ପ୍ରଶାସନର ହସ୍ତକ୍ଷେପ ପରେ ରାସ୍ତାରୁ ହଟାଗଲା ବାଉଁଶ ବାଡ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ରଣଦେବୀ ଛକ ନିକଟରେ ମୁଖ୍ୟରାସ୍ତା ଉପରେ ଗତ କିଛି ଦିନ ହେଲା ଜଣେ ବ୍ୟକ୍ତି ନିଜ ଜାଗା ବୋଲି ଦର୍ଶାଇ ରାସ୍ତାକୁ ଲାଗି ବାଉଁଶ ବାଡ ବେଡିଦେଇଥିଲେ । ଏହି ଘଟଣା ପ୍ରଶାସନ ନିକଟରେ ପହଞ୍ଚିବାପରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀଙ୍କ ନେତୃତ୍ୱରେ ପୋଲିସ ଟିମ୍ ସମେତ ବିଭିନ୍ନ ଅଧିକାରୀମାନଙ୍କ ଉପସ୍ଥିତିରେ ବାଉଁଶବାଡକୁ ଭାଙ୍ଗି ବାହାର କରିଦିଆଯାଇଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଗତ କିଛି ଦିନ ପୂର୍ବେ ରଣଦେବୀ ଛକ ନିକଟରେ ଜଣେ ବ୍ୟକ୍ତି ଜାଗା ବିବାଦକୁ ନେଇ ସରକାରୀ ଜାଗା ତଥା ସର୍ବସାଧାରଣ ଗମନାଗମନ କରୁଥିବା ରାସ୍ତା ଉପରେ ବାଉଁଶବାଡ ପକାଇ ରାସ୍ତା ଅବରୋଧ କରିଥିଲେ । ଇତିମଧ୍ୟରେ ସ୍ଥାନୀୟ ଲୋକେ ଓ ଯାତାୟତ କରୁଥିବା ସର୍ବସାଧାରଣ ନାନାଦି ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏହାକୁ ନେଇ ସମ୍ପୃକ୍ତ ନିଜ ଜାଗା ବୋଲି ଦର୍ଶାଉଥିବା ବ୍ୟକ୍ତିଜଣକଙ୍କୁ ଲୋକେ ଏସବୁକୁ ହଟାଇବାକୁ ନିବେଦନ କରିଥିଲେ ମଧ୍ୟ ସେ ଶୁଣି ନଥିଲେ । ଖବର ପାଇ ଜିଲ୍ଲାପ୍ରଶାସନ ବୁଧବାର ସନ୍ଧ୍ୟା ସମୟରେ ପୋଲିସର ଉପସ୍ଥିତିରେ ଜେସିବି ମେସିନ ଲଗାଇ ବାଉଁଶବାଡକୁ ହଟାଇ ଥିଲେ । ଏନେଇ ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀ କହିଛନ୍ତି ଯେ, ସର୍ବସାଧାରଣ ରାସ୍ତାରେ ବ୍ୟକ୍ତି ଜଣକ ଏପରି କରିବା ଉଚିତ ନଥିଲା । ସେ ଉକ୍ତ ମାମଲାକୁ ନେଇ ବିଭାଗୀୟ ନିକଟରେ ଅଭିଯୋଗ କରିପାରିଥାନ୍ତେ । ତେବେ ଏପରି ସର୍ବସାଧାରଣ ରାସ୍ତାରେ ବା ସମୂହ ଲୋକଙ୍କ କାମରେ ଆସୁଥିବା ସ୍ଥାନ ବା ଜାଗାକୁ କେହି ବି ଦାବି କରିପାରିବେ ନାହିଁ ବୋଲି କହିଛନ୍ତି । ଏନେଇ ଅଧିକା ତଦନ୍ତ ଜାରି ରହିବ ଏବଂ ପରେ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ପୂର୍ତ୍ତବିଭାଗର ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ଦାସ ପ୍ରମୁଖଙ୍କ ସହ ଗୁରାଣ୍ଡି ଥାନା ଅଧିକାରୀ ରବୀନ୍ଦ୍ରନାଥ ପାତ୍ରଙ୍କ ନେତୃତ୍ୱରେ ବହୁ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ