ପ୍ରଶାସନର ଅଜାଣତରେ ଛାଡି ଚାଲିଗଲା ପ୍ରବାସୀ ଓଡିଆଙ୍କୁ ବସ
ମୋହନା, (ଅଂଶୁମାନ ପଣ୍ଡା):ସାରା ଦେଶରେ କରୋନା ଭୁତାଣୁ ତାର କାୟା ବିସ୍ତାର କରି ମହାତାଣ୍ଡବ ରଚିଥିବା ବେଳେ ସେଥି ମଧ୍ୟରେ ଓଡିଶା ମଧ୍ୟ ବହୁ ମାତ୍ରାରେ ଆକ୍ରାନ୍ତ ହୋଇସାରିଛି । ଏହାକୁ ନଜରରେ ରଖି ପ୍ରବାସୀ ଓଡିଆମାନଙ୍କୁ ପଞ୍ଜୀକୃତ କରାଇ ନିଜ ରାଜ୍ୟକୁ ଫେରାଇ ଆଣିବା ସହ କ୍ୱାରେଂନଟାଇନ ଗୃହରେ ରଖାଯାଉଛି । ଯେ କୌଣସି ବ୍ୟକ୍ତ ପ୍ରଶାସନର ଅଜାଣତରେ ନିଜ ଗାଁକୁ ଫେରିଥାଏ ସେହି ବ୍ୟକ୍ତିମାନଙ୍କୁ ଗାଁରେ ନପୁରାଇବା ସହ ପ୍ରଶାସନକୁ ଜଣାଇବା ପାଇଁ ହେଲପ ଲାଇନ ଜାରି କରାଯାଇଛି । ହେଲେ ଏହି ନିୟମକୁ କିଛି ବ୍ୟକ୍ତିମାନେ ନମାନି ଖୁଲମଖୋଲା ପ୍ରବାସୀ ଓଡିଆମାନଙ୍କୁ ମିଳାମିଶା କରିଥିବା ଦେଖିବାକୁ ମିଳିଛି । ଆଜି ଅପରାହ୍ନ ୪ଟା ସମୟରେ ତାମିଲନାଡୁରୁ ୧୪ ଜଣ ପ୍ରବାସୀ ଓଡିଆ ବସ ଭଡା କରି ରାୟଗଡା ଜିଲ୍ଲା ଦେଇ ଗଜପତିର ମୋହନାରେ ପ୍ରବେଶ କରିଛନ୍ତି । ସେମାନଙ୍କୁ ବସ ଡ୍ରାଇଭର ସ୍ଥାନୀୟ କଲେଜ ଛକ ନିକଟରେ ଓହ୍ଲାଇ ଚାଲି ଯାଇଥିଲା । ଯାହା ଫଳରେ ପ୍ରବାସୀ ଓଡିଆମାନେ ରାସ୍ତା କଡରେ ବୁଲୁଥିବା ଦେଖି ଜନସାଧାରଣ ଭୟ ଭିତ ହୋଇଯାଇଥିଲେ । ମୋହନା ବିଡିଓଙ୍କୁ ଜଣାଇବା ପରେ ମୋହନା ବିିଡିଓ ବଂଶିଧର ଖୋସଲା ଘଟଣାସ୍ଥଳରେ ପଂହଚି ସ୍ୱତନ୍ତ୍ର ବସ ଯୋଗେ କମଳାପୁର ନାକା ପଏଂଟକୁ ପଠାଇଛନ୍ତି । ସେହିପରି ଅନ୍ୟ ୭ ଜଣ ପ୍ରବାସୀ ଓଡିଆ ରାୟଗଡା ଦେଇ ମୋହନାକୁ ପଂହଚିଛନ୍ତି ସେମାନଙ୍କୁ ମଧ୍ୟ ମୋହନା ବଜାରରେ ବସଟି ଓହ୍ଲାଇ ପ୍ରଶାସନକୁ ନଜଣେଇ ଚାଲି ଯାଇଛି । ଯାହା ଫଳରେ ଲୋକେ ଭୟଭୀତ ହୋଇ ପ୍ରବାସୀ ଓଡିଆ ୭ଜଣଙ୍କୁ ମୋହନା ବ୍ଳକ ନିକଟରେ ନେଇ ପହଂଚାଇ ଥିଲେ । ସେମାନଙ୍କ ହାତରେ ମଧ୍ୟ ସିଲ ବାଜିଥିବା ଦେଖିବାକୁ ମିଳିଛି । ଏହି ୭ ଜଣ ଉଦୟଗିରି ବ୍ଳକର ବୋଲି ଜଣାପଡିଛି । ସେମାନଙ୍କୁ ତାଙ୍କ ଯାଂଚ ପରେ ଉଦୟଗିରି ବ୍ଲକକୁ ପଠାଯିବ ବୋଲି ପ୍ରଶାସନ ପକ୍ଷରୁ ଜଣାପଡିଛି ।