ପ୍ରଭୁ ଗୋପାଳ ଦେବ ଜିୟୁଙ୍କ ବାଣଯାତ୍ରା

ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ପିପିଲି ନିକଟବର୍ତ୍ତୀ ଦାଣ୍ଡମୁକୁନ୍ଦପୁର ଗ୍ରାମ ର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଗୋପାଳ ଦେବ ଜିୟୁ ଙ୍କ ବିବାହ ଉତ୍ସବ ପରେ ତ୍ରିଦେବ ଙ୍କ ଗାଁ ପରିକ୍ରମା ଓ ଶେଷରେ ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ପ୍ରଭୁ ଶ୍ରୀ ଗୋପୀନାଥ ଦେବଙ୍କ ମନ୍ଦିର ପରିସର ରେ ଶ୍ରୀ କୃଷ୍ଣ ଓ ରୁକ୍ମିଣୀ ଦେବୀ ଙ୍କ ମଧ୍ୟରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଚମ୍ପକ ଦ୍ଵାଦଶୀ ରାତି ରେ ପୃଥକ ପୃଥକ ସୁସଜ୍ଜିତ ବିମାନ ରେ ଶ୍ରୀଗୋପୀନାଥ ଦେବଙ୍କ ଚଳନ୍ତି ପ୍ରତିମା ଶ୍ରୀ ମଦନ ମୋହନ, ଶ୍ରୀ ନୀଳ କଣ୍ଠେଶ୍ଵର ଦେବ, ଶ୍ରୀ ବାଲୁଙ୍କେଶ୍ବର ଦେବ ଙ୍କୁ ଉପବେଶନ କରାଯାଇ ଏକ ବର୍ଣ୍ଣାଢ଼୍ୟଶୋଭାଯାତ୍ରା ରେ ଗ୍ରାମ ପରିକ୍ରମା କରାଯାଇଥିଲା । ଠାକୁର ମାନଙ୍କୁ ଏହି ସମୟ ରେ ଘର ଘର ଦ୍ୱାରି ଭୋଗ ଅର୍ପଣ କରା ଯାଇଥିଲା । ଗ୍ରାମ ପରିକ୍ରମା କରି ସାରିବାପରେ ଠାକୁର ମାନେ ବାଣମରା ଛକ ଠାରେ ଥିବା ପଥର ଖୁମ୍ବ ମଣ୍ଡପରେ ଉପବେସନ ହୋଇଥିଲେ । ଆଜି ତ୍ରୟୋଦଶୀ ତିଥିରେ ଠାକୁର ମାନଙ୍କ ସମ୍ମୁଖରେ ବିଭିନ୍ନ ପ୍ରକାର ର ବାଣ (ଆତସବାଜି) ଫୁଟା ଯାଇଥିଲା। ବିଭିନ୍ନ ବ୍ରାହ୍ମଣ ପରିବାର ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କାଠଚକ୍ର ଏଠାରେ ମୁଖ୍ୟ ଆକର୍ଷଣ ପାଲଟି ଥିଲା। ଏହି କାଠଚକ୍ର ବ୍ରାହ୍ମଣ ପରିବାର ଙ୍କ ପକ୍ଷରୁ ନିଜ ଦ୍ୱାରା ଏକ ସ୍ବତନ୍ତ୍ର ଶୈଳୀ ରେ ପ୍ରସ୍ତୁତ କରା ଯାଇଥାଏ। ବାରୁଦ ପ୍ରସ୍ତୁତି ଠାରୁ କାଠଚକ୍ର ବାଡେଇବା କାର୍ଯ୍ୟ ନିଜ ନିଜ ଘରେ ଥିବା ବଂଶାନୁକ୍ରମିକ ପୋଥି ଅନୁସାରେ ବ୍ରାହ୍ମଣ ମାନେ କରିଥାନ୍ତି। ଗୋଟିଏ କାଠଚକ୍ର ପ୍ରସ୍ତୁତି କରିବାରେ ଅନ୍ତତଃ ଗୋଟିଏ ମାସ ସମୟ ଲାଗୁଥିବା ବେଳେ ୧୫ ହଜାର ରୁ ୩୦ହଜାର ଟଙ୍କା ବ୍ୟୟ ହୋଇଥାଏ ବୋଲି କହିଛନ୍ତି ଗ୍ରାମବାସୀ ବିଷ୍ଣୁ ପ୍ରସାଦ ମିଶ୍ର । ବାଣଯାତ୍ରା ପାଇଁ ସମଗ୍ର ଦାଣ୍ଡ ମୁକୁନ୍ଦପୁର ଅଞ୍ଚଳ ଉତ୍ସବ ମୁଖର ହୋଇ ପଡ଼ିଥିଲା । ହଜାର ହଜାର ଲୋକ ବାଣମରା ଛକ ଠାରେ ଏକତ୍ରିତ ହୋଇ ଠାକୁର ମାନଙ୍କୁ ଦର୍ଶନ କରିବା ସହିତ କାଠଚକ୍ର ପ୍ରଦର୍ଶନ କୁ ଉପଭୋଗ କରିଥିଲେ। ଏ ବର୍ଷ ପ୍ରାୟ ୩୦ ହଜାର ରୁ ଉର୍ଦ୍ଧ୍ବ ଲୋକ ଙ୍କ ସମାଗମ ହୋଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପିପିଲି ଥାନା ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରା ଯାଇଥିବାବେଳେ ଭୋଗୁଆବାଙ୍କ – ପିପିଲି ରାସ୍ତା ରେ ଭାରି ଯାନ ଚଳାଚଳ କୁ ବନ୍ଦ କରାଯାଇ ବାଇ ପାସ ରାସ୍ତା ରେ ସବୁ ଯାନ କୁ ଛଡ଼ା ଯାଇଥିଲା। କାଠଚକ୍ର ଲାଗୁଥିବା ଦୁଇଟି ସ୍ଥାନର ଚତୃପାଶ୍ୱ ରେ ତାର ଜାଲି ରେ ବ୍ୟାରିକେଟ ନିର୍ମାଣ କରାଯାଇଥିଲା। ସ୍ଥାନୀୟ ପଞ୍ଚାୟତ ପକ୍ଷରୁ ମେଳାସ୍ଥଳ ରେ ସୂଚନା କେନ୍ଦ୍ର ଓ ଆଶୁ ଚିକିତ୍ସାକେନ୍ଦ୍ର କରା ଯାଇଥିବା ବେଳେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜଳଛତ୍ର ଓ ସୁଚନା କେନ୍ଦ୍ର ଖୋଲା ଯାଇଥିଲା। ସ୍ଥାନୀୟ ଅଗ୍ନିଶମ ବିଭାଗ ପକ୍ଷରୁ ବାଣମରା ସ୍ଥାନ ରେ ଆଗ୍ନିକ ମାନଙ୍କୁ ମୁତୟନ କରାଯାଇଥିଲା । ସୂଚନା ଯୋଗ୍ୟ ଯେ,୧୫୬୬-୧୫୭୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ଠାକୁର ଙ୍କ ଏହି ବାଣଯାତ୍ରା ଆରମ୍ଭ ହୋଇଥିବାର ଗବେଷକ ମାନେ ମତ ଦେଇଛନ୍ତି। ଏଣୁ ଦୀର୍ଘ ୫୦୦ ବର୍ଷ ରୁ ଉର୍ଦ୍ଧ ହେବ ଦାଣ୍ଡମୁକୁନ୍ଦପୁର ଗ୍ରାମରେ ଶ୍ରୀ ଗୋପାଳ ଦେବ ଜିୟୁ ଙ୍କ ବାଣଯାତ୍ରା ଅନୁଷ୍ଠିତ ହୋଇଆସୁଛି ବୋଲି କହିଛନ୍ତି ଦାଣ୍ଡମୁକୁନ୍ଦପୁର ପଞ୍ଚାୟତ ର ସରପଞ୍ଚ ପରେଶ କୁମାର ମିଶ୍ର। ବାଣଯାତ୍ରା ପାଇଁ ଦାଣ୍ଡମୁକୁନ୍ଦପୁର ଅଞ୍ଚଳ ଉତ୍ସବ ମୁଖର ହୋଇ ପଡ଼ିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ