ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ମା, ମାଟି, ମାତୃଭାଷାର ସମର୍ପିତ ବ୍ୟକ୍ତିତ୍ୱ ଗୋବିନ୍ଦ ମାହୁନ୍ତ

ଯେଉଁ କେତେଜଣ ମହାନ୍ ବ୍ୟକ୍ତିତ୍ୱ ପୃଥିବୀ ପୃଷ୍ଠରେ ଭୂମିଷ୍ଠ ହୋଇଛନ୍ତି ଏବଂ ସ୍ୱକୀୟ କାର୍ଯ୍ୟ, ନିଷ୍ଠା, ସମୟାନୁବର୍ତ୍ତିତା ଦ୍ୱାରା ଜନମାନସରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି, ସେହିପରି ବ୍ୟକ୍ତିତ୍ୱ ହେଉଛନ୍ତି ଅଦ୍ୱିତୀୟ ଭାଷାପ୍ରାଣ, ପୂଜ୍ୟପୂଜାପ୍ରାଣ, ପ୍ରଜ୍ଞାଦୀପ୍ତ, ସତ୍ୟାନୁରାଗୀ, ମିଷ୍ଟଭାଷୀ, ସରଳ ବ୍ୟକ୍ତିତ୍ୱ ଗୋବିନ୍ଦ ଚନ୍ଦ୍ର ମାହୁନ୍ତ । ୧୯୪୬ ମସିହା ଫେବୃଆରୀ ମାସ ୮ ତାରିଖରେ ତାଙ୍କ ଆବିର୍ଭାବ ହୋଇଥିଲା । ବାଲ୍ୟକାଳରେ ପ୍ରାଥମିକ ଶିକ୍ଷା ନିଜ ଗ୍ରାମ ଭଗବାନପୁର ଅନ୍ତର୍ଗତ ଧର୍ମଶାଳା, ସଂସ୍କୃତିସମ୍ପନ୍ନ ଯାଜପୁର ଜିଲ୍ଲାରେ ହୋଇଥିଲା । ବାଲ୍ୟକାଳରୁ ଖୁବ୍ ମେଧାବୀ, ନିଷ୍ଠାପର ବ୍ୟକ୍ତିତ୍ୱ ଭାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । କର୍ମକ୍ଷେତ୍ରରେ ମଧ୍ୟ ଅନୁରୂପ ଭାବେ କାର୍ଯ୍ୟକରି ସମସ୍ତଙ୍କର ପ୍ରଶଂସାଭାଜନ ହୋଇପାରିଥିଲେ । ୧୯୬୫ ମସିହାରେ ଜାଗୁଳେଇ ହାଇସ୍କୁଲରୁ ମ୍ୟାଟ୍ରିକ୍ ପାସ୍ କରିବା ପରେ ଆଉ ପଛକୁ ଫେରି ଚାହିଁ ନଥିଲେ । ୧୯୭୦ ମସିହାରେ ରାଜ୍ୟ ସଚ୍ଚିବାଳୟ, ବର୍ତ୍ତମାନର ଲୋକସେବା ଭବନରେ କାର୍ଯ୍ୟ ଆରମ୍ଭ କରି ୨୦୦୫ ମସିହା ୍ରଅପ୍ରେଲ ୩୦ରେ ଜଙ୍ଗଲ ବିଭାଗର ଅନୁଶାସନ ସଚିବ ପଦବୀରୁ ଅବସର ଗ୍ରହଣ କରିଥିଲେ । ଅଭିମନ୍ୟୁ ସ୍ମୃତି ସଂସଦର ଜଣେ ପ୍ରଚାରକ ଓ ପ୍ରସାରକ ଭାବେ ତଥା ଓଡ଼ିଶାର ସାହିତ୍ୟ, କଳା, ସଂସ୍କୃତି ପ୍ରମୁଖକୁ ବିଶ୍ୱ ଦରବାରରେ ପହଞ୍ଚାଇବାର କାର୍ଯ୍ୟ, ଯାହା ସେ କରିଛନ୍ତି, ତାହାର ପଟ୍ଟାନ୍ତର ନାହିଁ । ଶିକ୍ଷା ବିଭାଗ, ଜଙ୍ଗଲ ବିଭାଗ ଏବଂ ପରେ ରେଡକ୍ରସ୍‌ର ଅଧିକାରୀ ଭାବେ ଯୋଗଦେଇ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ । ଯେକୌଣସି ସାମାଜିକ କାର୍ଯ୍ୟ, ଚାଷୀମାନଙ୍କ ପାଇଁ ଲଢ଼େଇ, ଅଭିମନ୍ୟୁ ସ୍ମୃତି ସଂସଦର ଉପସଭାପତି ଭାବେ କାର୍ଯ୍ୟ କରିବା, ନିଶା ନିବାରଣ, ଭାଷା ପାଇଁ କାର୍ଯ୍ୟ କରିବା ପ୍ରମୁଖ ତାଙ୍କ ଉଲ୍ଲେଖନୀୟ କୃତୀ ଥିଲା । ଓଡ଼ିଶାରେ ଭାଷା, ସାହିତ୍ୟ ପ୍ରମୁଖର ସୁରକ୍ଷା କିପରି ହୋଇପାରିବ, ସେ ଦିଗରେ ସଦା ତତ୍ପର ରହୁଥିଲେ । ଅଭିମନ୍ୟୁ ସାମନ୍ତସିଂହାର ମାର୍ଗ ଯାହାକି ରାଜ୍ୟ ସରକାର ତାଙ୍କ ନାମରେ ନାମିତ କରିଥିଲେ, ମାତ୍ର ପୁନର୍ବାର ଅଭିମନ୍ୟୁଙ୍କ ନାମରେ ମାର୍ଗକୁ କରିବା ଦିଗରେ କୌଣସି ପଦକ୍ଷେପ ନେଇ ନଥିଲେ । ଏହାର ପ୍ରତିବାଦରେ ସେ ବହୁ ସାଂସ୍କୃତିକ ଓ ବୌଦ୍ଧିକ ସଂଘର୍ଷମାନ ନିଜ ଶେଷ ଜୀବନ ପର୍ଯ୍ୟନ୍ତ ଜାରି ରଖିଥିଲେ । ଏହି ପରିପ୍ରେକ୍ଷୀରେ ଐତିହାସିକ ଅଶ୍ୱମୂର୍ତ୍ତିକୁ ସ୍ଥାନାନ୍ତରକୁ ବିରୋଧ କରି ତାଙ୍କର ଆବେଗ ବେଶ ମର୍ମସ୍ପର୍ଶୀ ଥିଲା । ଜଣେ ବରିଷ୍ଠ, ପୂଜ୍ୟପୂଜା ପ୍ରାଣ ଭାବରେ ସେ ସମସ୍ତଙ୍କ ପ୍ରିୟପାତ୍ର ହେବା ସହିତ ତାଙ୍କ ଶରୀର ଓ କାର୍ଯ୍ୟ ଉତ୍କଳମଣି ଗୋପବନ୍ଧୁଙ୍କ ସହିତ ସାମଞ୍ଜସ୍ୟ ରହୁଥିବାରୁ ଶ୍ରଦ୍ଧାରେ ପୂଜ୍ୟପୂଜାପ୍ରାଣମାନେ ତାଙ୍କୁ ଗୋପବନ୍ଧୁ ବୋଲି ସମ୍ବୋଧନ କରୁଥିଲେ । ଜଣେ ସରଳ, ନିଷ୍କପଟ, ଅମାୟିକ ବ୍ୟକ୍ତି ଭାବରେ ସଦା ସେ ଚିର ଅମର ରହିବେ । ସେ ଆମଠାରୁ ଗତ ସେପ୍ଟେମ୍ବର ୮, ୨୦୨୧ ମସିହାରେ ଅଶ୍ରୁଳ ବିଦାୟ ନେଇଛନ୍ତି । ଏହିପରି ଜଣେ ସରଳ, ନିଷ୍ଠାପର, ସ୍ୱାଭିମାନୀ ବ୍ୟକ୍ତିତ୍ୱଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ।
ଅରବିନ୍ଦ ତ୍ରିପାଠୀ
ମୁଖପାତ୍ର
ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ
ମୋ : ୯୯୩୭୬୮୯୬୮୩

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ