ପ୍ରବଳ କୁହୁଡ଼ି ଯୋଗୁଁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ
ନିମାପଡ଼ା, (ସନ୍ତୋଷ ଦାଶ):ଗତକାଲି ରାତି ଓ ଆଜି ସକାଳୁ ସମଗ୍ର ପୁରୀ ଜିଲ୍ଲାରେ ପ୍ରବଳ କୁହୁଡ଼ି ପଡ଼ିବାରୁ ଯାନ ବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।ବଡ଼ଦିନ ଅବସରରେ ହଜାର ହଜାର ଯାତ୍ରୀ,ପର୍ଯ୍ୟଟକ ଜିଲ୍ଲା ର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ କୁ ବୁଲିବାକୁ ଆସିଥିଲେ। କିଛି ପରିବାର ବିଭିନ୍ନ ସ୍ଥାନରେ ବଣଭୋଜି ମଧ୍ୟ କରିଥିଲେ। ଫେରିବା ବେଳକୁ ରାତି ହୋଇ ଯାଇଥିଲା। ପ୍ରବଳ କୁହୁଡ଼ି ଯୋଗୁଁ ଯାନବାହାନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ଘନ କୁହୁଡି ଆଜି ଦିନ ପ୍ରାୟ ୧୦ଟା ପର୍ଯ୍ୟନ୍ତ ରହିବାରୁ ଲୋକମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହୋଇଥିଲେ। କୁହୁଡ଼ି ଏତେ ଘନ ଥିଲା ଯେ,୧୦ ମିଟର ଦୂରତା ମଧ୍ୟ ଦେଖାଯାଇନଥିଲା। ଗାଡ଼ି ଚାଳକ ମାନେ ଗାଡ଼ି ଚଳାଇବା ରେ ବହୁ ସମସ୍ୟା ଭୋଗ କରିଥିଲେ। ଘନ କୁହୁଡି ପାଇଁ ସାଧାରଣ ଜନ ଜୀବନ ଅସ୍ତବ୍ୟେସ୍ତ ହୋଇପଡିଥିଲା।