ପ୍ରବାସୀ ଶ୍ରମିକଙ୍କୁ ଥଇଥାନ ପ୍ରସଙ୍ଗ: ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକମାନଙ୍କର କଷ୍ଟ ଓ ଦୁର୍ଦ୍ଦଶା ପ୍ରତି ଦୃଷ୍ଟି ଦେଇ ସୁପ୍ରିମ୍ କୋର୍ଟ ଜୁନ୍ ୬ ତାରିଖ ଦିନ ଦେଶର ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ ଯେ, ସେମାନଙ୍କର ଥଇଥାନ ପାଇଁ କି ପଦକ୍ଷେପ ନେଇଛ ସେ ବିଷୟ ଉଲ୍ଲେଖ କରି ୧୫ ଦିନ ମଧ୍ୟରେ ସତ୍ୟପାଠ ଦାଖଲ କର। ସୁପ୍ରିମ୍ କୋର୍ଟଙ୍କ ନିର୍ଦେଶ ମୁତାବକ ଆଜି ଓଡ଼ିଶା ରାଜ୍ୟ ସରକାର ତାଙ୍କର ସତ୍ୟପାଠ ଦାଖଲ କରିଛନ୍ତି। ଲକ୍‌ଡାଉନ୍ ସମୟରେ ପ୍ରବାସରୁ ରାଜ୍ୟକୁ ଫେରିଥିବା ଶ୍ରମଜୀବୀମାନଙ୍କ ଦୁର୍ଦ୍ଦଶା ଏବଂ ଥଇଥାନ ସଂକ୍ରାନ୍ତରେ ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟ ଜଣାଇ ଆଜି ଓଡ଼ିଶା ସରକାର ସୁପ୍ରିମ୍‌ କୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି। ସତ୍ୟପାଠରେ ରାଜ୍ୟ ସରକାର ଉଲ୍ଲେଖ କରିଛନ୍ତି ଯେ, ଲକ୍‌ଡାଉନ୍‌ ଯୋଗୁଁ ଅନ୍ୟରାଜ୍ୟରେ ଅଟକି ରହିଯାଇଥିବା ଯେଉଁ ଶ୍ରମିକମାନେ ଭିଟାମାଟିକୁ ଫେରିବାକୁ ଚାହୁଁଥିଲେ ରାଜ୍ୟ ସରକାରଙ୍କ ତରଫରୁ ସେମାନଙ୍କ ପରିବହନ ପାଇଁ ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ ଶ୍ରମିକ ସହାୟତା ହେଲ୍‌ପ୍‌ଲାଇନ୍‌ରେ ନାମ ପଞ୍ଜିକରଣ କରିବାକୁ ଉଭୟ ଛାପା ଓ ଇଲେକ୍‌ଟ୍ରୋନିକ୍ ମିଡିଆରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାଛଡ଼ା ଓଡ଼ିଶାରେ ଅଟକି ରହିଥିବା ବିଭିନ୍ନ ରାଜ୍ୟର ୧, ୪୨୮ଜଣ ଶ୍ରମଜୀବୀଙ୍କୁ ରାଜ୍ୟ ସରକାର ସେମାନଙ୍କ ରାଜ୍ୟକୁ ପଠାଇବା ବନ୍ଦୋବସ୍ତ ମଧ୍ୟ କରିଥିଲେ। ପ୍ରବାସରୁ ରାଜ୍ୟକୁ ଫେରିଥିବା ଶ୍ରମଜୀବୀଙ୍କ ପାଇଁ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ, କୃଷି ଓ ଚାଷୀ ଶସକ୍ତିକରଣ, ଅନୁସୂଚିତ ଜାତି ଓ ଜନଜାତି, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ ବିକାଶ, ଶ୍ରମ ଓ ଇଏସ୍ଆଇ, ସମବାୟ, ହସ୍ତତନ୍ତ ଓ ଟେକ୍‌ଷ୍ଟାଇଲସ୍, ମହିଳା ଓ ଶିଶୁ ବିକାଶ ଏବଂ ମିସନ୍ ଶକ୍ତି, ଗୃହ ଓ ନଗର ଉନ୍ନୟନ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଆଦି ବିଭାଗ ଦ୍ବାରା କର୍ମସଂସ୍ଥାନ ଯୋଗାଇବା ବନ୍ଦୋବସ୍ତ କରାଯାଇଛି। ଏ ସଂକ୍ରାନ୍ତରେ ସୂଚନା ପାଇବାକୁ ସମ୍ପୃକ୍ତ ଶ୍ରମଜୀବୀଙ୍କର ବ୍ଲକ୍ ଏବଂ ଜିଲ୍ଲାସ୍ତରରେ କାଉନ୍‌ସେଲିଙ୍ଗ୍‌ ସେଣ୍ଟର୍ ଏବଂ ହେଲ୍‌ପଡେସ୍କ ଖୋଲାଯାଇଛି। ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ମନରେଗା ଏବଂ ଅନ୍ୟାନ୍ୟ ଯୋଜନାରେ କର୍ମସଂସ୍ଥାନ ଯୋଗାଇ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ‌ଦିଆଯାଇଛି। ପିଆର୍ ଆଣ୍ଡ୍ ଡିଡବ୍ଲୁ ଏବଂ ଏଚ୍‌ ଆଣ୍ଡ୍ ୟୁଡି ବିଭାଗ ଭିଟାମାଟିକୁ ଫେରି ଆସିଥିବା ପ୍ରବାସୀ ଶ୍ରମିକମାନଙ୍କର ଗାଁ, ବ୍ଲକ୍, ଜିଲ୍ଲାୱାରି ସବିଶେଷ ତଥ୍ୟ ରଖିବା ସହ ସେମାନଙ୍କର ଦକ୍ଷତା, କର୍ମସଂସ୍ଥାନର ପ୍ରକାର ଏବଂ ପୂର୍ବରୁ ସେମାନେ କି କାର୍ଯ୍ୟରେ ନିୟୋଜିତ ଥିଲେ ତା’ର ତଥ୍ୟ ମଧ୍ୟ ରଖିଛନ୍ତି। ଏହାରି ଆଧାରରେ ପ୍ରଶାସନ ସେମାନଙ୍କୁ ବିଭିନ୍ନ ଯୋଜନାରେ କାର୍ଯ୍ୟ ଯୋଗାଇ ଦେବେ। ଯେଉଁମାନେ ପ୍ରବାସୀ ଶ୍ରମିକମାନେ ଲକ୍‌ଡାଉନ୍ ନିୟମ ଉଲ୍ଲଂଘନ କରି ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଫେରି ଆସିଥିଲେ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ର ଧାରା ୫୧ ଆଧାରେ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ସେ ଭଳି ୨୪ଟି ମାମଲାରୁ ୨୧ଟି ମାମଲାର ଚାର୍ଜସିଟ୍ ହୋଇସାରିଛି। ଏହି ମାମଲା ପ୍ରତ୍ୟାହାର ପାଇଁ ପଦକ୍ଷେପ ନିଆଯାଇଛି। ନଗରାଞ୍ଚଳରେ ପ୍ରବାସୀ ଶ୍ରମଜୀବୀଙ୍କୁ କର୍ମସଂସ୍ଥାନ ଯୋଗାଇ ଦେବାକୁ ଏଚ୍ ଆଣ୍ଡ୍ ୟୁଡି ବିଭାଗ ‘ୟୁଡବ୍ଲୁଇଆଇ’ ପ୍ରଚଳନ କରିଛି ଏବଂ ଏଥିପାଇଁ ୧୦୦ କୋଟି ଟଙ୍କାରେ ବଜେଟ୍ ହୋଇଛି। ପ୍ରବାସୀ ଶ୍ରମିକମାନଙ୍କ ପରିବାରର ବିଶେଷକରି ଅନ୍ତଃସତ୍ତ୍ବା ମହିଳା ଏବଂ ସ୍ତନ୍ୟଦାତ୍ରୀ ମାଆ ଓ ୬ ବର୍ଷର କମ୍ ବୟସର ପିଲାଙ୍କ ପାଇଁ ଅଙ୍ଗନବାଡ଼ି ସେବା ଅଧୀନରେ ସପ୍ଲିମେଣ୍ଟାରି ନ୍ୟୁ‌ଟ୍ରିସନ୍ ପ୍ଲାନ୍ ଯୋଗାଇ ଦିଆଯାଇଛି। ଏଥିରେ ସମୁଦାୟ ୪, ୦୩୮ ଅନ୍ତଃସତ୍ତ୍ବା ଓ ସନ୍ତ୍ୟଦାତ୍ରୀ ମହିଳା ଓ ୧୭, ୧୩୧ ପିଲା ଉପକୃତ ହୋଇଛନ୍ତି। ସ୍ବୟଂ ସହାୟକ ସଂଗଠନର ପ୍ରତି ସଦସ୍ୟଙ୍କୁ ୫୦୦୦ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ