ପ୍ରତିଶୃତି ମଧ୍ୟରେ ରହିଯାଇଛି ବନ୍ତ ବ୍ଲକର ବିକାଶଧାରା, ଆଗାମୀ ନିର୍ବାଚନରେ ଭାରି ପଡିବ ଏହାର ପ୍ରଭାବ

(ଯୁଗାଦ୍ଧ ନିଜ୍ୟୁ) : ଭଦ୍ରକ ଜିଲା ବନ୍ତ ବ୍ଲକର ବିକାଶଧାରା ପ୍ରତିଶୃତି ମଧ୍ୟରେ ସୀମାବଦ୍ଧ ହୋଇ ରହିଯାଇଛି । ଶାସକ ଦଳକୁ ଏହାର ପ୍ରଭାବ ଭାରି ପଡିବ ବୋଲି ବ୍ଲକର ରାଜନୈତିକ ବ୍ୟକ୍ତିବିଶେଷ, ବୁଦ୍ଧିଜୀବି ତଥା ଭୋଟର ମାନେ କହିଛନ୍ତି । ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରେ ଶାସକ ଦଳର ବିଧାୟକ ପ୍ରାର୍ଥୀ ଭାବେ ପ୍ରଫୁଲ ସାମଲ ଦୁଇ ଦୁଇ ଥର ନିର୍ବାଚିତ ହୋଇ ମନ୍ତ୍ରୀ ପଦରେ ଅଧିଷ୍ଠିତ ହୋଇଛନ୍ତି । ମାତ୍ର ନିର୍ବାଚନ ସମୟର ପ୍ରତିଶୃତି ପ୍ରତି କେବେ ହେଲେ ଗୁରୁତ୍ୱ ଦେଇନଥିବା ବ୍ଲକବାସୀ ଅଭିଯୋଗ କରିଛନ୍ତି । ବନ୍ତ ବ୍ଲକ ସଦର ମହକୁମାରେ ଦୀର୍ଘ ବର୍ଷ ତଳେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ହୋଇଥିବା ବେଳେ ଏଠାରେ ଆବଶ୍ୟକ ଡାକ୍ତର ଓ କର୍ମଚାରୀ ନାହାନ୍ତି । ଜରୁରୀକାଳୀନ ପରିସ୍ଥିତିରେ ରୋଗୀ ମାନେ ବହୁ ଦୂରଦୂରାନ୍ତରୁ ଆସୁଥିବା ବେଳେ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଛି । ସେହିପରି ପ୍ରସୂତୀଙ୍କ ସମେତ ଗୁରୁତର ରୋଗୀଙ୍କ ପାଇଁ କୌଣସି ଶର୍ଯ୍ୟାର ବ୍ୟବସ୍ଥା ନାହିଁ । ବିଶେଷ ଭାବେ ଦୀର୍ଘ ୧୦ ବର୍ଷ ତଳେ ଡାକ୍ତରଖାନାର କର୍ମଚାରୀଙ୍କ ରହିବା ପାଇଁ ନିର୍ମିତ ହେଉଥିବା ଲକ୍ଷାଧିକ ଟଙ୍କାର ଷ୍ଟାପ୍ କ୍ୱାଟର ଏବେ ଅଧପନ୍ତରିଆ ହୋଇ ପଡି ରହିଛି । ତାହାକୁ ଅଦ୍ୟାବଧି ସଂପୂର୍ଣ୍ଣ କରାଯାଉନାହିଁ । ଗତ ୨୦୧୦ ମସିହାରେ ଇଦ୍ପର୍ବ ପାଳନ ବେଳେ ବନ୍ତ ବ୍ଳକର ପଧାନପଡା ଓ ମାଳତୀରା ଗ୍ରାମର ମୁସଲମାନ ମହିଳା ମାନେ ବିଷାକ୍ତ ମେହେନ୍ଦି ବ୍ୟବହାର କରି ଗୁରୁତର ଅବସ୍ଥାରେ ବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିବା ବେଳେ ସେଠାରେ କୌଣସି ଡାକ୍ତର ନଥିବାରୁ ଅଭାବନୀୟ ପରିସ୍ଥିତି ଘଟିଥିଲା । ଉତ୍ତ୍ୟକ୍ତ ଲୋକେ ଡାକ୍ତରଖାନା ପରିସରରେ ନାନାଦି ଭଙ୍ଗାରୁଜା କରିବା ସହ ଅନଶନ କରିଥିଲେ । ସେତେବେଳେ ଖବର ପାଇ ତକ୍ରାଳୀନ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଫୁଲ ସାମଲ ଘଟଣା ସ୍ଥଳ ପରିଦର୍ଶନ କରି ଏକ ମାସ ମଧ୍ୟରେ ଉକ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ ପାଇଁ ପ୍ରତିଶୃତି ଦେଇଥିଲେ । ମାତ୍ର ଏହା ମଧ୍ୟରେ ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଉକ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ କେବଳ ପ୍ରତିଶୃତିରେ ହିଁ ରହିଯାଇଛି । ବନ୍ତ ସଦର ମହକୁମାରେ ଦମକଳ କେନ୍ଦ୍ରଟିଏ ନଥିବାରୁ ସୁଦୂର ଭଣ୍ଡାରିପୋଖରୀ ଓ ଆଗରପଡାରୁ ଅଗ୍ନିଶମ ଗାଡି ଆସି ନିଆଁ ଲିଭାଇବା କଷ୍ଟକର ହୋଇପଡୁଛି । ସେହିପରି ସଦର ମହକୁମାରେ ଉପକୋଷାଗାର ଟିଏ ନଥିବାରୁ ଶହ ଶହ ସରକାରୀ କର୍ମଚାରୀ ୨୦ କିମି ଦୂର ଭଦ୍ରକ ଜିଲା କୋଷାଗାରକୁ ଯାଉଛନ୍ତି । ଭଦ୍ରକ-ଆନନ୍ଦପୁର ୫୩ନଂ. ରାଜ୍ୟ ରାଜପଥର ବନ୍ତ ସଦର ମହକୁମା ହୋଇଥିବାରୁ ଦୈନନ୍ଦିନ ଶହ ଶହ ଯାତ୍ରୀ ଭଦ୍ରକ ଓ କେନ୍ଦୁଝର, ମୟୁରଭଞ୍ଜ ଜିଲାକୁ ଯାତାୟତ କରିଥାନ୍ତି । ମାତ୍ର ସେମାନଙ୍କ ପାଇଁ ସ୍ଥାୟୀ ବସ୍ଷ୍ଟାଣ୍ଡ କିମ୍ବା ଶୌଚାଳୟ ନଥିବାରୁ ଯାତ୍ରୀ ମାନେ ନାନାଦି ସମସ୍ୟାର ସମ୍ମ୍ୁଖୀନ ହେଉଛନ୍ତି । ବନ୍ତ ବ୍ଲକର ସଦର ମହକୁମାରେ ଷ୍ଟେଟ୍ ବ୍ୟାଙ୍କର ଶାଖା ନଥିବାରୁ ଗ୍ରାହକ ମାନେ ଆଗରପଡା, ସେଣ୍ଢତୀରା ଓ ଭଦ୍ରକକୁ ବାଧ୍ୟ ହୋଇ ଯାଉଛନ୍ତି । ବନ୍ତ ବ୍ଲକର ୨୫ଟି ପଞ୍ଚାୟତରେ ଗ୍ରାମ୍ୟ ଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ ଓ ଜଳସେଚନ ବିଭାଗର ରାସ୍ତା ଗୁଡିକ ମରଣଯନ୍ତା ପାଲଟିଥିବା ବେଳେ ସେଥିପ୍ରତି ଜନପ୍ରତିନିଧି କିମ୍ବା ପ୍ରଶାସନ ଗୁରୁତ୍ୱ ଦେଇନାହିଁ । ରାଜ୍ୟ ସରକାର ଗତ ଅଗଷ୍ଟ ମାସରୁ ଆମ ଗାଁ ଆମ ବିକାଶ ଯୋଜନା କାର୍ଯ୍ୟକାରୀ କରିଥିବା ବେଳେ ଏହି ବ୍ଲକରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଗୁଡିକ ତ୍ୱରାନ୍ୱିତ ହୋଇପାରିନାହିଁ । ବ୍ଲକର ବିଭିନ୍ନ ଧାନମଣ୍ଡିରେ ଚାଷୀ ମାନେ ଧାନବସ୍ତା ପକାଇ ଖରା କାକର ଖାଉଥିବା ବେଳେ ସେଥିପ୍ରତି ପ୍ରଶାସନ ଗୁରୁତ୍ୱ ଦେଉନାହିଁ । ଏବେ ଗ୍ରୀଷ୍ମ ପ୍ରବାହ ଜାରି ହୋଇଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ପାନୀୟ ଜଳ ଯୋଗାଣ ଓ ନଳକୂପ ଗୁଡିକ ମରାମତି ପ୍ରତି ଧ୍ୟାନ ଦିଆଯାଉନାହିଁ । ବନ୍ତ ବ୍ଲକର ଏପରି ବିଭିନ୍ନ ସମସ୍ୟା ଗୁଡିକ ରହିଥିବା ବେଳେ ସେଥିପ୍ରତି ଶାସକ ଦଳ ଆଦୌ ଦୃଷ୍ଟି ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ବୁଦ୍ଧିଜୀବି ମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ