ପ୍ରବାସୀ ଆସି ଚାଲି ଗଲେ ପ୍ରଶାସନ ବସ ଭଡା ଭୁଲି ଗଲେ

ବ୍ରହ୍ମପୁର,( ରାଜେଶ କୁମାର ପଟ୍ଟନାୟକ):ଗଞ୍ଜାମ ଜିଲ୍ଲାରେ ସେପ୍ଟେମ୍ବର ପହିଲାରୁ ବସ୍‌ ଚଳାଚଳ ଆରମ୍ଭ ହୋଇଛି  କିନ୍ତୁ ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇନାହିଁ । କରୋନା ମାଡ଼ରେ ବସ୍‌ ମାଲିକଙ୍କ ଅଣ୍ଟା ଭାଙ୍ଗିଯାଇଛି । ସେପଟେ ଗଞ୍ଜାମ ଜିଲ୍ଲା ପ୍ରଶାସନ ବସ୍‌ ମାଲିକଙ୍କ ୨ କୋଟି ଟଙ୍କା ଭଡ଼ା ଦେବାରେ ବିଳମ୍ବ କରୁଥିବା ଅଭିଯୋଗ ହୋଇଛି । କରୋନା ସମୟରେ ପ୍ରବାସୀଙ୍କୁ ବୋହିବାରେ ଜିଲ୍ଲାରେ ୨ ଶହ ଘରୋଇ ବସ୍‌କୁ ଭଡ଼ାରେ ନିୟୋଜିତ କରିଥିଲା ପ୍ରଶାସନ । କରୋନା ସମୟରେ ବସ୍‌ କର୍ମଚାରୀମାନେ ଜୀବନକୁ ବାଜି ଲଗାଇ ପ୍ରବାସୀଙ୍କୁ ବୋହିଲେ । କିନ୍ତୁ କାମ ସରିଯିବା ପରେ ବସ୍‌ ଭଡ଼ା ଦେବାକୁ ପ୍ରଶାସନ ଭୁଲି ଯାଇଥିବା ଅଭିଯୋଗ କରିଛନ୍ତି ବସ୍‌ ମାଲିକ ସଂଘ ସମ୍ପାଦକ ସୁବାସ ପଟ୍ଟନାୟକ । ରାଜ୍ୟ ସରକାର ଭଡ଼ା ଦେବାରେ କୌଣସି ତ୍ରୁଟି ରଖିନାହାନ୍ତି, କିନ୍ତୁ ଜିଲ୍ଲାକୁ ଟଙ୍କା ଆସିଥିଲେ ମଧ୍ୟ ତାହା ବସ୍‌ ମାଲିକଙ୍କୁ ଦିଆଯାଉନାହିଁ । ଦୁଇ ମାସ ହେଲା ମାଲିକମାନେ ଭଡ଼ା ପାଇବେ ବୋଲି ଅପେକ୍ଷା କରିଛନ୍ତି । ଆଞ୍ଚଳିକ ପରିବହନ ଅଧିକାରୀ ଏବଂ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ଦିନ ସରୁଛି, କିନ୍ତୁ ଭଡ଼ା ଟଙ୍କା ପ୍ରଶାସନ ଦେଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।
କରୋନା ସମୟରେ ବସ୍‌ ମାଲିକମାନେ ପ୍ରଶାସନକୁ ସହଯୋଗ କରିଥିଲେ  କିନ୍ତୁ ଏବେ ସେମାନେ ନିଜର ପ୍ରାପ୍ୟ ପାଇପାରୁନାହାନ୍ତି । ଆଗାମୀ ଦିନରେ ବସ୍‌ ମାଲିକମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସେ ଚେତାଇ ଦେଇଛନ୍ତି । ମାର୍ଚ୍ଚ ୨୨ରୁ ସାରା ଦେଶରେ ଲକ୍‌ଡାଉନ୍‌ ଆରମ୍ଭ ହୋଇଥିବା ବେଳେ ଟ୍ରେନ୍‌ ଏବଂ ବସ୍‌ ଚଳାଚଳ ମଧ୍ୟ ବନ୍ଦ ରହିଥିଲା । କିନ୍ତୁ ପ୍ରବାସୀଙ୍କୁ ଘରକୁ ଆଣିବା ପାଇଁ ମେ ମାସରୁ ଟ୍ରେନ୍‌ ଚଳାଚଳ ହୋଇଥିଲା । ସ୍ୱତନ୍ତ୍ର ଟ୍ରେନ୍‌ରେ ପ୍ରବାସୀଙ୍କୁ ସୁରଟ, ମୁମ୍ବାଇ, କେରଳ, ତାମିଲନାଡୁ, କର୍ଣ୍ଣାଟକ ଭଳି ଅଞ୍ଚଳରୁ ବ୍ରହ୍ମପୁର ଆସିଥିଲେ । ଏଠାରେ ଟ୍ରେନ୍‌ରୁ ଓହ୍ଲାଇବା ପରେ ସେମାନଙ୍କୁ ବସ୍‌ରେ ଜିଲ୍ଲାର ବିଭିନ୍ନ ଜାଗାରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରକୁ ନିଆଯାଇଥିଲା ।ପ୍ରବାସୀଙ୍କୁ ବୋହିବାରେ ୨ ଶହ ବସ୍‌ ନିୟୋଜିତ ହୋଇଥିବା ବେଳେ ସରକାର ଏହାର ଭଡ଼ା ନିର୍ଦ୍ଧାରିତ କରିଥିଲେ । ଗାଡ଼ିରେ ଡିଜେଲ୍‌ ପକାଇ କେବଳ ବସ୍‌ ମାଲିକଙ୍କୁ ସନ୍ତୁଷ୍ଟ କରାଯାଇଥିଲା । ଯାତ୍ରୀ ବୁହା ସରିବା ପରେ ଭଡ଼ା ଦିଆଯିବ ବୋଲି କହିଥିଲା ପ୍ରଶାସନ । ମେ ୩ରୁ ଜୁନ୍‌ ଶେଷ ପର୍ଯ୍ୟନ୍ତ ପ୍ରବାସୀଙ୍କୁ ବୁହାଯାଇଥିଲା । ଦୁଇ ମାସରେ ବସ୍‌ ଭଡ଼ା ବାବଦରେ ପ୍ରଶାସନ ୨ କୋଟି ଟଙ୍କା ବାକି ରହିଥିବା ଅଭିଯୋଗ କରିଛି ବସ୍‌ ମାଲିକ ସଂଘ । ସେପଟେ ଏହାକୁ ସ୍ୱୀକାର କରିଛନ୍ତି ଆର୍‌ଟିଓ ସଞ୍ଜୟ କୁମାର ବିଶ୍ୱାଳ । ବସ୍‌ରେ ଡିଜେଲ୍‌ ପକାଯାଇଥିଲା, ବିଭିନ୍ନ ସମସ୍ୟା କାରଣରୁ ଭଡ଼ା ଦିଆଯାଇନାହିଁ । ବସ୍‌ ମାଲିକମାନେ ନିଜର ବିଭିନ୍ନ ସମସ୍ୟା ଏଡିଏମ୍‌ ଙ୍କୁ ଜଣାଇଥିଲେ । କିନ୍ତୁ ଏଡିଏମ୍‌ ଅସୁସ୍ଥତା ହେତୁ ଛୁଟିରେ ଥିଲେ । ସେ ବର୍ତ୍ତମାନ କାର୍ଯ୍ୟରେ ଯୋଗ ଦେଇଛନ୍ତି  ଶୀଘ୍ର ଭଡ଼ା ସମସ୍ୟା ସମାଧାନ ହେବ ବୋଲି କହିଛନ୍ତି ଆର୍‌ଟିଓ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ