦ୍ଧଦ୍ୱାର ବୈଠକ କରି ହଦଗଡ, କେ ବାଲିପାଳ, ପଢ଼ିଆରିପଲ୍ଲୀ, ବାଲିବରେଇ, ସୋସୋ, ଧନୁର୍ଜୟପୁର, ବାଙ୍ଗୋର ଆଦି ପଞ୍ଚାୟତର ଦଳୀୟ ନେତୃମଣ୍ଡଳୀଙ୍କ ସହିତ ଆଲୋଚନା କରି କିପରି ଏହି ଜୋନରେ ବିଜେଡିର ବିଜୟ ବାନା ଉଡିବ ସେନେଇ ଗୁରୁମନ୍ତ୍ରଣା ଦେଇଛନ୍ତି । ବିଶେଷକରି ବିଜେଡିର ଅର୍ନ୍ତଦ୍ୱନ୍ଦ ଥିବା ଯୋଗୁଁ ଏହାକୁ ସମାଧାନ କରିବାପାଇଁ ସମସ୍ତ ଗୋଷ୍ଠୀଙ୍କୁ ଡକାଯାଇ ଆଲୋଚନା କରାଯାଇଥିବା ଜଣାଯାଇଛି । ଏପରିକି ବିଧାୟକ ଭାଗିରଥି ସେଠୀ ଆଜି ଦଳୀୟ ପ୍ରାର୍ଥୀ ସୋମନାଥ ଦାସଙ୍କୁ ଧରି ୩୪ନଂ ଜୋନର ବିଭିନ୍ନ ପଞ୍ଚାୟତରେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି ।


