ପ୍ରଳୟଙ୍କର ‘ଫନି’ ବିରୁଦ୍ଧରେ ଆଜାଦୀ ଠେଙ୍ଗାବାହିନୀର ଯୁଦ୍ଧ ଘୋଷଣା
୧୯୯୯ ସର୍ବାଧିକ ବିଭିଷିକାମୟ ସୁପରସାଇକ୍ଲୋନ୍ ବା ଚରମ-ଚକ୍ରବାତ୍ୟାର କାଳାନ୍ତକ ମୃତ୍ୟୁତାଣ୍ଡବ, ନିସ୍ତବ୍ଧ ଶ୍ମଶାନରେ ପରିଣତ କରିଦେଇଥିଲା ତମାମ୍ ଓଡିଶାର ଉପକୂଳବର୍ତୀ ଭୂଖଣ୍ଡକୁ । ଆସନ୍ନ ନିଷ୍ଠୁର ସାମୁଦ୍ରିକ ତୋଫାନ୍ ‘ଫନି’ର ବିଷୁବ ବୃତ ନିକଟରେ ସୃଷ୍ଟିହୋଇ ଭାରତ ମହାସାଗର ଓ ବଙ୍ଗପସାଗର ଦେଇ ଓଡିଶା ଆଡକୁ ମାଡିଆସୁଛି । ୩ ଓ ୪ ତାରିଖରେ ‘ଫନି’ର ଲହଲହ ଜିହ୍ୱା ସତେ କ’ଣ ଚାଟିନବ ଓଡିଶାର ଉପକୂଳକୁ ? ୱାସିଂଟନ୍ ଖବର ଅନୁଯାୟୀ ସମୁଦ୍ରରୁ ୨୮ ମିଟର ଉଚ୍ଚତାର ଢେଉ ଉଠିବ, ଏହା ସହିତ ପବନର ବେଗ ଘଂଟାପ୍ରତି ୨୬୦ କି.ମି. ପର୍ଯ୍ୟନ୍ତ ବୋହିପାରେ । ଭୋକର ଭୂଗୋଳ ଦୁଃଖିନୀ ଓଡିଶାର ସ୍ଥିତି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିବାର ଆଗୁଆ ସୂଚନା ତୁହାକୁ ତୁହା ଗଣମାଧ୍ୟମରେ ପ୍ରଚାର କରାଯାଉଛି । ଓଡିଶାରେ ମହାବିପତି ‘ଫନି’ ବିରୁଦ୍ଧରେ ସର୍ବଭାରତୀୟ ଆଜାଦୀ ଠେଙ୍ଗାବାହିନୀ ଯୁଦ୍ଧ ଘୋଷଣା କରୁଛିବୋଲି ମେଜରଜେନେରାଲ ମାୟାଧର ନାୟକ ପ୍ରେସ୍ ଇସ୍ତାହାରରେ ଘୋଷଣା କରିଛନ୍ତି ।
ଶ୍ରୀ ନାୟକ କହିଛନ୍ତି – ଆମେ ଆଜାଦୀ ଠେଙ୍ଗାବାହିନୀ ୧୯’ଜାନୁଆରୀରେ ‘ଥିଲେ ଦିଅ-ନଥିଲେ ନିଅ’ ଶୀତ ବୁରୁଦ୍ଧରେ ଯୁଦ୍ଧ ଘୋଷଣାକରି ୨୦ ଦିନରେ ୨୦ଟି ଜିଲ୍ଲାରେ ନୁଆପୁରୁଣା ଶୀତବସ୍ତ୍ର ବଂଟନକରି ଓଡିଶାରେ ନବଜାଗରଣ ସୃଷ୍ଟିକରିଛୁ । ଏବେ ସମ୍ଭାବ୍ୟ ଆର୍ନ୍ତଜାତୀୟ ବିପତି ‘ଫନି’ ବିରୁଦ୍ଧରେ ଆଜାଦୀ ଠେଙ୍ଗାବାହିନୀର ସ୍ୱେଛାସେବୀମାନେ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ମୋର ନିର୍ଦ୍ଦେଶରେ ଠେଙ୍ଗାବାହିନୀର ଚିଫ୍ କମାଣ୍ଡର କୃଷକ ଲକ୍ଷ୍ମଣ ଦାସଙ୍କ ତତ୍ୱାବଧାନରେ ୨ ତାରିଖରୁ କଟକ ଜିଲ୍ଲା ଇନ୍ଚାର୍ଜ ପ୍ରଶାନ୍ତ ବାରିକଙ୍କ ନେତୃତ୍ୱରେ ଶହଶହ ସ୍ୱେଛାସେବୀ ଭୁବନେଶ୍ୱର ରେଡ୍କ୍ରସ୍ ଭବନରେ ପହଂଚି ଖାଦ୍ୟପୁଡିଆ ପ୍ରସ୍ତୁତ କରିବାରେ ଲାଗିଛନ୍ତି । ପୁରୀ ଜିଲ୍ଲା ଇନ୍ଚାର୍ଜ ଲଲାଟେନ୍ଦୁ ମିଶ୍ର (ଲୁଲୁ) ୨୦୦ ଠେଙ୍ଗାବାହିନୀ ସ୍ୱେଛାସେବୀଙ୍କୁ ନେଇ ଏସ୍.ପି. ଓ ଜିଲ୍ଲାପାଳଙ୍କ ସହଯୋଗରେ ପୁରୀରେ କାର୍ଯ୍ୟରତ ଅଛନ୍ତି । କେନ୍ଦ୍ରାପଡା ଠେଙ୍ଗାବାହିନୀ ଇନ୍ଚାର୍ଜ ଉର୍ବଷୀ ଦାସ ଓ ସୋହେନା ବେଗମ୍, ଜଗତସିଂହପୁର ଇନ୍ଚାର୍ଜ ବିଟୁ ନାୟକ, ଯାଜପୁର ଜିଲ୍ଲାର ରଞ୍ଜନ କୁମାର ଜେନା, ନରେନ୍ଦ୍ର କୁମାର ନାୟକ, ଜବାରାଣୀ ନାୟକ, ଅଭିନାଶ ମହାରଣା, ପ୍ରକାଶ ମିଶ୍ର, ଭଦ୍ରକ ଜିଲ୍ଲାରେ ଜୟନ୍ତୀ ମଲ୍ଲିକ, ମଞ୍ଜୁ ମଲ୍ଲିକ, ଆଦିତ୍ୟ ନାୟକ, ମାଧବ ଚନ୍ଦ୍ର ସେଠୀ, ଅନିଲ ପଣ୍ଡା, ବାଲେଶ୍ୱରରେ ବାବୁଲି ପଣ୍ଡା, ମାୟାଧର ପ୍ରଧାନ, ତ୍ରୈଲୋକନାଥ ସେନ୍ ଓ ରେବତୀ ନାୟକ, କେନ୍ଦୁଝରରେ ସନ୍ତୋଷୀ ଦେଓ, ସଞ୍ଜୁଲତା ବାରିକ୍, ଗଞ୍ଜାମର ଅରୁଣ କୁମାର ସାହୁ, ପ୍ରଦ୍ୟୁମ୍ନ ବେହେରା ପ୍ରମୂଖ ବିଭିନ୍ନ ଜିଲ୍ଲାରେ ‘ଫନି’ ମୁକାବିଲା ପାଇଁ ସଜାଗହୋଇ ଅଛନ୍ତି । ସେହିଭଳି ପଶ୍ଚିମବଙ୍ଗ ରାଜ୍ୟ ଇନ୍ଚାର୍ଜ ସୁରଜିତ୍ ମଣ୍ଡଳ ମଧ୍ୟ ଆଜାଦୀ ଠେଙ୍ଗାବାହିନୀ ସ୍ୱେଛାସେବୀଙ୍କୁ ନେଇ କାର୍ଯ୍ୟରତ ଅଛନ୍ତି । ଏହି ମହାବିପତିବେଳେ ବାତ୍ୟା ଆଶ୍ରୟସ୍ଥଳୀ, ସ୍କୁଲ ଏବଂ ଯେଉଁମାନଙ୍କ ମଜବୁତ୍ କୋଠାଘର ଅଛି, ସେମାନେ ନିରାଶ୍ରୟମାନଙ୍କୁ ସହଯୋଗର ହାତ ବଢାଇବେ । ଠେଙ୍ଗାବାହିନୀର ସ୍ୱେଛାସେବୀମାନେ ପ୍ରାଣପ୍ରଣେ ବିପନ୍ନଙ୍କୁ ସାହାଯ୍ୟ ଓ ସହଯୋଗ କରିବେ ।
ଶ୍ରୀ ନାୟକ କହିଛନ୍ତି – ରାଜ୍ୟ ପ୍ରଶାସନକୁ ଆମ ଆଜାଦୀ ଠେଙ୍ଗାବାହିନୀ ସ୍ୱେଛାସେବୀମାନେ ସହଯୋଗ କରୁଛନ୍ତି । ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ, ଏସ୍.ପି.ମାନଙ୍କୁ ଆଜାଦୀ ଠେଙ୍ଗାବାହିନୀ ସ୍ୱେଛାସେବୀମାନେ ଯୋଗାଯୋଗ କରନ୍ତୁ । ଅତି ଅସୁବିଧା ହେଲେ ସାହାଯ୍ୟ ଓ ସହଯୋଗ ପାଇଁ କୃଷକ ଲକ୍ଷ୍ମଣ ଦାସ (ଚିଫ୍ କମାଣ୍ଡର), ମୋବାଇଲ୍ ନଂ – ୯୪୩୮୦୪୬୯୯, ମେଜରଜେନେରାଲ ମାୟାଧର ନାୟକ, ମୋବାଇଲ ନଂ – ୯୮୬୧୦୩୪୧୬୩କୁ ରାତିଦିନ ୨୪ ଘଂଟା ଯୋଗାଯୋଗ କରିପାରିବେ । ଓଡିଶାବାସୀଙ୍କୁ ନିବେଦନ ଏ ବିପଦବେଳେ ଦଳମତ ନିର୍ବିଶେଷରେ ଭେଦଭାବ ଭୁଲି ସମସ୍ତେ ସାହାଯ୍ୟ ସହଯୋଗର ହାତ ଅକୁଣ୍ଠ ଚିତରେ ବଢେଇଦିଅନ୍ତୁ ।