ପ୍ରବାସୀ ଓଡ଼ିଆଙ୍କ ପାଇଁ ସୁରାଟରେ ହସପିଟାଲ ପ୍ରତିଷ୍ଠା : ମହିଳା ମଣ୍ଡଳ ବୈଠକରେ ଏମଡିଙ୍କୁ ବିପୁଳ ସମ୍ବର୍ଦ୍ଧନା

ବୁଗୁଡା (ଅନିଲ ମହାରଣା): ସୁରାଟ ମହାନଗରର ନାନପୁର ଅଞ୍ଚଳରେ ପ୍ରବାସୀ ଓଡ଼ିଆଙ୍କ ଚିକିତ୍ସା ପାଇଁ ପ୍ରତିଷ୍ଠା ହୋଇଯାଇଛି କେଡ଼ି ନୁପୁର ଜେନେରାଲ ହସପିଟାଲ। ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆଙ୍କ ଚିକିତ୍ସା ପାଇଁ ପ୍ରତିଷ୍ଠିତ ଏହି କେଡ଼ି ନୁପୁର ହସ୍ପିଟାଲ ଗୁଜରାଟ ସରକାର କିମ୍ବା ଓଡିଶା ସରକାର ନିର୍ମାଣ କରି ନାହାଁନ୍ତି, ନିର୍ମାଣ କରିଛନ୍ତି ପ୍ରବାସୀ ଓଡ଼ିଆଙ୍କ ସୁବିଧା ପାଇଁ ସର୍ବଦା ଯାହା ହୃଦୟରେ ସ୍ଥାନ ପାଇଛି ସେହି ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟର ସଭାପତି ପ୍ରଦୀପ କୁମାର ସାହୁ। ଶ୍ରୀ ସାହୁ ସ୍ୱଚକ୍ଷୁରେ ଦେଖିଥିଲେ ମହାମାରୀ କରୋନା ସମୟରେ ପ୍ରବାସୀ ଓଡ଼ିଆଙ୍କ ଦୁଃଖ ଦୁର୍ଦ୍ଦଶା, ଫ୍ୟାକ୍ଟେରୀରେ ଦୁର୍ଘଟଣାରେ ଆହତ ଓଡ଼ିଆ ଶ୍ରମିକଙ୍କ ଦୟନୀୟ ଅବସ୍ଥା ଓ ଓଡ଼ିଆ ଶ୍ରମିକମାନଙ୍କ ଶୋଷଣର ଶିକାର। ବିଭିନ୍ନ ଦିଗକୁ ବିଚାର କରି ଅଳ୍ପ ଖର୍ଚ୍ଚରେ କିପରି ପ୍ରବାସୀ ଓଡିଆମାନେ ଚିକିତ୍ସା ସୁବିଧା ପାଇ ପାରିବେ ଚିନ୍ତାକଲା ପରେ ନାନପୁରରେ ହସପିଟାଲ ନିର୍ମାଣ ପାଇଁ ମନସ୍ଥ କରି ତାହାର ସଫଳ ରୂପାୟନ ନିମନ୍ତେ ସୁରାଟରେ ଥିବା ସମସ୍ତ ଓଡ଼ିଆ ଡାକ୍ତରମାନଙ୍କୁ ନିମନ୍ତ୍ରଣ କରି ଆଲୋଚନା କରି ପ୍ରତିଷ୍ଠା କରିଥିଲେ କେଡ଼ି ନୁପୁର ଜେନେରାଲ ହସପିଟାଲ। ବର୍ତ୍ତମାନ ଅଳ୍ପ ଖର୍ଚ୍ଚରେ ପ୍ରବାସୀ ଓଡିଆମାନେ ଚିକିତ୍ସା ସୁବିଧା ପାଇଁ ଖୁସି ଥିବା ଜଣାପଡିଛି। ସେହି ଉପଲକ୍ଷେ ସୁରତର ବେଡ଼ରୋଡ଼ ସ୍ଥିତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ କାର୍ଯ୍ୟାଳୟ ମଧ୍ୟରେ ମହିଳା ମଣ୍ଡଳର ଏକ ବୈଠକ ଅନୁଷ୍ଠିତ ହୋଇ ଟ୍ରଷ୍ଟର ସଭାପତି ତଥା କେଡ଼ି ନୁପୁର ଜେନେରାଲ ହସ୍ପିଟାଲ ର ଏମଡି ପ୍ରଦୀପ କୁମାର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀ ସାହୁ ଓ ଡାକ୍ତର ଏସ.କେ.ନନ୍ଦ ହସପିଟାଲରେ ଯେଉଁସବୁ ସୁବିଧା ଉପଲବ୍ଧ ହେଉଛି ପ୍ରକାଶ କରିବା ସହ ସମସ୍ତ ପ୍ରବାସୀ ଓଡ଼ିଆ ଏହାର ସୁଯୋଗ ନେବାକୁ ଅନୁରୋଧ କରିଥିଲେ। ତତ୍ ସଙ୍ଗେ ମାଆ କାର୍ଡ, ରାସନ କାର୍ଡ, ଦୁର୍ଘଟଣା ଜନିତ ବୀମା, ମହିଳାମାନଙ୍କୁ ସରକାରୀ ସହାୟତା ପ୍ରଭୃତି ବିଷୟରେ ଆଲୋଚନା ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜୟରାମ ଦଳେଇ, ପ୍ରଦୀପ ସାହୁ, ନାରାୟଣ ପ୍ରଧାନ, ସୂର୍ଯ୍ୟ ନାରାୟଣ ଜେନା, ସୁଶାନ୍ତ ବାବୁ, ପୁଷ୍ପଲତା ,ଆରତୀ ଦେବୀ ପ୍ରମୁଖଙ୍କ ସମେତ ମହିଳା ମଣ୍ଡଳ ସଦସ୍ୟା ବୃନ୍ଦ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ