ପ୍ରଥମ ଦିନରେ ୬ସରପଞ୍ଚ ପ୍ରାର୍ଥୀ ସହିତ୪୫ଜଣଙ୍କ ପ୍ରାର୍ଥୀପତ୍ର ଦାଖଲ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ତ୍ରିସ୍ତରୀୟ ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ ପାଇଁ ସମସ୍ତ ପ୍ରସ୍ତୁତ ହୋଇଥିବା ବେଳେ ବିଭିନ୍ନ ପଞ୍ଚାୟତରେ ଆଜି ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ତେସିଙ୍ଗା ପଂଚାୟତ ସମେତ ବାଲିପୋଖରୀ, ସରସଦା ଓ ସାନଶାସନ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ୪ଜଣ ପ୍ରାର୍ଥୀ ସରପଞ୍ଚ ପ୍ରାର୍ଥୀ ଭାବେ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିଭଳି ରହଣିଆ ପଂଚାୟତ କାର୍ଯ୍ୟାଳୟ ଠାରେ ଦୁଇ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୱାର୍ଡ ସଭ୍ୟ/ସଭ୍ୟା ପାଇଁ ୩୮ଜଣ ସେମାନଙ୍କ ନାମାଙ୍କନ ପତ୍ର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଛନ୍ତି । ଅନୁରୂପ ଭାବେ ନିୟମ ଅନୁଯାୟୀ ବ୍ଲକ କାର୍ଯ୍ୟାଳୟ ଠାରେ ନିର୍ବାଚନ ଅଧିକାରୀ ତଥା ବିଡ଼ିଓଙ୍କ ନିକଟରେ ଜଣେ ପ୍ରାର୍ଥୀ ସମିତିସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡ଼ିଛି । ଏହାଛଡା ଅନେକ ପ୍ରାର୍ଥୀ ଆଜି ନାମାଙ୍କନ ପତ୍ର ଫର୍ମ କ୍ରୟ କରିଥିବା ବେଳେ ଆସନ୍ତାକାଲି ଠାରୁ ପର୍ଯ୍ୟାୟକ୍ରମେ ପ୍ରାର୍ଥୀ ପତ୍ର ଦାଖଲ କରିବେ ବୋଲି ଜଣାଯାଇଛି ।