ପ୍ରବଳ ବର୍ଷାରେ ବୁଡିଲା ରାଜଧାନୀ
ଭୁୁବନେଶ୍ୱର, (ୱାଇଏନ୍ଏସ୍): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଅଂଚଳରେ ଜାରି ରହିଛି ବର୍ଷା । ରାଜ୍ୟ ରାଜଧାନୀରେ ଗତକାଲି ରାତିରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ରବିବାର ସକାଳୁ ପ୍ରବଳ ବର୍ଷା ହୋଇଛି । ମଧ୍ୟାହ୍ନ ପରେ ବର୍ଷାର ପରିମାଣ ବଢିବା ହେତୁ ଭୁବନେଶ୍ୱରର ବିଭିନ୍ନ ଅଂଚଳ ଜଳମଗ୍ନ ହୋଇଛି । ରାଜରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିଛି । ଏପରିକି କିଛି ସ୍ଥାନରେ ରାସ୍ତା ଉପରେ ଯାନବାହାନ ବୁଡିଯାଇଥିଲା । ଫଳରେ କିଛି ଘଂଟା ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ରବିବାର ସକାଳ ୮ଟା ୩୦ରୁ ସଂଧ୍ୟା ୫ଟା ୩୦ ମଧ୍ୟରେ ପୁରୀରେ ସର୍ବାଧିକ ୧୪୫ ଓ ଭୁବନେଶ୍ୱରରେ ୧୧୯ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଆସନ୍ତା ୧୨ ଘଂଟା ମଧ୍ୟରେ ଲଘୁଚାପ ଅବପାତରେ ପରିଣତ ହେବାର ସମ୍ଭାବନା ଥିବାରୁ ଏହାର ପ୍ରଭାବରେ ବର୍ଷାର ପରିମାଣ ବି ବଢ଼ିବ ।
ରବିବାର ସକାଳୁ ଭୁବନେଶ୍ୱର ଆକାଶରେ ଘନ କଳା ମେଘ ଛାଇ ରହିଥିଲା । ଦିନ ତମାମ ବର୍ଷା ଲାଗି ରହିଥିବା ବେଳେ ସମୟ ସମୟରେ ପ୍ରବଳ ବର୍ଷିଥିଲା । ବର୍ଷା ବଢିବା ସହ ରାଜଧାନୀର ତଳିଆ ଅଂଚଳରେ ପାଣି ପଶିବା ଆରମ୍ଭ ହୋଇଯାଇଥିଲା । ପୂର୍ବଭଳି ଇସ୍କନ ମନ୍ଦିର ସମ୍ମୁଖରେ କୃତ୍ରିମ ବନ୍ୟା ସ୍ଥିତି ଉପୁଜିଥିଲା । ଉକ୍ତ ରାସ୍ତା ଦେଇ ଯାଉଥିବା ବୋଲେରୋ ,ଟ୍ରାକ୍ଟର ଭାସିବାକୁ ଲାଗିଥିଲା । ଇସ୍କନ ସମ୍ମୁଖ ଜାତୀୟ ରାଜପଥରେ ଘଂଟା ଘଂଟା ଧରି ପାଣିର ପ୍ରବଳ ସୁଅ ଚାଲିଥିଲା । ସେହିପରି ରାଜଧାନୀର ବମିଖାଲ , ଲକ୍ଷ୍ମୀସାଗର , ନୟାପଲ୍ଲୀ, ପୁରୁଣା ଭୁବନେଶ୍ୱର , ରାଜମହଲ ଆଦି ଅଂଚଳରେ ରାସ୍ତା ଉପରେ ଅଂଟାଏ ପାଣି । ଘର, ଆପାର୍ଟମେଂଟ ଭିତରେ ବି ପାଣି ପଶିଯାଇଥିଲା । ସନ୍ଧ୍ୟା ପର୍ଯ୍ୟନ୍ତ ବହୁ ଅଂଚଳ ଜଳବନ୍ଦୀ ହୋଇ ରହିଥିଲା ।