ପ୍ରବାସୀ ଶ୍ରମିକଙ୍କ ଘରବାହୁଡା ନିମନ୍ତେ ଆଧାର ବାଧ୍ୟତାମୂଳକ ନହେଉ

ଭୁବନେଶ୍ବର: ରାଜ୍ୟ ବାହାରେ ଫସି ରହିଥିବା ଶ୍ରମିକ ଓ ଅନ୍ୟମାନଙ୍କ ଘର ବାହୁଡା ନିମନ୍ତେ ରାଜ୍ୟ ସରକାର ଗତ ୨୪ ତାରିଖ ଦିନ ନୋଟିସ ଜାରିକରି ଗ୍ରାମ ପଞ୍ଚାୟତରେ ନାମ ପଞ୍ଜିକରଣ ନିମନ୍ତେ ଏକ ୱେବ ପୋର୍ଟାଲ ଲଞ୍ଚ କରିଛନ୍ତି। ଏଥିରେ ଅନଲାଇନ ପଞ୍ଜିକରଣ ନିମନ୍ତେ ସମସ୍ତଙ୍କ ପାଇଁ ଆଧାର ନମ୍ବର ଓ ମୋବାଇଲ ନମ୍ବର ଦେବାକୁ ବାଧ୍ୟ କରା ଯାଇଛି। କୋଭିଡ -୧୯ ପାଇଁ ରାଜ୍ୟରେ ନବ ଗଠିତ ନାଗରିକ ଅନୁଷ୍ଠାନ “ସିଟିଜେନ୍ସ ଆକ୍ସନ ଗ୍ରୁପ, ଓଡିଶା” ସରକାରଙ୍କର ଏହି ପଦକ୍ଷେପକୁ ସ୍ୱାଗତ କରିବା ସହିତ ଆଧାର ବାଧ୍ୟତାମୂଳକ କରାଯାଇ ଥିବାରୁ ଗଭୀର ଉଦବେଗ ପ୍ରକାଶ କରିଛି। ସରକାରୀ ଆକଳନ ଅନୁସାରେ ପ୍ରାୟ ୫ ଲକ୍ଷ ରାଜ୍ୟ ବାହାରେ ଥିବା ଶ୍ରମିକ ଆସିବାର ଅଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଣ ସଙ୍ଗଠିତ କ୍ଷେତ୍ରରେ କାମ କରନ୍ତି। ଏହା ନିଶ୍ଚିନ୍ତ ଭାବରେ କୁହାଯାଇ ପାରିବ ଯେ ସେମାନଙ୍କ ମଧ୍ୟରୁ ଅନେଙ୍କ ପାଖରେ ଆଧାର କାର୍ଡ ନଥିବ। ଆମେ କହିରଖିବାକୁ ଚାହୁଁଛୁ ଯେ ସମସ୍ତେ ଏକ ମହା ବିପତ୍ତିରେ ପଡିଛନ୍ତି। ମାନବିକ ଦୃଷ୍ଟିକୋଣରୁ ଯେଉଁମାନେ ସମାଜର ଅତ୍ୟନ୍ତ ଦାରିଦ୍ର୍ୟ ଶ୍ରେଣୀର ଓ କଷ୍ଟରେ ଅଛନ୍ତି , ସେମାନଙ୍କ ପ୍ରତି ଆମେ ସମାବେଦନଶୀଳ ହେବା ଉଚିତ। ଆଧାର କାର୍ଡ ନିଷ୍ପତିକୁ ତାଙ୍କ ଉପରେ ଦେଇ ଆଧାର ବାଧ୍ୟତା ମୂଳକ କରିବା ସମ୍ପୂର୍ଣ ସମ୍ବେଦନହୀନ ଓ ମାନବିକତା ବିରୋଧୀ ହେବ। ତେଣୁ ସରକାର ଭୋଟର କାର୍ଡ ଡ୍ରାଇଭିଂ ଲାଇସେନ୍ସ ନମ୍ବର କିମ୍ବା ପଂଚାୟତର ସରପଞ୍ଚଙ୍କ ସାର୍ଟିଫିକେଟକୁ ଗ୍ରହଣ କଲେ ଭଲ ହେବ। ସେହିପରି ଅନଲାଇନ ପଞ୍ଜିକରଣ ବାଧ୍ୟତାମୂଳକ କରାଯିବା ଅନୁଚିତ କରାଣ ଶ୍ରମିକ ଭାଇ ଭଉଣୀ ମାନେ ହୀନସ୍ତା ହେବେ ଓ ଅସୁବିଧାରେ ପଡିବେ। ରିଲିଫ ଯୋଗାଇବା ନିମନ୍ତେ ବିଭିନ୍ନ ହେଲ୍ପ ଲାଇନ, ପଂଚାୟତ କିମ୍ବା ସରକାରୀ ଅନୁଷ୍ଠାନ ଶ୍ରମିକ ମାନଙ୍କର ନାମ ପାଞ୍ଜିକରଣ କରିଛନ୍ତି ଯାହାକୁ ଏଥିପାଇଁ ଉପଯୋଗ କରାଯାଇ ପାରିବ। ଶ୍ରମିକ ମାନେ ଫେରନ୍ତା ଯାତ୍ରା ସମୟରେ ବିଭିନ୍ନ ଅଧିକାରୀ କିମ୍ବା ଗାଡି ମଟର ମାଲିକ କିମ୍ବା ଅନୁଷ୍ଠାନ ଦ୍ୱାରା ଶୋଷଣର ଶିକାର ହେବାର ସମ୍ଭାବନା ଅଛି। ସେଥିପ୍ରତି ଯତ୍ନବାନ ହେବାକୁ ପଡିବ। ବିନାପ୍ରତିବନ୍ଧକ ରେ ଯେପରି ଶ୍ରମିକମାନେ ପଞ୍ଜିକୃତ ହେବେ ଏବଂ ଘରକୁ ଫେରିବେ ତାହା ସରକାର ଦେଖିବା ଆବଶ୍ୟକ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ