ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନାଉଗାଁ-ବଛାଳୋ ରାସ୍ତା ନିର୍ମାଣ ରେ ନିମ୍ନମାନର କାର୍ଯ୍ୟ

ନାଉଗାଁ,(ଓ୍ବାଇଏନ୍ଏସ୍):ଜଗତସିଂହପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନ ନାଉଗାଁ ବ୍ଳକରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନାଉଗାଁ ଠାରୁ ବଛାଳୋ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଉଛି । ଏହି ରାସ୍ତାର ଦୈର୍ଘ ୬ କିମି ୫ ଶହ ମିଟର ରହିଥିବା ବେଳେ କଂକ୍ରିଟ ଢଳେଇ କାର୍ଯ୍ୟ ୩ କି.ମି ୯୩୫ ମିଟର ଓ ୨ କି.ମି ୫୬୫ ମିଟର ପିଚୁ ରାସ୍ତା ନିର୍ମାଣ କରାଯିବା ପାଇଁ ନିର୍ଦ୍ଦେଶ ରହିଛି । ଏହି ରାସ୍ତା ନିର୍ମାଣ ପାଇଁ ମୋଟ ୨ କୋଟି ୭୩ ଲକ୍ଷ ୩୬ ହଜାର ୯୭୧ ଟଙ୍କାର ଅର୍ଥ ମଂଜୁର କରାଯାଇଛି । ସୂଚନା ଫଳକରୁ ମିଳିଥିବା ତଥ୍ୟ ଅନୁସାରେ ଏହି ରାସ୍ତାଟି ନିର୍ମାଣ କରିବା ପାଇଁ ପବିତ୍ର ମୋହନ ନାୟକଙ୍କୁ ଠିକାଦାର ଭାବେ ନିର୍ଦ୍ଦେଶାନାମ ପ୍ରଦାନ କରାଯାଇଛି । ଉକ୍ତ ରାସ୍ତାର କାର୍ଯ୍ୟ ଆରମ୍ଭ ୨୦୧୯ ଜୁନ ୧୬ ତାରିଖ ରହିଥିବା ବେଳେ କାର୍ଯ୍ୟ ଶେଷ କରିବାର ଅବଧି ୨୦୨୦ ମେ ୧୧ ତାରିଖ ରହିଛି । ଏହି ରାସ୍ତା ନିର୍ମାଣରେ ୨ହଜାର ୮ଶହ ୬୪ଟ୍ରକ ମାଟି ପକାଯିବା ପରେ ପାଣି ପକାଯାଇ ରୋଲିଂଗ କରାଯିବ । ଏହା ସହିତ ଗ୍ରାନୁଲାର ସବ ବେସରେ ପାଣି ପକା ଯାଇ ୨୮୬ ଟ୍ରକ ପଥର ଗୁଣ୍ଡ ରୋଲିଂଗ କରାଯିବାର ନିୟମ ରହିଛି । ମେଟାଲ ସ୍ତରରେ ରାସ୍ତା କାର୍ଯ୍ୟ ପାଇଁ ୨୮୫ ଟ୍ରକ ମେଟାଲ, ଓ ୬୮ ଟ୍ରକ ପଥର ଗୁଣ୍ଡ ବ୍ୟବହାର କରାଯିବାର ନିର୍ଦ୍ଦେଶ ରହିଛି । ବର୍ତମାନ ସାରା ଦେଶରେ କରୋନା ଭୁତାଣୁ ସଂକ୍ରମଣ ବୃଦ୍ଧି ପାଉଥିବାରୁ ତୃତୀୟ ପର୍ଯ୍ୟାୟ ଲକ ଡାଉନ ଚାଲୁ ରହିଛି । ଏହି ଲକ ଡାଉନ ସମୟରେ ଠିକାଦାର ରାସ୍ତା କାର୍ଯ୍ୟ ମନଇଚ୍ଛା କରୁଥିବାର ଜଣାଯାଇଛି । ବିଭାଗୀୟ ଅଧିକାରୀ ଅନୁପସ୍ଥିତ ରହୁଥିବା ବେଳେ ଠିକାଦାର ରାସ୍ତାରେ ବାଲି ମିଶା ପଥର ଗୁଣ୍ଡ ପକାଉଥିବା ଦେଖାଦେଇଛି । ବିଭାଗୀୟ ଯନ୍ତ୍ରୀଙ୍କ ସୂଚନା ମୁତାବକ ବ୍ୟବହାର କରାଯାଉଥିବା ମେଟାଲର ସାଇଜ ୫୩ ଏମଏମରୁ କମ ରହିବା କଥା । କିନ୍ତୁ ସଂପୃକ୍ତ ଠିକଦାର ନିୟମ ମୁତାବକ ଠାରୁ ଉର୍ଦ୍ଧ ସାଇଜର ମେଟାଲ ବ୍ୟବହାର କରୁଥିବା ଦେଖାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ରାସ୍ତାଟି ନାଉଗାଁ, ଅଲଣା-୨, ବଛାଳୋ ଆଦି ଗ୍ରାମକୁ ସଂଯୋଗ କରୁଥିବା ବେଳେ ରାସ୍ତାର ଉଭୟ ପାଶ୍ୱର୍ରେ ଚାଷ ଜମି ରହିଛି । ଚାଷ ଜମିରୁ ଉଦବୃତ ଜଳ ନିଷ୍କାସନ ପାଇଁ ଏହି ରାସ୍ତାରେ ୧୦ଟି ନୂତନ କଲଭର୍ଟ ନିର୍ମାଣ ପାଇଁ ସୂଚନା ଫଳରେ ଦର୍ଶାଯାଇଛି । କିିନ୍ତୁ ସଂପୃକ୍ତ ଠିକଦାର କଲର୍ଭଟ ଗୁଡିକ ନୂତନ ଭାବେ ନିର୍ମାଣ କରିବା ପରିବେର୍ତ ଚତୁରତାର ସହ ପୁରୁଣା କଲର୍ଭଟର ହୋମ ପାଇପ ନ ବଦଳାଇ କେବଳ ପୁରୁଣା ୱାଲକୁ ଭାଙ୍ଗି ନୂତନ ଭାବେ ୱାଲ ତିଆରି କରିବା ପାଇଁ ପ୍ରସ୍ତୁତ ଚଳାଇଥିବା ଦେଖିବାକୁ ମିଳିଛି । ଯାହାଫଳରେ ଅଳ୍ପ ଦିନ ମଧ୍ୟରେ ଉକ୍ତ ପୁରୁଣା ହୋମ ପାଇପ ଗୁଡିକ ଭାଙ୍ଗି ଯିବାର ସମ୍ଭାବନା ସହିତ ରାସ୍ତା ଦବି ଚାଷ ଜମିରୁ ଜଳ ନିଷ୍କାସନରେ ବାଧା ଉପୁଜିବାର ସମ୍ଭାବନା ରହିଛି । ଠିକାଦାରର ଏପରି ନିମ୍ନମାନର କାର୍ଯ୍ୟ ରାସ୍ତାର ସ୍ଥାୟୀତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏବିଷୟକୁ ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଇଂ. ବିନୋଦ ତରାଇଙ୍କୁ ପଚାରିବାରୁ କାର୍ଯ୍ୟ ଠିକ ଭାବେ ଚାଲୁଛି ତଥାପି ତଦାରଖ କରାଯିବ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ