ପ୍ରତିମା ଜିଲ୍ଲା କାର୍ଯ୍ୟନିର୍ବାହୀ କମିଟି ସଦସ୍ୟା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଆସନ୍ତା ସାଧାରଣ ନିର୍ବାଚନ ଅବ୍ୟାହତି ପୂର୍ବରୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ଯୁବ ଓ ମହିଳା ନେତୃତ୍ୱକୁ ଗୁରୁତ୍ୱ ପ୍ରଦାନ କରି ଗଞ୍ଜାମ ଜିଲ୍ଲାରେ ଦଳର ସାଙ୍ଗଠନିକ ପ୍ରକ୍ରିୟାର ପୁନର୍ବିନ୍ୟାସ କରିଛନ୍ତି।ବିଜେଡ଼ିକୁ ତୃଣମୂଳ ସ୍ତରରେ ଅଧିକ ସୁସଂଗଠିତ,ଶକ୍ତିଶାଳୀ ଓ ଲୋକଙ୍କ ନିକଟତର ହୋଇ ପୁଣି ଥରେ ରାଜ୍ୟ ଶାସନର ଡୋର ଧରିବା ଲକ୍ଷ୍ୟରଖି ଦଳୀୟ ରଣନୀତି ପ୍ରସ୍ତୁତ କରିଛି।ଏହି କ୍ରମରେ ଗଞ୍ଜାମ ଜିଲ୍ଲା ବିଜେଡ଼ିରେ ମହିଳା ନେତୃତ୍ୱ ଓ ପୁର୍ବ ସାଙ୍ଗଠନିକ ଦକ୍ଷତାକୁ ଭିତ୍ତିକରି ଦଳୀୟ ପଦବୀ ସକାଶେ ମନୋନୀତ କରାଯାଇଛି।ରାଜ୍ୟ ସଭାପତିଙ୍କ ମନୋନୀତ ଓ ଅନୁମୋଦନ କ୍ରମେ ରାଜ୍ୟ ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ବିଜେଡି ଗଞ୍ଜାମ ଜିଲ୍ଲା କାର୍ଯ୍ୟ ନିର୍ବାହୀ କମିଟିରେ ବିଭିନ୍ନ ନେତୃବୃନ୍ଦଙ୍କ ନାମ ଓ ପଦବୀ ଘୋଷଣା କରିଛନ୍ତି। ଜିଲ୍ଲାର ୬୧ ଜଣ ସଦସ୍ୟଙ୍କ ମଧ୍ୟରେ ହିଞ୍ଜିଳିକାଟୁ ବ୍ଲକ ଶିକିରି ପଞ୍ଚାୟତର ପୂର୍ବତନ ସରପଞ୍ଚ,ସଂଗଠକ ଓ ଅନୁଭବୀ ଯୁବାନେତ୍ରୀ ପ୍ରତିମା ବେହେରା କାର୍ଯ୍ୟ ଜିଲ୍ଲା ନିର୍ବାହୀ କମିଟି ସଦସ୍ୟା ଭାବେ ମନୋନୀତ ହୋଇଛନ୍ତି।ଶିକିରି ପଞ୍ଚାୟତ ଏବଂ ସ୍ଥାନୀୟ ଅଞ୍ଚଳବାସୀଙ୍କ ନିକଟରେ ବିଜେଡିର ଜଣେ ଦୃଢ଼ ସମର୍ଥକ ଓ ତୃଣମୂଳ ସଂଗଠକ ଭାବେ ବେଶ ପରିଚିତ ପ୍ରତିମାଙ୍କ ଉପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆସ୍ଥା ପ୍ରକଟ କରି ତାଙ୍କୁ ଜିଲ୍ଲା କାର୍ଯ୍ୟ ନିର୍ବାହୀ କମିଟି ସଦସ୍ୟା ଭାବେ ଅନୁମୋଦନ କରି ଦଳୀୟ ଦାୟିତ୍ୱ ପ୍ରଦାନ କରିଛନ୍ତି। ପୂର୍ବରୁ ବିଜେଡି ଦଳର ଜଣେ ଶୃଙ୍ଖଳିତ ସଦସ୍ୟା ଭାବେ ମହିଳା ସଂଗଠନକୁ ପଞ୍ଚାୟତରେ ଅଧିକ ସୁଦୃଢ କରି ଗତ ୨୦୧୭ ସାଲରେ ସରପଞ୍ଚ ଭାବେ ନିର୍ବାଚିତ ହୋଇ ଶିକିରି ପଞ୍ଚାୟତରେ ରାଜ୍ୟ ସରକାରଙ୍କ ବହୁ ଉନ୍ନୟନ ମୂଳକ ଯୋଜନାକୁ କାର୍ଯ୍ୟକାରୀ କରି ପ୍ରଶଂସିତ ହୋଇଥିଲେ। ଅଦ୍ୟାବଧି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ସେ ସଂଶ୍ଲିଷ୍ଟ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଓ ବିକାଶର ସଫଳ ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରଶଂସନୀୟ ଉଦ୍ୟମ ଜାରି ରଖିଛନ୍ତି।ଜିଲ୍ଲା କାର୍ଯ୍ୟ ନିର୍ବାହୀ କମିଟି ସଦସ୍ୟା ଭାବେ ସେ ମନୋନୀତ ହେଲା ପରେ ବିଜେଡି ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି। ତୃଣମୂଳ ସ୍ତରରେ ଆହୁରି ସକ୍ରିୟ ରହି ଦଳକୁ ଅଧିକ ସୁଦୃଢ ଓ କ୍ରିୟାଶୀଳ କରିବା ତାଙ୍କ ପ୍ରାଥମିକ କାର୍ଯ୍ୟ ହେବ ବୋଲି ସେ କହିଛନ୍ତି।ଏଥିପାଇଁ ସେ ଜିଲ୍ଲା ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ,ଓଡିଶା ରାଜ୍ୟ କୃଷି ବିପଣନ ମଣ୍ଡଳୀ ଉପଦେଷ୍ଟା ତଥା ପ୍ରମୁଖ ସଚିବ ଏବଂ ହିଞ୍ଜିଳିବ୍ଲକ ବିଜେଡ଼ି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ ପ୍ରମୁଖଙ୍କ ସମେତ ସମସ୍ତ ନେତୃମଣ୍ଡଳୀ ଓ ଦଳୀୟକର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ