ପ୍ରଣବଦା ଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
ଡା.ମନମୋହନ ବୈଦ୍ୟ
ଭାରତର ପୂର୍ବତନ ରାଷ୍ଟ୍ରପତି ଡ.ପ୍ରଣବ ମୁଖାର୍ଜୀଙ୍କ ମୃତ୍ୟୁ ରାଷ୍ଟ୍ରୀୟ ରାଜନୀତିରେ ଏକ ଦୀପ୍ତିମାନ ନକ୍ଷେତ୍ରର ଅସ୍ତ । ତାଙ୍କ ମୃତ୍ୟୁରେ ଭାରତୀୟ ରାଜନୈତିକ କ୍ଷେତ୍ରର ବହୁତ ବଡ କ୍ଷତି ହୋଇଛି । ନିଜର ରାଜନୈତିକ ବିରୋଧୀ ଓ ସମସ୍ତଙ୍କ ସହିତ ବିଚାର ପ୍ରତି ପ୍ରତିବଦ୍ଧତା କାୟମ ରଖିବା,ଖୋଲା ମନରେ ମିଶିବାର ପରମ୍ପରା ଏବେ ଲୁପ୍ତ ହେବା ପ୍ରାୟ ଲାଗୁଛି । ଭାରତରେ ବିଭିନ୍ନ ମତ ପୋଷଣ କରୁଥିବା ଲୋକମାନଙ୍କ ସହିତ ଏକାଠି ବିଚାର ବିମର୍ଶ, କଥା-କଟାକଟି ପରମ୍ପରା ପୂର୍ବରୁ ପ୍ରଚଳିତ ।
ଭାରତରେ ସ୍ୱାଧୀନତା ପୂର୍ବରୁ କଂଗ୍ରେସରେ ମଧ୍ୟ ବିଭିନ୍ନ ବିଚାରଧାରାର ଲୋକ ଏକଜୁଟ ହେଉଥିଲେ । ଏବେ ଯେଉଁ ରାଜନୈତିକ ଅସହିଷ୍ଣୁତା ତଥା ବୈଚାରିକ ଅସ୍ପୃଶ୍ୟତା ଦେଖାଯାଉଛି ତାହା ବାମପନ୍ଥୀ ବିଚାରଧାରର ପ୍ରତିଫଳ । ସାରା ବିଶ୍ୱରେ ବାମପନ୍ଥୀଙ୍କର ଚରିତ୍ର ଓ ଇତିହାସ ହେଲା ସେମାନେ ନିଜର ବିଚାର ଛଡା ଭିନ୍ନ ବିଚାର ବ୍ୟକ୍ତ କରୁଥିବା ବ୍ୟକ୍ତିମାନଙ୍କର ବଂଚିବାର ଅଧିକାର ନାହିଁ ବୋଲି ମତ ପୋଷଣ କରିଥାନ୍ତି ।
ଯେତେବେଳେ ସ୍ୱର୍ଗତ ପ୍ରଣବଦା ସଂଘର କାର୍ଯ୍ୟକ୍ରମକୁ ଆସିବାକୁ ସମ୍ମତି ଦେଲେ ସେତେବେଳେ ତୀବ୍ର ବିରୋଧ ହୋଇଥିଲା । ତାଙ୍କୁ ସଂଘର କାର୍ଯ୍ୟକ୍ରମରେ ସାମିଲ ନକରାଇବା ପାଇଁ ବହୁ କୌଶଳ ପ୍ରୟୋଗ କରାଯାଇଥିଲା । ଏପରିକି ପ୍ରଣବଦାଙ୍କ ଝିଅଙ୍କୁ ମଧ୍ୟ ତାଙ୍କ ବିରୋଧରେ ଲଗାଯାଇଥିଲା । ବାସ୍ତବରେ ପ୍ରଣବ ଦା ଜଣେ ଗମ୍ଭୀର,ପ୍ରଭାବୀ, ଅନୁଭବୀ, ତଥା ପରିପକ୍ୱ ରାଜନେତା ଥିଲେ । ସେ ସଂଘରେ ମିଶିବା ପାଇଁ ନୁହଁ, ନିଜର ସୁବିଚାରିତ ବିଚାର ଗୁଡିକୁ ସ୍ୱୟଂସେବକ ତଥା ନାଗରିକମାନଙ୍କ ସମ୍ମୁଖରେ ରଖିବା ପାଇଁ ଇଛା ପ୍ରକାଶ କରିଥିଲେ । ତାଙ୍କୁ ଜାଣୁଥିବା ବ୍ୟକ୍ତି ତଥା ଶୁଭେଚ୍ଛୁମାନଙ୍କ ତାଙ୍କ ପ୍ରତି ବିଶ୍ୱାସ ରଖିବାର ଥିଲା ଯେ ସେ ପ୍ରଥମ କରି ନୂଆ ଶ୍ରୋତା ବୃନ୍ଦଙ୍କ ସାମନାରେ ନିଜର (କଂଗ୍ରେସ ର) ବିଚାର ରଖିବା ପାଇଁ ଯାଉଛନ୍ତି । କିନ୍ତୁ କଂଗ୍ରେସ ଲୋକମାନଙ୍କର ତାଙ୍କ ଉପରେ ସେ ଭରସା ରହିଲା ନାହିଁ ।
ସଂଘର ଚତୁର୍ଥ ସରସଂଘଚାଳକ ଶ୍ରୀ ରଜ୍ଜୁ ଭୈୟା ଉତରପ୍ରଦେଶର ପ୍ରୟାଗରାଜରୁ ଆସିଥିଲେ । ତାଙ୍କର ଲାଲ ବାହାଦୂର ଶାସ୍ତ୍ରୀଜୀଙ୍କ ସହ ଘନିଷ୍ଠ ସମ୍ପର୍କ ଥିଲା । ଯେତେବେଳେ ଶାସ୍ତ୍ରୀଜୀ ଉତରପ୍ରଦେଶର ରାଜନୀତିରେ ସକ୍ରିୟ ଥିଲେ, ସେତେବେଳେ ଥରେ ସରସଂଘଚାଳକ ଶ୍ରୀ ଗୁରୁଜୀଙ୍କ ଉପସ୍ଥିତିରେ କିଛି ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ପାଇଁ ଚା ପାନର ଆୟୋଜନ ହୋଇଥିଲା । ଶ୍ରୀ ରଜ୍ଜୁୁ ଭୈୟା ଶାସ୍ତ୍ରୀଜୀଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ଆମନ୍ତ୍ରଣ କରିଥିଲେ, ତା’ପରେ ଶାସ୍ତ୍ରୀଜୀ କହିଥିଲେ ଯେ ମୁଁ ଆସିିବାକୁ ଚାହୁଁଛି କିନ୍ତୁ ଆସି ପାରିବି ନାହିଁ, କାରଣ ସେଠାକୁ ଯିବାମାତ୍ରେ କଂଗ୍ରେସରେ ମୋ ବିଷୟରେ ବିଭିନ୍ନ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଯିବ । ଏହା ପରେ ରଜ୍ଜୁ ଭୈୟା ପଚାରିଲେ ‘ଶାସ୍ତ୍ରୀଜୀ ! ଆପଣଙ୍କ ପରି ବ୍ୟକ୍ତିଙ୍କ ବିଷୟରେ କଣ ଲୋକେ ଏଭଳି ଚର୍ଚ୍ଚା କରିବେ? ’ ସେ କହିଲେ- “ଆରେ ! ରାଜନୀତି କଣ ଆପଣ ଜାଣି ନାହାଁନ୍ତି ” । ଏହା ଉତରରେ ରଜ୍ଜୁଭୈୟା କହିଲେ – ଆମ ସଂଗଠନ ଏପରି ନୁହେଁ । ଯଦି କୌଣସି ସ୍ୱୟଂସେବକ ମୋତେ ଆପଣଙ୍କ ସହିତ ଦେଖିବେ ତେବେ ଭାବିବେ ଯେ- “ ରଜ୍ଜୁଭୈୟା ଶାସ୍ତ୍ରୀଜୀଙ୍କୁ ସଂଘ ବିଷୟରେ ବୁଝାଉଛନ୍ତି । ”
ଏହା ମଧ୍ୟ ଠିକ୍ ! ଏହିଭଳି ଦୃଢ ବିଶ୍ୱାସ ନିଜର ନେତାଙ୍କ ଉପରେ ରହିବା ଉଚିତ । ନିଜ ବିଚାରର ଭିତିଭୂମି ଉପରେ ଦୃଢ ରହି ଅନ୍ୟ ବିଚାର ତଥା ଦୃଷ୍ଟିକୋଣକୁ ଖୋଲା ମନରେ ବୁଝି ହୃଦୟର ସହିତ କଥାବାର୍ତା ଗଣତନ୍ତ୍ରର ଆଧାର । ।
ବର୍ତମାନ ଭାରତର ଜାତୀୟ ରାଜନୀତିରେ ସକ୍ରିୟ ଲୋକଙ୍କ ସଂଖ୍ୟା ନଗଣ୍ୟ । ଅନେକ ରାଜନେତା ଦୃଶ୍ୟମାନ କିନ୍ତୁ ରାଷ୍ଟ୍ରୀୟ ରାଜନୀତି ( ରାଷ୍ଟ୍ରହୀତ ସର୍ବୋପରି ପାଇଁ ରାଜନୀତି) ସ୍ଥାନରେ, ବହୁତ ସଂଖ୍ୟକ ନେତା ଦଳଗତ ରାଜନୀତି, ସାଂପ୍ରଦାୟିକ ରାଜନୀତି, ଜାତିଗତ ରାଜନୀତି, ପ୍ରାଦେଶିକ ରାଜନୀତି ଓ ପାରିବାରିକ ରାଜନୀତିରେ ସକ୍ରିୟ ଅଛନ୍ତି । ମୋତେ ସବୁବେଳେ ଆଶ୍ଚର୍ଯ୍ୟ ଲାଗେ ଯେ, ନେତୃତ୍ୱ ନେବାର ସବୁଗୁଣ କିଭଳି ଏକ ପରିବାର ମଧ୍ୟରେ ସୀମିତ ଏବଂ ତାହା ବଂଶାନୁକ୍ରମିକ ହୋଇଛି । ଏ ସମସ୍ତେ ଗଣତନ୍ତ୍ରକୁ ରକ୍ଷା କରିବା ନିମନ୍ତେ କେବଳ ବିଳାପ କରୁଛନ୍ତି । ଆଶ୍ଚର୍ଯ୍ୟର କଥା ହେଲା ଯେ ସର୍ବ ପୁରାତନ ଦଳର ସଦସ୍ୟମାନେ ମଧ୍ୟ ଜଣେ କର୍ତୃତ୍ୱହୀନ,ଅନୁଭବହୀନ ବ୍ୟକ୍ତି ପାଖରେ ନେତୃତ୍ୱ ନେବାର ସମସ୍ତ ଗୁଣ ଥିବା ଅନୁଭବ କରୁଛନ୍ତି । ଦଳୀୟ ରାଜନୀତିରୁ ଉର୍ଦ୍ଧ୍ୱକୁ ଉଠି ରାଷ୍ଟ୍ରହିତ ପାଇଁ ରାଜନୀତି କରୁଥିବା ନେତାଙ୍କ ସଂଖ୍ୟା କମି କମି ଯାଉଛି । ଏହିଭଳି ସମୟରେ ପ୍ରଣବଦାଙ୍କର ବିୟୋଗ ଅଧିକ ଯନ୍ତ୍ରଣାଦାୟକ । ସେ ଯେତେବେଳେ ଅର୍ଥମନ୍ତ୍ରୀ ଥିଲେ ସେତେବେଳେ ଭାରତର ପଡୋଶୀ ଦେଶମାନଙ୍କ ବିଷୟରେ ଜାଣିବା ଏବଂ ସଂପର୍କ ବୃଦ୍ଧିଲାଗି ଅନ୍ୟ ଦଳର ଅନୁଭବି ଲୋକମାନଙ୍କ ସହିତ ବିନା ସଂକୋଚରେ ବିଚାର ବିମର୍ଶ କରୁଥିଲେ । ଏହା ସୁସ୍ଥ ଗଣତନ୍ତ୍ର ତଥା ସଶକ୍ତ ରାଜନୀତି ପାଇଁ ଉପଯୋଗୀ । ଏହି କାରଣରୁ ପ୍ରଣବଦାଙ୍କର ସଂଘ କାର୍ଯ୍ୟକ୍ରମକୁ ଆସିବା ପାଇଁ ସ୍ୱୀକୃତି ଦେବା, ରାଷ୍ଟ୍ରହିତ ନିମନ୍ତେ ସକ୍ରିୟ, ସର୍ବଦା ନିୟୋଜିତ, ସମଗ୍ର ଦେଶରୁ ଆସିଥିବା ବହୁ ବର୍ଗର ବ୍ୟକ୍ତିମାନଙ୍କର ବିଶାଳ ସଂଗଠନକୁ ଦେଖିବା, ତାହାକୁ ବୁଝିବା ଏବଂ ତାହାର ମହତ୍ୱକୁ ଉପଲବ୍ôଧ କରିବା ପାଇଁ ସେହିଭଳି ଦୃଷ୍ଟିକୋଣ ଲୋଡା, ଏହା ବୁଝି ପାରିବା କିଛି ଲୋକଙ୍କର ଧାରଣାର ବାହାରେ ଥିଲା ।
ଶ୍ରୀ କେ.ଏମ୍ ମୁନ୍ସୀ ପଣ୍ଡିତ ନେହେରୁଙ୍କ କ୍ୟାବିନେଟରେ ଜଣେ ମନ୍ତ୍ରୀ ଥିଲେ । ସେ ସଂଘକୁ ଯେଭଳି ଦେଖନ୍ତି ତାହା ରାଜନୀତି କରୁଥିବା ଲୋକଙ୍କର ବୁଝିବା ଶକ୍ତି ବାହାରେ । ସେଥିପାଇଁ ଜାତୀୟ ରାଜନୀତି ଦୃଷିକୋଣ ରହିବା ଆବଶ୍ୟକ । ରାଜନୀତିରେ ସକ୍ରିୟ ରହି ସଂଘ, ରାଜନୀତି ଠାରୁ ଦୁରେଇ ରହିବାର ନିର୍ଣ୍ଣୟକୁ ଠିକ୍ ବୁଝି ତାହାର ପ୍ରଶଂସା କରିବା ପାଇଁ ମଧ୍ୟ ପ୍ରତିଭା ଥିବା ଦରକାର । ମୁନସୀଜୀ ତାଙ୍କର (Pilgrimage to Freedom )‘ପୁସ୍ତକରେ ସଂଘ ସଂପର୍କରେ ଲେଖିଛନ୍ତି –
“I attended a rally of the Rashtriya Swayamsevak Sangh which we, Congressmen, had looked upon as an ‘unseeable’ pariah. I was struck by the discipline, determination and the spirit of selflessness which characterises its members. It had no financial backing behind it and no leaders of all-India fame to give it a status, and yet it functioned efficiently on an emotional bond.
I met M. S. Golwalkar, the Guruji of the RSS. Whatever our differences in political aims and methods, I could not help admiring the dedicated life he lived, his great power of organisation and his skill in building up the RSS, at the same time resisting the temptation to throw it into the vortex of politics.(Pilgrimage to Freedom, P.86 by K.M.Munshi) ”ଡକ୍ଟର ପ୍ରଣବଦାଙ୍କ ମୃତ୍ୟୁପରେ ତାଙ୍କ ବିଷୟରେ ଜଣେ ମରାଠୀ ଲେଖକ ନିଜ ପ୍ରବନ୍ଧରେ ଲେଖିଛନ୍ତି ଯେ, କଂଗ୍ରେସକୁ ପ୍ରଣବଦାଙ୍କ ଭଳି ଜଣେ ଅନୁଭବି ବ୍ୟକ୍ତିଙ୍କର ଯେତେବେଳେ ଆବଶ୍ୟକ ଥିଲା ସେତେବେଳେ ସେ କଂଗ୍ରେସ ଠାରୁ ଦୁରରେ ରହି ସଂଘର ନିକଟତର ହେଲେ । ତାଙ୍କର ସଂକେତ ପ୍ରଣବଦାଙ୍କର ସଂଘ କାର୍ଯ୍ୟକ୍ରମରେ ସାମିଲ ହେବା ବିଷୟରେ ଥିଲା । ମୋର ସେ ଲେଖକଙ୍କର ବୁଦ୍ଧିବୃତି ଉପରେ ଦୟା ଆସେ । ପ୍ରଣବଦା କେବେ କଂଗ୍ରେସ ଠାରୁ ଦୁରେଇ ଯାଇ ନଥିଲେ, ସେ ଯେଉଁଠି ଥିବା କଥା ସେଇଠି ହିଁ ଥିଲେ । ବରଂ କଂଗ୍ରେସ ରାଷ୍ଟ୍ରୀୟ ବିଚାର, ରାଷ୍ଟ୍ର ସର୍ବୋପରି ରାଜନୀତି ଠାରୁ ଏବଂ ପ୍ରଣବଦାଙ୍କ ଭଳି ଚିନ୍ତାନାୟକମାନଙ୍କ ଠାରୁ ନିଜକୁ ଦୂରେଇ ରଖିଲା । ଯାହା ମସ୍ତବଡ ଭୁଲ । ଏମିତିତ କଂଗ୍ରେସ ଦୁର୍ବଳ ହୋଇ ଚାଲିଛି ତାଉପରେ ଯଦି ଏହିଭଳି ମାନସିକତା ରହିବ ତେବେ ଏହା ଆହୁରି ଦୁର୍ବଳ ହୋଇ ଯିବ । ଦେଶର ସର୍ବପୁରାତନ ଦଳ ହିସାବରେ ଏହା ବିଚାର ଯୋଗ୍ୟ ଯେ, କଂଗ୍ରେସ ଡା.ମୁନସୀ ଏବଂ ପ୍ରଣବଦାଙ୍କ ଭଳି, ସମସ୍ତଙ୍କୁ ସାଥିରେ ନେଇ ଚାଲୁଥିବାର ଦୃଷ୍ଟିକୋଣର ଅନୁକରଣ କରୁ ନଚେତ ବାମପନ୍ଥୀଙ୍କ ଠାରୁ ଉଧାର ନେଇଥିବା ଅସହିଷ୍ଣୁତାପୂର୍ଣ୍ଣ ଭାବନାକୁ ଗ୍ରହଣ କରୁ ।
ପ୍ରଣବଦା ଙ୍କ ଭଳି ଜଣେ ବ୍ୟକ୍ତିଙ୍କର ମୂଲ୍ୟ ବୁଝିବା ପାଇଁ ସେହିଭଳି ଯୋଗ୍ୟତା ଥିବା ଆବଶ୍ୟକ । ସ୍ୱାର୍ଥ ପାଇଁ ହୀନ ରାଜନୀତି କରୁଥିବା ନେତା ଦଳଗତ ସ୍ୱାର୍ଥରୁ ଉପରକୁ ଉଠି ରାଷ୍ଟ୍ର ସର୍ବୋପରି ଭାବନା ନେଇ ରାଜନୀତି କରୁଥିବା ଲୋକଙ୍କର ମହତ୍ୱକୁ ସହଜରେ ବୁଝିପାରିବେ ନାହିଁ । କାରଣ ସେମାନେ ଯେଉଁ ବୈଚାରିକ ପରିବାରରୁ ଆସିଛନ୍ତି ସେଠାରେ ଆଜି ପର୍ଯ୍ୟନ୍ତ ତାହା ହୋଇ ପାରିନାହିଁ । ହାତୀ ଶିକାର କୌଶଳ ସିଂହକୁ ଜଣା ଯାହା ଶୃଗାଳର କଳ୍ପନା ଶକ୍ତି ବାହାରେ ।
ମୁନସୀ ଜୀ, ପ୍ରଣବଦା, ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଡକ୍ଟର ରାଧାକୃଷ୍ଣନ୍, ପୁରୁଷୋତମ ଦାସ ଟଣ୍ଡନଙ୍କ ଭଳି ରାଷ୍ଟ୍ର ନିମନ୍ତେ ରାଜନୀତି କରୁଥିବା ବ୍ୟକ୍ତିଙ୍କ କାର୍ଯ୍ୟର ମୂଲ୍ୟାଙ୍କନ କରିବା ପାଇଁ ସେହି ଭଳି ସାମର୍ଥ୍ୟ ରହିଥିବା ଆବଶ୍ୟକ । ଏହା ଦଳୀୟ, ସାଂପ୍ରଦାୟିକ, ଜାତିଗତ, ପ୍ରାଦେଶିକ, ପାରିବାରିକ ରାଜନୀତି କରୁଥିବା ବ୍ୟକ୍ତିଙ୍କର ବିଚାର ଶକ୍ତି ବାହାରର କଥା । ଏହା ବୁଝୁଥିବା ଏବଂ ତାଙ୍କ ବିଚାରକୁ ଅନୁସରଣ କରି ତାଙ୍କ ଭଳି ରାଷ୍ଟ୍ରୀୟ ଆଚରଣ କରୁଥିବା ବହୁ ବ୍ୟକ୍ତି ତିଆରି ହୁଅନ୍ତୁ ଯାହା ହେବ ତାଙ୍କ ପ୍ରତି ଉଚିତ ଶ୍ରଦ୍ଧାଞ୍ଜଳି । ପ୍ରଣବଦା ଆଉ ଆମ ଗହଣରେ ନାହାଁନ୍ତି । ପ୍ରଣବଦା ଚିରାୟୁ ହୁଅନ୍ତୁ । ଏଭଳି ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧିପାଉ, ବିସ୍ତାରିତ ହେଉ, ପୁଷ୍ପିତ ପଲ୍ଲଭିତ ହୋଇ ଚାଲୁ ।
ସହସରକାର୍ଯ୍ୟବାହ
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ