ପ୍ରଦୂଷଣ ଯୁଦ୍ଧରେ ୪୩% ଜିଏସ୍ଟି ବାଧକ କମିଲା ୭୬% ହ୍ରାଇବ୍ରିଡ୍ କାର ବିକ୍ରି

ନୂଆଦିଲ୍ଲୀ, (ଏଜେନ୍ସି): ପର୍ଯ୍ୟାବରଣ ଦୃଷ୍ଟିରୁ ବିଶ୍ୱର ୧୮୦ଦେଶର ର‌୍ୟାଙ୍କିଂ ମଧ୍ୟରୁ ୧୭୭ତମ ସ୍ଥାନକୁ ଆସିଥିବା ଭାରତରେ ହ୍ରାଇବ୍ରିଡ଼୍ କାର୍ ଉପରେ ଉଚ୍ଚ ମୂଲ୍ୟ ପର୍ଯ୍ୟାବରଣ ସୁଧାର ମାମଲାରେ ବାଧକ ସାଜିଛି । ୨୦୧୭ରେ ଜିଏସ୍ଟି ଲାଗୁ ହେବା ପରେ ଏହି କାରଣ ମଧ୍ୟ ପେଟ୍ରୋଲ୍ ଓ ଡିଜେଲ୍ କାର୍ ପରି ଉଚ୍ଚ ଟିକସ ବିଭାଗ ଭୁକ୍ତ ହୋଇଯାଇଥିଲା । ଏଥିସହ କେତେକ କାର୍ ଉପରେ ଟିକସ ହାର ୪୩% ପର୍ଯ୍ୟନ୍ତ ପହଞ୍ଚିଛି । ଯଦ୍ୱାରା ହାଇବ୍ରିଡ଼୍ କାର୍ ବିକ୍ରିରେ ଜିଏସ୍ଟି ଲାଗୁ ହେବାର ବର୍ଷେ ମଧ୍ୟରେ ୭୬% ହ୍ରାସ୍ ଦେଖିବାକୁ ମିଳିଛି । ସେହିପରି ମହିନ୍ଦ୍ର ଆଣ୍ଡ ମହିନ୍ଦ୍ରା ପରି କମ୍ପାନୀଗୁଡ଼ିକୁ ସ୍କର୍ପିୟୋର ପ୍ରତିଷ୍ଠିତ କାର୍ର ହାଇବ୍ରିଡ଼୍ ମଡ଼େଲ୍କୁ ବ୍ରେକ୍ ଲଗାଇବାକୁ ପଡ଼ିଥିବା ବେଳେ ଜାପାନ କମ୍ପାନୀ ଟୟୋଟା ମଧ୍ୟ ନିଜର ଭବିଷ୍ୟତର ପ୍ରକଳ୍ପକୁ ଅଟକାଇଦେଇଛି । ଇଲେକ୍ଟ୍ରିକ୍ କାର୍ ଓ ହାଇବ୍ରିଡ଼୍ କାର୍ରେ ସାମାନ୍ୟ ପାର୍ଥକ୍ୟ ରହିଛି । ତାହା ହେଉଛି ଇଲେକ୍ଟ୍ରିକ୍ କାର୍ ବ୍ୟାଟେରିରେ ଚାଲୁଥିବା ବେଳେ ହାଇବ୍ରିଡ଼୍ କାର୍ ପାରମ୍ପରିକ ଇଞ୍ଜିନର କିଛି ଅଂଶ ବ୍ୟବହାର କରି ଏହା ଭିତରେ ଲାଗିଥିବା ବ୍ୟାଟେରୀରେ ଚାଲିଥାଏ । ହେଲେ ଭାରତର ଏହି କାର୍ ଦ୍ୱୟର ଟିକସରେ ୩୧%ର ପାର୍ଥକ୍ୟ ରହିଛି । ଇଲେକ୍ଟ୍ରିକ୍ କାର୍ରେ କେବଳ ୨% ଟିକସ ଲାଗୁ ଥିବା ବେଳେ ଏଥିରେ କୌଣସି ସର୍ଚାର୍ଜ ମଧ୍ୟ ଦେବାକୁ ପଡ଼ିନଥାଏ । ସେହିପରି ହାଇବ୍ରିଡ଼୍ କାର୍ରେ କେବଳ ଯେ ୨୮% ଟିକସ ଲାଗିଥାଏ ତାହା ନୁହେଁ ବରଂ ୧୫% ସର୍ଚାର୍ଜ ମଧ୍ୟ ଦେବାକୁ ପଡ଼ିଥାଏ । ଦେଶରେ ହାଇବ୍ରିଡ଼୍ କାର୍ର ନିର୍ମାଣକୁ ପ୍ରୋତ୍ସାହିତ କରିବା ପାଇଁ ଜାପାନର ଟୟୋଟା, ହୋଣ୍ଡା ମାରୁତି ସହିତ କେତେକ କମ୍ପାନୀ ଧାଡ଼ିରେ ରହିଛନ୍ତି । ଭାରତରେ ୨୦୨୧ ପର୍ଯ୍ୟନ୍ତ ହାଇବ୍ରିଡ଼୍ କାର୍ର ନୂଆ ରେଞ୍ଜ ଓ ମଡ଼େଲ୍ ଲଞ୍ଚ୍ କରିବା ପାଇଁ କାମ କରୁଛନ୍ତି । ଏପରିସ୍ଥଳେ ସରକାର ଏହି କାର୍ ଉପରେ ଜିଏସ୍ଟି ହାରକୁ କମାଇବା ଉପରେ ମଧ୍ୟ ବିଚାର କରୁଅଛି । ରୋଡ଼୍ ଆଣ୍ଡ ଟ୍ରାନ୍ସପୋର୍ଟ ମନ୍ତ୍ରଣାଳୟ ଏହି ମାମଲାରେ ନିଜ ସୁପାରିଶ୍ ଅର୍ଥମନ୍ତ୍ରଣାଳୟକୁ ପଠାଇବ । ଏଥିସହ ଏହି କାର୍ ଉପରେ ଲାଗୁଥିବା ଟିକସକୁ ୪୩%ରୁ ହ୍ରାସ୍ କରି ୨୫% କରାଯିବାର ମଧ୍ୟ ସମ୍ଭାବନା ରହିଛି । ତେବେ କିଛଇ ମିଡ଼ିଆ ରିପୋର୍ଟସ୍ରେ ଟିକସ ହାରକୁ ୩୫% କରାଯିବାର ପ୍ରସ୍ତାବ ମଧ୍ୟ ରହିଛି । ଜୁଲାଇ ୧, ୨୦୧୭ରେ ଦେଶରେ ଜିଏସ୍ଟି ଲାଗୁ ହେବା ପୂର୍ବରୁ ହାଇବ୍ରିଡ଼୍ କାର୍ରେ ୨୪% ସୀମା ଶୁଳ୍କ ସହ ଏସ୍ୟୁଭି ଓ ଉଚ୍ଚ କାପାସିଟି କାର୍ ଉପରେ ୪% ଅତିରିକ୍ତ ଟିକସ ଲଗାଯାଉଥିଲା । ହେଲେ ଜିଏସ୍ଟି ଲାଗୁ ହେବା ପରେ ସରକାର ହାଇବ୍ରିଡ଼୍ କାର୍କୁ ଅନ୍ୟ କାର୍ ସହିତ ୨୮% ଟିକସରେ ସାମିଲ କରିବା ସହ ଏଥିରେ ୧୫% ଅତିରିକ୍ତ ସର୍ଚାର୍ଜ ମଧ୍ୟ ଲଗାଇଥିଲେ । ଏହାଦ୍ୱାରା ସମୁଦାୟ ଗ୍ରାହକଙ୍କୁ ଏଥିରେ ୪୩% ଟିକସ ଦେବାକୁ ପଡ଼ିଲା । ଜିଏସ୍ଟି ଲାଗୁ ହେବା ପରେ ହାଇବ୍ରିଡ଼୍ କାର୍ ବିକ୍ରିରେ ୭୬% ହ୍ରାସ୍ ହୋଇଥିଲା । ଅନ୍ୟପକ୍ଷରେ ବର୍ତ୍ତମାନ ଗ୍ରାହକ ବିଶେଷ କରି ପେଟ୍ରୋଲ୍ ଓ ଡିଜେଲ୍ କାର୍ ବିଶେଷ ଭାବେ ପସନ୍ଦ କରୁଛନ୍ତି । ଜିଏସ୍ଟି ଲାଗୁ ପୂର୍ବରୁ ଟୟୋଟା ଓ କ୍ୟାମରୀ କାର୍ର ମୂଲ୍ୟ ୩୨ଲକ୍ଷରୁ ବୃଦ୍ଧି ପାଇ ୩୭ଲକ୍ଷ ହୋଇଥିଲା । ଯଦ୍ୱାରା କାର୍ ବିକ୍ରି ଏକ ତୃତୀୟାଂଶରେ ରହିଥିବା ବେଳେ ମାରୁତିର ହାଇବ୍ରିଡ଼୍ କାର୍ର ବିକ୍ରିରେ ମଧ୍ୟ ହ୍ରାସ୍ ଦେଖିବାକୁ ମିଳିଛି । କେନ୍ଦ୍ର ସରକାର ଇଲେକ୍ଟ୍ରିକ୍ ଗାଡ଼ି ପ୍ରଚଳନ ବୃଦ୍ଧି କରାଇବା ପାଇଁ ୨୦୧୫ ଏପ୍ରିଲ୍ ୧ରୁ ଆରମ୍ଭ କରାଯାଇଥିବା ଫାଷ୍ଟର ଆଡ଼ପ୍ସନ୍ ଆଣ୍ଡ ମାନ୍ୟୁଫାକ୍ଚରିଂ ଅଫ୍ ଇଲେକ୍ଟିକାଲ୍ ଭେଇକିଲ୍ ଇନ୍ ଇଣ୍ଡିଆ (ଫାମେ) ଯୋଜନାରେ ସାମନ୍ୟ ଚାହିଦା ଦେଖିବାକୁ ମିଳିଥିଲା । ଏହି ଯୋଜନାକୁ ୨୦୧୭ ସୁଦ୍ଧା ଜାରି ହେବାର ଥିଲା । ହେଲେ ପରେ ଏହାକୁ ୨୦୧୮ ଓ ପରବର୍ତ୍ତୀ ସମୟରେ ୨୦୧୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଚଳିତ ବର୍ଷ ମାର୍ଚ୍ଚରେ ଏହାର ଦ୍ୱିତୀୟ ସଂସ୍କରଣ ଲଞ୍ଚ୍ କରାଯାଇଛି । ଗତ ୪ବର୍ଷର ଅବଧିରେ ୨,୭୮,୬୯୧ଇଲେକ୍ଟ୍ରିକ୍ ଗାଡ଼ି ହିଁ ବିକ୍ରି ହୋଇଛି । ଏହି ଯୋଜନା ଅଧିନରେ ଏଯାବତ୍ ଗାଡ଼ି ମାଲିକମାନେ ୩୪୩କୋଟି ଟଙ୍କାର ସବ୍ସିଡ଼ିର ହିଁ ଦାବି କରିଛନ୍ତି । ଫାମେର ମାର୍ଚ୍ଚରେ ଆରମ୍ଭ ହୋଇଥିବା ଦ୍ୱିତୀୟ ସ୍ତରରେ ସରକାର ହାଇବ୍ରିଡ଼୍ କାର୍କୁ ମଧ୍ୟ ସବ୍ସିଡ଼ି ପରିସରଭୁକ୍ତ କରାଯାଇଛି । କାର୍ରେ ସବିସିଡ଼ି ବ୍ୟାଟେରିର କ୍ଷମତା ଦୃଷ୍ଟିରୁ ହିଁ ଦିଆଯାଉଛି । ତେବେ ପ୍ରତି କିଲେୱାଟ୍ରେ ୧୦ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି । ଏହି ପ୍ରୋତ୍ସାହନ ରାଶି ଦ୍ୱାରା ଟୟୋଟାର କ୍ୟାମରୀ କାର୍ ୭୦ହଜାର ଟଙ୍କା ଶସ୍ତା ହୋଇଯାଇଥିବା ବେଳେ ଭଲ୍ଭୋର ୨କୋଟି ୩୦ଲକ୍ଷ ମୂଲ୍ୟ ଯୁକ୍ତ ହାଇବ୍ରିଡ଼୍ ବସ୍ ଉପରେ ୬୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବ୍ସିଡ଼ି ଦିଆଯାଉଛି । ଏହି ଯୋଜନାର ନୂଆ ବିଜ୍ଞପ୍ତିରେ ସରକାର ଗାଡ଼ି ଚାଳକଙ୍କ ପାଇଁ ୮୫୯୬କୋଟି ଟଙ୍କାର ବଜେଟ୍ ନିର୍ଦ୍ଧାରିତ କରିଛନ୍ତି । ଏଥିରେ ୨ହଜାର କୋଟି ଟଙ୍କାର ବଜେଟ୍ ଦୁଇଚକିଆ ଯାନ, ତିନିଚକିଆ ଯାନ ପାଇଁ ୨୫୦୦କୋଟି, ଇଲେକ୍ଟ୍ରିକ୍ କାର୍ ପାଇ ୫୨୫କୋଟି, ହାଇବ୍ରିଡ଼୍ କାର୍ ପାଇଁ ୨୬କୋଟି ଓ ଇଲେକ୍ଟ୍ରିକ୍ ବସ୍ ପାଇଁ ୩୫୪୫କୋଟି ଟଙ୍କାର ସବ୍ସିଡ଼ି ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ହେଲେ ଯୋଜନା ପ୍ରଚାରର ଅଭାବ ଯୋଗୁଁ ଏହି ଲକ୍ଷ୍ୟ ହାସଲ କରିବା କଷ୍ଟସାଧ୍ୟ ହୋଇପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ