“ଅମ୍ଳାନ ବସନ୍ତ”
ବସନ୍ତ ଋତୁ ଆସେ ଆଉ ଚାଲିଯାଏ, ଆଉ ଏବେ ତ ଋତୁ ଚକ୍ରରେ ବି କେତେବେଳେ ବସନ୍ତ ଆସି ଚାଲିଯାଉଛି ଜଣା ବି ପଡୁନି । ଏ କଂକ୍ରିଟ ସହରର କଳା ମଚ ମଚ ପିଚୁ ରାସ୍ତା ଭଳି ମଣିଷ ହୃଦୟ ବି କଠିନ ହେବାରେ ଲାଗିଛି । ହେଲେ ଆପଣ ତ ଚିର ବସନ୍ତ…. ଅମ୍ଳାନ ବସନ୍ତ । ହିସାବ କହୁଛି ଆପଣ ଶରୀର ତ୍ୟାଗ କରିବା ୧୯ ବର୍ଷ ହେଲା କିନ୍ତୁ ଆପଣ ଗୀତାର ସେ ଶ୍ଳୋକ ଆତ୍ମା ଅମର ତାହାର ଏକ ଜ୍ୱଳନ୍ତ ଉଦାହରଣ । ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ର ପୋଷାକରେ, ସେ ପରିସରର ପ୍ରତ୍ୟେକ ବୃକ୍ଷରେ, ରାଜ୍ୟ ମୁଖ୍ୟ କମିଶନରଙ୍କ ବକ୍ତବ୍ୟରେ, କୁନି କୁନି ପିଲାଙ୍କ ଆପରଙ୍କ ଶ୍ରାଦ୍ଧ ଦିବସ ପାଳନରେ, ଦଳ-ମତ ନିର୍ବିଶେଷରେ ଓଡିଶାର କୋଟି କୋଟି ଲୋକଙ୍କ ହୃଦୟରେ ଆପଣ ଅମର ହୋଇ ରହିଛନ୍ତି । କଥାରେ ଅଛି ‘ଶ୍ରଦ୍ଧାରେ ଶ୍ରାଦ୍ଧ’ । ଏ ସଂସ୍ଥା ଲାଗି ଆପଣଙ୍କ ବଳିଷ୍ଠ ଅବଦାନ ୨୦୦୩ ପରଠାରୁ ପ୍ରତ୍ୟେକ ବର୍ଷ ଆପଣଙ୍କ ଦିନଟିକୁ “ବସନ୍ତ ଦିବସ” ଭାବେ ପାଳନ କରି ଆସୁଛି ଏ ସ୍କାଉଟ ସଂସ୍ଥା । ଉପରେ ରାଗ ଆଉ ସବୁ ପ୍ରସ୍ତାବରେ ନା’ ହେଇପାରିବିନି କହୁଥିବା ମଣିଷ ଠିକ୍ ସମୟରେ ପ୍ରସ୍ତାବକୁ ବାସ୍ତବ କରି ଦେଖାନ୍ତି । ଆଜି ବି ପିଲାମାନେ ଶୁଣନ୍ତି ଆପଣଙ୍କ ଅବଦାନ ଯେଉଁ ପିଲା ଆପଣଙ୍କୁ ଦେଖିବି ନାହାନ୍ତି କିନ୍ତୁ ଆପଣଙ୍କ ବିଷୟରେ ବକ୍ତୃତା ଦେବା ଲାଗି ଠିଆ ହୁଅନ୍ତି ଶୁଣିଲେ ଲାଗେ ସତେ ବା ଆପଣ ତାଙ୍କ ଆଗରେ ଠିଆ ହେଇଛନ୍ତି । ଏହିଦିନ ସ୍କାଉଟିଂ କ୍ଷେତ୍ରରେ ବିଭିନ୍ନ ଜିଲ୍ଲାରେ ଉତ୍କୃଷ୍ଟତା ପ୍ରତିପାଦନ କରିଥିବା ଶିକ୍ଷକ-ଶିକ୍ଷୟିତ୍ରୀ-ପ୍ରଧାନଶିକ୍ଷକମାନଙ୍କୁ “ବସନ୍ତ ବିଶ୍ୱାଳ ସମ୍ମାନ”ରେ ସମ୍ମାନୀତ କରାଯାଇ ଆସୁଛି । ଆମ ସୌଭାଗ୍ୟ ଆପଣଙ୍କୁ ଦେଖିଛୁ, ଆପଣଙ୍କ ନେତୃତ୍ୱରେ କିଛି ବର୍ଷ କାମ କରିଛୁ । ରାଜ୍ୟ ମୁଖ୍ୟ କମିଶନରଙ୍କ ଠାରୁ ଆପଣଙ୍କ ସହ ବିଭିନ୍ନ ସମୟର ଅଭିଜ୍ଞତା ଶୁଣିଲେ ଲାଗେ ଆପଣ ଏଇଠି କଉଠି ଅଛନ୍ତି । ଆଜି ବି ପିଲାମାନେ ଏବଂ ବିଭିନ୍ନ ଜିଲ୍ଲାରୁ ଆସିଥିବା ସ୍କାଉଟ ମାଷ୍ଟର-ଗାଇଡ୍ କ୍ୟାପଟେନମାନେ ଆପଣଙ୍କୁ ମନେପକେଇ ଆମ ସମସ୍ତଙ୍କୁ ମନେ ପକେଇ ଦେଲେ ଆପଣ ଅମର । “ବସନ୍ତ ଦିବସ” ପାଳନ ଆପଣଙ୍କ ଲାଗି ଏ ସଂସ୍ଥାର ଶ୍ରଦ୍ଧାର ପ୍ରତୀକ । ସେଥିଲାଗି ତ ଏ ଭାଦ୍ରବ ମାସରେ ବି ଆପଣ ବସନ୍ତର ଅନୁଭୂତି ଦେଉଛନ୍ତି । ଦିନ ଯାଏ ଚିହ୍ନ ରହିଯାଏ, ଆପଣ ଚାଲିଯାଇଛନ୍ତି କିନ୍ତୁ ଆପଣ କର୍ମ ଆଜି ବି ଆପଣଙ୍କୁ ଆମ ସମସ୍ତଙ୍କ ହୃଦୟରେ ଜୀବିତ ରଖିପାରିଛି । ଆତ୍ମା ସଦ୍ଗତି ନିଶ୍ଚିତ ପାଇଥିବ ହେଲେ ବି ଆମ ପାଖେ ପାଖେ ରହି ଦିଗବାରେଣୀ ଖୁଂଟି ଭଳି ଆମକୁ ରାସ୍ତା ଦେଖାଉଛନ୍ତି । ସ୍ୱର୍ଗତ ବସନ୍ତ ବିଶ୍ୱାଳ ସତରେ ଅମର …..ଅମ୍ଳାନ ।
ଆପଣଙ୍କର ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ପରିବାର


