ପ୍ରଭୁ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥର ବିଶେଷତ୍ୱ
ପ୍ରଦୀପ ସେନାପତି
କଳ୍କୀ ଯୁଗରେ ବିଶ୍ୱବିଖ୍ୟାତ ରଥାଯାତ୍ରା । ଶ୍ରୀକ୍ଷେତ୍ରର ଗୁଣ୍ଡିଚା ରଥଯାତ୍ରାକୁ ସମସ୍ତେ ଜାଣନ୍ତି । ଏହାର କାରଣ ବାସ୍ତବରେ ଏହି ଯାତ୍ରାରେ ୧୦ ଲକ୍ଷ ପର୍ଯ୍ୟନ୍ତ ଯାତ୍ରୀ ମାନଙ୍କର ସମାଗମ ଦେଖିବାକୁ ମିଳିଥାଏ । କିନ୍ତୁ ପ୍ରଭୁ ଶ୍ରୀଶ୍ରୀଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ରଥର ଉଚ୍ଚତା, ଗୋଲେଇ, ଚକ, ଅଖ, କାଠ ଏବଂ ଓଜନକୁ ତର୍ଜମା କଲେ କୌଣସି ପ୍ରକାର ସମାନତା ଆସେନାହିଁ । ବରଂ ଲିଙ୍ଗରାଜଙ୍କ ରଥର କାରୁକାର୍ଯ୍ୟ ଗୁଣ୍ଡିଚା ରଥଠାରୁ ଢେର ଗୁଣରେ ଅଧିକ । ସେଥିପାଇଁ ଏହାକୁ ବାହୁଡ଼ା ସମୟରେ ଜଗନ୍ନାଥଙ୍କ ରଥଭଳି ବୁଲାଇ ଆଣିବା ବଡ଼ କଠିନ ବ୍ୟାପାର । ବିଶ୍ୱରେ ଏହି ରଥର ଉଚ୍ଚତା, ଚକର ମାନଦଣ୍ଡ ସମସ୍ତ ରଥ ଠାରୁ ବିଶ୍ୱବିଖ୍ୟାତ ବୋଲି କୁହାଯାଇଛି । ଏହି ରଥ ଯେପରି ଭାବରେ ଯାଇଥାଏ ସେହିପରି ଭାବରେ ଅଣଲେଉଟା ଭଳି ଫେରେ । ଏହି ରଥକୁ ରୁକୁଣା ରଥ ଅଣଲେଉଟା ବୋଲି କୁହାଯାଇଛି । ଏହି ରଥର ମାଲିକ ନିଜେ ପ୍ରଭୁ ଶ୍ରୀ ଲିଙ୍ଗରାଜ ମହାଦେବ । ବିଶ୍ୱର କୋଟି କୋଟି ଲିଙ୍ଗମାନଙ୍କ ମଧ୍ୟରେ ସେ ହେଉଛନ୍ତି ରାଜା (ଲିଙ୍ଗରାଜ) । ପ୍ରଭୁ ଲିଙ୍ଗରାଜ ଏହି ରଥରେ ଯାଉଥିବା ରଥର ନିର୍ମାଣ କାର୍ଯ୍ୟ ଦୋଳ ପୂର୍ଣ୍ଣିମା ଠାରୁ ଆରମ୍ଭ ହୁଏ । ରଥର ନିର୍ମାଣ କାର୍ଯ୍ୟ ନେତ୍ରତ୍ସୋବରୁ ସରିଯାଏ । ଏହାର ସବିଶେଷ ବିଶେଷତ୍ୱ, ସବୁବର୍ଷ ଏହି ତିଥିରେ ଖବରକାଗଜରେ ପ୍ରକାଶ କରିଆସୁଛି । ତା’ପରେ କେଦାରଗୌରୀ ପୀଠସ୍ଥଳୀ ମରିଚିକୁଣ୍ଡରୁ ପାଣି ଆସେ ଓ ରଥର ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହୁଏ । ଗଜପତି ମହାରାଜଙ୍କ ରାଜଗୁରୁଙ୍କ ପୌରହିତ୍ୟରେ ଏହାର ସମସ୍ତ ସେବା ପୂଜା କାର୍ଯ୍ୟକ୍ରମ ସମ୍ପର୍ଣ୍ଣ ହୁଏ । ରାଜଗୁରୁ ମଚିରୀ କୁଣ୍ଡର ପାଣିକୁ ରଥର ଉପରେ ସିଞ୍ଚନ କରନ୍ତି । ସମ୍ପୂର୍ଣ୍ଣ ପୂଜା ସରିବା ପରେ ସେହି ରଥ ପାଲଟିଯାଏ ପୃଥିବୀ, ତା’ର ଚକ ପାଲଟିଯାଏ ସୂର୍ଯ୍ୟ, ଚନ୍ଦ୍ର, ପୁରୁଷ ଆଉ ପ୍ରକୃତି । ‘ସ୍ୱୟଂ ବ୍ରହ୍ମା’ ସେହି ରଥର ସାରଥୀ ହୁଅନ୍ତି । ରୁକ୍, ଯଜ୍ଜୁଃ, ସାମ ଓ ଅଥର୍ବ ବେଦ ହିଁ ଅଶ୍ୱ ହୋଇ ଏହି ରଥରେ ଲାଗନ୍ତି । ପ୍ରଥମେ ବୃଷଭକୁ ବାହନର ମାନ୍ୟତା ଦେଇ ରଥାସୀନ କରାଯାଏ । ତା’ପରେ ନେତ ଚଢେ । ନେତ ଲାଗିବା ପରେ ଅନୁଧ୍ୟାନ କରିବା ପାଇଁ ପ୍ରଭୁ ଲିଙ୍ଗରାଜଙ୍କର ବିକଳ୍ପ ପ୍ରତିମା ପଥବକ୍ର ମହାଦେବ ଆସନ୍ତି । ରଥର ସମସ୍ତ ସତ୍ତାକୁ ଜୀବନ୍ତ କରି ସେ ଫେରିଯାନ୍ତି । ଏହାପରେ ଫାଲଗୁନ-ଚୈତ୍ରମାସ ଅଷ୍ଟମୀ ତିଥିରେ (ଅଷ୍ଟମୀ ଦିନ) ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର, ମାତା ଦୁର୍ଗା, ବାସୁଦେବଙ୍କ ପ୍ରତିମାଙ୍କୁ ବିଧିମତେ ପହଞ୍ôଚ ଯାତ୍ରା କରାଇ ବାଟ ଗଣେଶଙ୍କ ପାଖରେ ନଡ଼ିଆ ଭାଙ୍ଗି ରଥ ପାଖରେ ପହଞ୍ôଚ ଯାଆନ୍ତି । ମନ୍ତ୍ରରେ ଚକ୍ରପୂଜା ସାରି ରଥକୁ ସତ୍ୱ, ରଜ, ତମଗୁଣରେ ତିନିଘେରା ପ୍ରଦକ୍ଷୀଣ କରନ୍ତି । ପଶ୍ଚିମପାଖ ସିଡ଼ିରେ ରଥ ଉପରକୁ ବିଜେ ହୋଇ ସିଂହାସନ ଚାରିପଟେ ପୁଣି ଅନୁଲୋମ ବିଲୋମ ବିଧିରେ ତମଃ, ରଜଃ ଓ ସତ୍ୟଗୁଣରେ ତିନିଘେରା ପ୍ରଦକ୍ଷୀଣ କରାଯାଇଥାଏ । ଏହାର ଏକ ରହସ୍ୟମୟ କିମ୍ବଦନ୍ତୀ ରହିଛି । ଏହାପରେ ରଥରେ ସମୁଦାୟ ଏକାଦଶ ରୁଦ୍ରଙ୍କର ଏଗାରଗୋଟି ପୂଜା ସମ୍ପନ୍ନ ହୁଏ । ସାରଥୀ (ବ୍ରହ୍ମା) ଠାକୁରଙ୍କ ଠାରୁ ଆଜ୍ଞାମାଳ ଆଣି ତାଙ୍କର ନିର୍ଦ୍ଧାରିତ ଆସନ ଗ୍ରହଣ କଲାପରେ ରଥଟଣା କାର୍ଯ୍ୟ ଆରମ୍ଭ ହୁଏ । ଏହି ରଥର ଉଚ୍ଚତା ହେଲା ୪୫ଫୁଟ । ଏହି ୪୫ଟି ସଂଖ୍ୟାଟି ରଥର ୪ଟି ଚକ ଓ ୫ ଦିନାତ୍ମକ ଯାତ୍ରାର ଅବଧିକୁ ବୁଝାଏ । ଚକର ବ୍ୟାସ ହେଲା ୮ ଫୁଟ । ଏହା ଅଷ୍ଟମୀ ଦିନ ବା ତିଥି ଥିବାରୁ ଅଷ୍ଟ ପ୍ରକୃତିର ଶକ୍ତିକୁ ବୁଝାଏ । ଚକର ମୋଟେଇ ବା ଚଉଡ଼ା ୧୦ ଇଞ୍ଚ ରୁହେ ଯାହାକି ଶରୀରର ଇନ୍ଦ୍ରିୟମାନଙ୍କୁ ବୁଝାଇଥାଏ । ୪ଟି ଚକ ପାଇଁ ୨ଟି ଅଖ, ମରିଚୀକୁଣ୍ଡର ସାମନାରେ ଥିବା ମୁକ୍ତେଶ୍ୱର ମନ୍ଦିର ଗାତ୍ରରେ ଏବେ ମଧ୍ୟ ୨ଟି ମୁଣ୍ଡରେ ୪ଟି ମଣିଷର ଚିତ୍ର ଖୋଦେଇ ହୋଇ ରହିଛନ୍ତି । ଏହି ୨ଟି ଅଖ ହେଲା ବୁଦ୍ଧି ଆଉ ପ୍ରାଣ । ପ୍ରତ୍ୟେକ ଅଖର ଲମ୍ବ ୨୭ ଫୁଟ ଓ ମୋଟେଇ (ଚଉଡ଼ା) ୨୭ ଇଞ୍ଚ । ଏହି ୨୭ ନକ୍ଷତ୍ରର ରହସ୍ୟ ମନ୍ଦିର ବେଢାରେ ଅଦ୍ୟାବଧି ଅଛନ୍ତି ଏବଂ ଜୀବକୁ ନବ ଦ୍ୱାରରେ ଜଗିଛନ୍ତି ।