ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା “ପ୍ରତି ବୁନ୍ଦା, ଅଧିକ ଶସ୍ୟ”
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ କୃଷି ସହଯୋଗ ଏବଂ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା (ପିଏମକେଏସୱାଇ- ପିଡ଼ିଏମସି) କାର୍ଯ୍ୟକ୍ରମ ଅଧୀନରେ “ପ୍ରତି ବୁନ୍ଦା ଅଧିକ ଉତ୍ପାଦନ”ଯୋଜନା କାର୍ଯ୍ୟକାରୀ କରାଯାଉଛି । କୃଷିକ୍ଷେତ୍ରରେ ଅଣୁ ଜଳସେଚନ ପ୍ରଯୁକ୍ତିର ବ୍ୟବହାର ମାଧ୍ୟମରେ ଜଳର ସର୍ବାଧିକ ଉପଯୋଗ କରାଯିବା ଉପରେ ଏଥିରେ ଗୁରୁତ୍ୱ ଆରୋପ କରାଯାଉଛି । ଡ୍ରିପ୍ ଅଣୁ ଜଳସେଚନ ପ୍ରଯୁକ୍ତି ଦ୍ୱାରା କେବଳ ଜଳ ସଂଚୟ କରାଯାଇନଥାଏ ଅପରନ୍ତୁ ଏହି ବ୍ୟବସ୍ଥା ଉପଯୋଗ ଦ୍ୱାରା କମ୍ ସାର, କମ୍ ଶ୍ରମ ବ୍ୟୟ ଏବଂ ଅନ୍ୟାନ୍ୟ ଚାଷଜନିତ ବ୍ୟୟ ମଧ୍ୟ ହ୍ରାସ ହୋଇଥାଏ । ଚଳିତ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ନିମନ୍ତେ ମୋଟ ୪୦୦୦କୋଟି ଟଙ୍କା ମଞ୍ଜୁର କରାଯାଇଛି ଏବଂ ତାହା ରାଜ୍ୟ ସରକାରମାନଙ୍କୁ ପ୍ରଦାନ ଆରମ୍ଭ ହୋଇସାରିଛି । ରାଜ୍ୟ ସରକାରମାନେ ଏହି କାର୍ଯ୍ୟକ୍ରମ ପାଇଁ ହିତାଧିକାରୀ ଚୟନ କରିସାରିଛନ୍ତି । ୨୦୨୦-୨୧ଆର୍ଥିକ ବର୍ଷ ନିମନ୍ତେ କେତେକ ରାଜ୍ୟ ପାଇଁ ପାଣ୍ଠି ଯୋଗାଣ ପ୍ରକ୍ରିୟା ଏବେ ସୁଦ୍ଧା ଆରମ୍ଭ କରାଯାଇଛି । ଅଧିକନ୍ତୁ, ଅଣୁ ଜଳସେତନ ପାଣ୍ଠି କର୍ପସ ପାଇଁ ୫୦୦୦କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ଯାହାକି ନାବାର୍ଡ଼ ସହଯୋଗରେ ସୃଷ୍ଟି କରାଯାଇଛି । ଏହି ପାଣ୍ଠି ସୃଷ୍ଟିର ଉଦ୍ଦେଶ୍ୟ ହେଲା ରାଜ୍ୟମାନଙ୍କୁ ଅଣୁ ଜଳସେଚନର କ୍ଷେତ୍ର ସଂପ୍ରସାରଣ ପାଇଁ ସମ୍ବଳ ଯୋଗାଣ କରିବା । ସେଥିପାଇଁ ସ୍ୱତନ୍ତ୍ର ଏବଂ ଅଭିନବ ପ୍ରକଳ୍ପମାନ ସୃଷ୍ଟି କରାଯିବ । ପିଏମକେଏସୱାଇ- ପିଡ଼ିଏମସି ଅଧୀନରେ ଯେଉଁଭଳି ପାଣ୍ଠି ଯୋଗାଣର ବ୍ୟବସ୍ଥା ରହିଛି ତାହା ବାହାରେ ଏଭଳି ପ୍ରୋତ୍ସାହନ ରାଶି ଯୋଗାଣ କରାଯିବ । ଏହାଦ୍ୱାର କୃଷକମାନେ ସେମାନଙ୍କ କୃଷିକ୍ଷେତରେ ଅଣୁ ଜଳସେଚନ ପ୍ରକଳ୍ପ ସ୍ଥାପନ ପାଇଁ ପ୍ରୋତ୍ସାହିତ ହେବେ । ଏପର୍ଯ୍ୟନ୍ତ, ଅଣୁ ଜଳସେଚନ ପାଣ୍ଠି ରାଶି ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁ ଭଳି ରାଜ୍ୟଙ୍କୁ ଯୋଗାଇ ଦିଆଯାଇଛି । ଏହି ଦୁଇ ରାଜ୍ୟକୁ ନାବାର୍ଡ଼ ମାଧ୍ୟମରେ ଯଥାକ୍ରମେ ୬୧୬.୧୪କୋଟି ଏବଂ ୪୭୮.୭୯କୋଟି ଟଙ୍କା ଯୋଗାଇ ଦିଆଯାଇଛି । ଏଥିରେ ଆନ୍ଧ୍ର ପ୍ରଦେଶରେ ୧.୦୨୧ ଲକ୍ଷ ହେକ୍ଟର ଏବଂ ତାମିଲ ନାଡ଼ୁରେ ୧.୭୬ ଲକ୍ଷ ହେକ୍ଟର ଜମିରେ ଅଣୁ ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଜଳସେଚନ କାର୍ଯ୍ୟକାରୀ ହୋଇପାରିବ । ଗତ ପାଞ୍ଚ ବର୍ଷ ୨୦୧୫-୧୬ ଠାରୁ ୨୦୧୯-୨୦ମଧ୍ୟରେ ୪୬.୯୬ଲକ୍ଷ ହେକ୍ଟର ଜମିରେ ପିଏମକେଏସୱାଇ- ପିଡ଼ିଏମସି ମାଧ୍ୟମରେ ଅଣୁ ଜଳସେଚନ ବ୍ୟବସ୍ଥା କରାଯାଇଛି ।


