ପ୍ରଶାସନିକ ନା ରାଜନୈତିକ ଅବହେଳା;ଅନୁଦାନ ଓ ଜାଗା ଚିହ୍ନଟର ୩ବର୍ଷ ପୁରିଲା, ତଥାପି ରାୟଗଡ ମିନି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଆଦିବାସୀ ବହୁଳ ଗଜପତି ଜିଲ୍ଲାର ରାୟଗଡ ବ୍ଲକରେ କ୍ରୀଡାର ଉନ୍ନତି ଏବଂ କୀଡାବିତ୍ତଙ୍କ ନୂତନ ସୁଯୋଗ ସୃଷ୍ଟି ପାଇଁ ସରକାରୀ ଭାବେ ଷ୍ଟାଡିୟମ ନିର୍ମାଣ ପାଇଁ ଜାଗା ଚିହ୍ନଟ ଓ ଅନୁଦାନ ମିଳି ୩ବର୍ଷ ପୁରିଲା । ତଥାପି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ । ଏନେଇ ରାୟଗଡ ବ୍ଲକ ଅଞ୍ଚଳରେ ଜନ ଅସନ୍ତୋଷ ବୃଦ୍ଧି ପାଇବା ସହ ପ୍ରଶାସନିକ ନା ରାଜନୈତିକ ଇଛାଶକ୍ତିର ଅଭାବ ଯୋଗୁଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁ ନାହିଁ ବୋଲି ସାଧାରଣ ପ୍ରଶ୍ନ କରିଛନ୍ତି । ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ରାୟଗଡ ବ୍ଲକ ସଦର ମହକୁମା ରାୟଗଡ ଠାରେ ଏକ ମିନି ଷ୍ଟାଡିୟମ ନିର୍ମାଣ ପାଇଁ ୩ବର୍ଷ ତଳେ ଅର୍ଥ ମଞ୍ଜୁରୀ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଷ୍ଟାଡିୟମ କାର୍ଯ୍ୟ ଆରମ୍ଭ ହୋଇ ନାହିଁ । ପ୍ରତି ବ୍ଲକରେ ଗୋଟିଏ ଲେଖାଁଏ ମିନି ଷ୍ଟାଡିୟମ ନିର୍ମାଣ କରି ଗ୍ରାମାଞ୍ଚଳରେ କ୍ରୀଡାର ଭିତ୍ତିଭୂମି ସୁଦୃଢ କରିବାପାଇଁ ସରକାର ଟଙ୍କା ପ୍ରଦାନ କରିଛନ୍ତି । କିନ୍ତୁ ଏଠାରେ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଓ ନେତାଙ୍କ ଇଛା ଶକ୍ତିର ଅଭାବ ଯୋଗୁଁ ସବୁ କିଛି ଅଟକି ପଡିଛି । ଏଠାରେ ପ୍ରକାଶ ଯୋଗ୍ୟ ଆଦିବାସୀ ଅଧ୍ୟୁଷିତ ରାୟଗଡ ବ୍ଲକରେ କ୍ରୀଡାପ୍ରତିଭାଙ୍କ ଅଭାବ ନଥିଲେ ମଧ୍ୟ ଭିତ୍ତି ଭୂମି ଅଭାବରୁ ସେମାନେ ବିକୋଶିତ ହୋଇପାରୁ ନାହାନ୍ତି । ଅନ୍ୟପକ୍ଷରେ ସେମାନେ ପ୍ରତିଯୋଗୀତାରେ ସଫଳ ହେବାପାଇଁ ନିଜକୁ ସକ୍ଷମ କରିପାରୁ ନାହାନ୍ତି । କ୍ରୀଡା ପ୍ରେମୀମାନେ ବାରମ୍ବାର ବିଡିଓ, ତହସିଲଦାର ଏବଂ ରାଜନେତାଙ୍କୁ ଦାବୀପତ୍ର ଦେଲେ ମଧ୍ୟ ଆଜି ଯାଏଁ ତାହା ଫଳ ପ୍ରଦା ହୋଇନାହିଁ ଯାହା ଫଳରେ କ୍ରୀଡା ପ୍ରେମୀମାନେ ହତାଶ ହେଉଛନ୍ତି । ମିନି ଷ୍ଟାଡିୟମ ନିର୍ମାଣ ପାଇଁ ଗତ ୨୦୧୭ ମସିହାରେ ୧୦ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର ହୋଇଥିଲା ଏବଂ ପରେ ବାକି ୧୫ଲକ୍ଷ ଅନୁଦାନ ଆସିଥିବାବେଳେ ତହସିଲଦାରଙ୍କ ଦ୍ୱାରା ଜାଗା ମଧ୍ୟ ଚିହ୍ନଟ ହୋଇଥିଲା । ଅନୁଦାନ ଓ ଜାଗା ଚିହ୍ନଟପରେ ଷ୍ଟାଡିୟମ ନିର୍ମାଣ ନହେବାରୁ କ୍ରୀଡାବିତ୍ତ ଓ ଯୁବପୀଢିଙ୍କୁ ତାତ୍ସଲ୍ୟ କରାଯାଉଛି ବୋଲି ଅଭିଯୋଗ ହେଉଛି । ଆଜିକୁ ଦୀର୍ଘ ବର୍ଷ ହେଲା ଏହାଉପରେ କୌଣସି ପଦକ୍ଷେପ ନିଆଯାଉନି । ଏହା ପ୍ରଶାସନିକ ଅବହେଳା ନା ରାଜନୈତିକ ଇଛା ଶକ୍ତିର ଅଭାବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏନେଇ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶ ମହେଶ କୁମାର ଚୌଧୁରୀଙ୍କୁ ପଚାରିବାରୁ ଏ ବିଷୟରେ ମୁଁ କିଛି ଜାଣିନି କିମ୍ବା କିଛି କହିପାରିବି ନାହିଁ, ବିଡିଓଙ୍କ ସହ ଯୋଗାଯୋଗ କରନ୍ତୁ ବୋଲି କହିଛନ୍ତି । ଏନେଇ ମୋହନା ବିଧାୟକଙ୍କ ସହ ଯୋଗାଯୋଗ କରିବାରୁ ରାୟଗଡ ବ୍ଲକ ଅଧ୍ୟକ୍ଷକଙ୍କ ଷ୍ଟାଡିୟମ କରିବାକୁ ଇଛାଶକ୍ତି ଥିଲେ ସବୁ ସମ୍ଭବ ହେବ ବୋଲି କହିଥିଲେ । ସେ ଯଦି ଚାହିଁବେ କାମ ହୋଇପାରିବ ସେ ଚାହୁଁନାହାନ୍ତି ତେଣୁ ତାହା ହୋଇପାରୁନାହିଁ । ରାଜନୈତିକ ନେତାଙ୍କ ଇଚ୍ଛାଶକ୍ତିର ଅଭା ଯୋଗୁଁ ରାୟଗଡ ବ୍ଲକରେ ମିନି ଷ୍ଟାଡିୟମ ହୋଇପାରୁନାହିଁ । କରୋନା ଯୋଗୁଁ ୨୦୨୦ ବର୍ଷ ଭଲ ନାହିଁ ତେଣୁ ନୂତନ ବର୍ଷ ୨୦୨୧ରେ ରାୟଗଡ ବ୍ଲକ ପାଇଁ ମୁଁ କିଛି ନୂଆ କାମ କରି ଦେଖେଇବି ବୋଲି ବିଧାୟକ କହିଛନ୍ତି । ଅପରପକ୍ଷରେ ବ୍ଲକ ଅଧ୍ୟକ୍ଷ ଧନେଶ୍ୱର ଭୂୟାଁ ଅଭିଯୋଗ କରିଛନ୍ତି ଯେ ବିଡିଓଙ୍କ ଅପାରଗତା ଯୋଗୁଁ ଷ୍ଟାଡିୟମ କାମ ଆରମ୍ଭ ହୋଇପାରୁ ନାହିଁ । ଏପରି ପରସ୍ପରକୁ କାଦୁଅ ଫିଙ୍ଗାଫିଙ୍ଗି ମଧ୍ୟରେ ବିଡିଓ ଲୁକାସ ପ୍ରଧାନ କହିଛନ୍ତି ଯେ ତହସିଲଦାର ଯଦି ଆମକୁ ଜବରଦଖଲ ମୁକ୍ତ ଜାଗା ଦେଖାଇଲେ ଆମେ ଉକ୍ତ କାମ ଆରମ୍ଭ କରିଦେବୁ ।


