ପ୍ରମାଣପତ୍ର ପାଇଁ ଗୋବରା ଆର୍.ଆଇଙ୍କ ଲାଞ୍ଚ ଦାବି; ଲାଞ୍ଚ ନଦେଲେ ଘୁଞ୍ଚୁନି ଫାଇଲ୍
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଲୋକଙ୍କ ଦ୍ୱାର ସମ୍ମୁଖରେ ବିଭିନ୍ନ ସେବା ଯୋଗାଇବା ପାଇଁ ସରକାର ବିଭିନ୍ନ ଯୋଜନା କରୁଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ କିଛି ଅସାଧୁ କର୍ମଚାରୀଙ୍କ ପାଇଁ ଏହି ସେବା ଗୁଡ଼ିକୁ ପାଇବା ପାଇଁ ଲୋକେ ନାକେଦମ୍ ହେବାକୁ ପଡ଼ୁଛି I ଏହିଭଳି ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ତହସିଲର ଗୋବରା ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ I ପୂର୍ବରୁ ରାଜସ୍ୱ ବିଭାଗରେ ମାତ୍ରାଧିକ ଦୁର୍ନିତୀ ହେଉଥିବା କଥା ଏବଂ ରାଜସ୍ଵ ବିଭାଗର ବିଭିନ୍ନ କର୍ମଚାରୀଙ୍କ ଦ୍ୱାରା ହିତାଧିକାରୀ ମାନେ ଶୋଷଣ ହେଉଥିବାର ନଜିର ରହିଛି I କିନ୍ତୁ ଏଥିରେ ରୋକ୍ ଲଗାଇବା ପାଇଁ ସରକାର ଡିଜିଟାଲ୍ ସେବାକୁ ଆପଣାଇ ଥିଲେ ମଧ୍ୟ ବିଭାଗର ଅସାଧୁ କର୍ମଚାରୀ ସୁଯୋଗ ମିଳିଲା ମାତ୍ରକେ ଲୋକଙ୍କ ଠାରୁ ଶୋଷଣ ଆରମ୍ଭ କରିଦେଉଛନ୍ତି I ଗୋବରା ସର୍କଲର ବିଭିନ୍ନ ହିତାଧିକାରୀଙ୍କ ଅଭିଯୋଗ ପ୍ରକାରେ ଜନସାଧାରଣ ଜାତିଗତ ପ୍ରମାଣପତ୍ର ଠାରୁ ଆରମ୍ଭ କରି ଆୟ ପ୍ରମାଣପତ୍ର, ଲିଗାଲ୍ ହେୟାର ପ୍ରମାଣପତ୍ର ପାଇଁ ଅନ୍ ଲାଇନ୍ ମାଧ୍ୟମରେ ଆବେଦନ କରୁଥିଲେ ମଧ୍ୟ ଏହାର ଯାଞ୍ଚ୍ ପ୍ରକ୍ରିୟା ଆରଆଇଙ୍କ ହାତରେ ନ୍ୟସ୍ତ ରହିଛି I ଏହି ଯାଞ୍ଚ୍ ପାଇଁ ସେଠାରେ କାର୍ଯ୍ୟରତ ରାଜସ୍ୱ ନିରିକ୍ଷକ ଗୀତାଞ୍ଜଳି ମଲ୍ଲିକ ଦାବି କରୁଛନ୍ତି ହାତ ଗୁଞ୍ଜା I ହାତଗୁଞ୍ଜା ନମିଳିଲେ ହିତାଧିକାରୀଙ୍କୁ ଜାଣିଶୁଣି ହଇରାଣ କରିବା ଆରଆଇ ଶ୍ରୀମତୀ ମଲ୍ଲିକଙ୍କ ଅଭ୍ୟାସରେ ପରିଣତ ହୋଇଯାଇଛି I ବିଭିନ୍ନ କାର୍ଯ୍ୟରେ ଆରଆଇ ଶ୍ରୀମତୀ ମଲ୍ଲିକ ଲାଞ୍ଚ ପାଇଁ ଦାବି କରୁଥିବା ତାଲିକା ଖୁବ୍ ଲମ୍ବା I ଏହି ତାଲିକା ମଧ୍ୟରେ ରହିଛି ଲାଞ୍ଚ ନଦେବାରୁ ୫୦୦ ଟଙ୍କା ଭତ୍ତା ପାଉଥିବା ଜଣେ ବାପ ଛେଉଣ୍ଡ ବିକଳାଙ୍ଗ ବାର୍ଷିକ ଆୟ ୩୮୦୦୦ଟଙ୍କା କରିଦେବା I ସୂଚନା ପ୍ରକାରେ ଗୋବରା ହରିବନ୍ଧୁ ଡାକୁଆ ପୋଷ୍ଟ ପିଅନ ଥାଇ ମୃତ୍ୟୁ କରିଥିବା ବେଳେ ତାଙ୍କ ଉତ୍ତରାଧିକାରୀକୁ କର୍ମ ନିଯୁକ୍ତି ପାଇଁ ୧୮ ହଜାରରୁ କମ ବାର୍ଷିକ ରୋଜଗାର ପ୍ରମାଣ ପତ୍ର ତହସିଲଦାରଙ୍କ ଠାରୁ ଆଣିବାକୁ ଡାକବିଭାଗ ନିର୍ଦେଶ ଦେଇଥିଲେ l ସ୍ବର୍ଗତ ଡାକୁଆଙ୍କ ପରିବାର ପ୍ରମାଣପତ୍ର ପାଇଁ ଆବେଦନ କରି ପଂଚାୟତ ପ୍ରତିନିଧି ସହ ଗ୍ରାମଭଦ୍ର ବ୍ୟକ୍ତି ସ୍ଵାକ୍ଷର କରି ଲେଖି ଦେଇଥିଲେ I ସ୍ୱର୍ଗତ ଡାକୁଆଙ୍କ ଭିନ୍ନକ୍ଷମ ପୁଅର ବାର୍ଷିକ ଆୟ ୧୮ ହଜାର ଟଙ୍କାରୁ କମ l ସ୍ଵର୍ଗତ ଡାକୁଆଙ୍କ ପରିବାରରୁ ରାଜସ୍ୱନିରୀକ୍ଷକ ଗୀତାଞ୍ଜଳି ମଲ୍ଲିକ ପ୍ରମାଣ ପତ୍ର କରାଇବା ପାଇଁ ଏକ ହଜାର ଦାବୀ କରିଥିଲେ I କିନ୍ତୁ ଅସହାୟ ଡାକୁଆ ପରିବାର ପାଞ୍ଚ ଶହ ଟଙ୍କା ଦେଇଥିଲେ l ଫଳତଃ ଏକ ହଜାର ଟଙ୍କା ଲାଞ୍ଚ ନଦେବାରୁ ସ୍ୱଗତ ଡାକୁଆଙ୍କ ବିକଳାଙ୍ଗ ପୁଅର ବାର୍ଷିକ ଆୟ ୩୮୦୦୦ କରିଦେଲେ ଗୋବରା ରାଜସ୍ୱ ନିରୀକ୍ଷକ ଗୀତାଞ୍ଜଳି ମଲ୍ଲିକ l ସେହିପରି ଭଗବାନ ଡାକୁଆ ଝିଅର ଜାତିଗତ ପ୍ରମାଣପତ୍ର ପାଇଁ ୧୦୦୦ ଟଙ୍କା ଲାଞ୍ଚ ନଦେବାରୁ ତାଙ୍କର ପ୍ରମାଣପତ୍ର ପାଇବାରେ ବିଳମ୍ବ ହୋଇଛି I ରାଜେନ୍ଦ୍ର ସାହୁ ବାପାଙ୍କ ଉତ୍ତରାଧିକାରୀ ପ୍ରମାଣ ପତ୍ର ଆବେଦନ କରି ୧୦୦୦ ଟଙ୍କା ଲାଞ୍ଚ ଦେଇଥିଲେ ବଳକା ୨୦୦୦ ଟଙ୍କା ନ ଦେବାରୁ ସେ ମଧ୍ୟ ଉତ୍ତରାଧିକାରୀ ପ୍ରମାଣପତ୍ର ପାଇବାରୁ ବଞ୍ଚିତ ହୋଇଛନ୍ତି I ଲାଞ୍ଚ ନଦେବାରୁ ଶ୍ୟାମଘନ ରାଉତଙ୍କ ଓବିସି ପ୍ରମାଣପତ୍ର ପାଇବାରେ ବିଳମ୍ବ ହୋଇଥିଲା I ଫଳରେ ସେ ଚକେରି ଆବେଦନ କରି ପାରିନଥିଲେ I ରାମକୃଷ୍ଣ ପାତ୍ର ଝିଆରୀ ପାଇଁ ଆୟ ପ୍ରମାଣପତ୍ର ଆବେଦନ କରି ପାଇନଥିବାରୁ ଛାତ୍ରୀ ଜଣଙ୍କ ଉଚ୍ଚ ଶିକ୍ଷାରେ ଛାଡ଼ ଟଙ୍କା ପାଇବାରୁ ବଂଚିତ ହୋଇଥିଲେ I ଏହିଭଳି ଭାବେ ଆରଆଇ ଶ୍ରୀମତୀ ମଲ୍ଲିକଙ୍କ ନାମରେ ଅଭିଯୋଗର ଫର୍ଦ୍ଦ ବହୁତ ଲମ୍ବା I ତେଣୁ ତୁରନ୍ତ ଏହି ଲାଞ୍ଚ ଖୋର୍ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ ପାଇଁ ସ୍ଥାନୀୟ ଜନ ସାଧାରଣଙ୍କ ସମେତ ଜନ ପ୍ରତିନିଧି, ବୁଦ୍ଧିଜୀବୀ ଦାବି କରିଛନ୍ତି I ଏ ନେଇ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର ଧରଣୀଧର ବେହେରାଙ୍କୁ ଯୋଗାଯୋଗ କରିବାରୁ ଗୀତାଞ୍ଜଳୀଙ୍କ ବିରୋଧରେ କିଛି ହିତାଧିକାରୀ ତହସିଲଦାର ଙ୍କୁ୨ ଭେଟି୨ ଅବଗତ କରାଇଛନ୍ତି । ଏହାକୁ ଗୁରୁତର ଭାବେ ଗ୍ରହଣ କରାଯାଇଛି । ଦିନେ ଦୁଇ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଥିଲେ । ପ୍ରକାଶ ଥାଉକି ଗୀତାଞ୍ଜଳି ପୂର୍ବରୁ ବଙ୍କା ଆରଆଇ ଥିବାବେଳେ ବିଭିନ୍ନ ଲୋକଙ୍କଠାରୁ ମୋଟା ଅଙ୍କର ଅର୍ଥ ରାଶି ଦାବିକରୁଥିବାରୁ ଜନ ଅସନ୍ତୋଷ ବୃଦ୍ଧିପାଇବାରୁ ତତ୍କାଳୀନ ତହସିଲଦାର ତାଙ୍କୁ ଗୋବରା ସର୍କଲକୁ ବଦଳି କରିଥିଲେ ।