ପ୍ରଶାସନ ଓ ବିଜେଡି ନେତାଙ୍କ ହସ୍ତକ୍ଷେପରେ ପରିବା ମାର୍କେଟ ତରଫରୁ ହରତାଳ ଉଠିଲା

ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଦୈନିକ ପରିବା ହାଟରେ ତ୍ରିନାଥ ପରିବା ମାର୍କେଟ ସଂଘ ତରଫରୁ ବିଭିନ୍ନ ଦାବି ନେଇ ଗତ ବୁଧବାରଠାରୁ ଶନିବାର ପର୍ଯ୍ୟନ୍ତ ୪ ଦିନ ହେଲା ହୋଇଥିବା ହଡତାଳ ଶନିବାର ଦିନ ପ୍ରଶାସନ ଓ ବିଜେଡି ନେତାଙ୍କ ହସ୍ତକ୍ଷେପ ପରେ ସମାଧାନ ହୋଇଛି । ପ୍ରକାଶ ଥାଉକି ପୌର ପରିବା ମାର୍କେଟର ଟେଣ୍ଡର ଅବଧି ଗତ ମାର୍ଚ୍ଚ ୩୧ ତାରିଖ ସରି ଯାଇଥିଲା ।ଏହି ସମୟରେ କରୋନା ପାଇଁ ଲକ୍ ଡାଉନ୍ ଜାରି ରହିଥିଲା । ପୌର କତୃପକ୍ଷ ନୁତନ ଟେଣ୍ଡର ଖୋଲି ନ ଥିଲେ । କର୍ମଚାରୀ ଅଭାବ ଏବଂ କୋଭିଡ-୧୯ ପାଇଁ ସମସ୍ତେ ବ୍ୟସ୍ତ ଥିଲେ । ସାମାଜିକ ଦୂରତା ,ଜନ ଗହଳି ଏବଂ ସ୍ଥାୟୀ ପରିବା ମାର୍କେଟ ସମସ୍ୟା ନେଇ ପ୍ରଶାସନ ତରଫରୁ ରାଇରଙ୍ଗପୁର ଶ୍ମଶାନ ଘାଟ ନିକଟସ୍ଥ ସତିକୁଦରରେ ଥିବା ୩ ଏକର ସରକାରୀ ଜମି ଉପରେ ପୌର ଦୈନିକ ହାଟ ମାସେ ହେଲା ବସାଇଛନ୍ତି ।ଯଦିଓ ଖାଲ, ଢିପ ଏବଂ ପିଇବା ପାଣି ବ୍ୟବସ୍ଥା ନ ଥିଲା ତଥାପି ପରିବା ବ୍ୟବସାୟୀ ମାନେ ଖାଉଟିଙ୍କ ସ୍ବାର୍ଥ ଓ ନିଜର ସ୍ଥାୟୀ ଜାଗା ସମସ୍ୟା ନେଇ ପରିବା ବ୍ୟବସାୟ କରି ଆସୁଥିଲେ । କିନ୍ତୁ ପରିବା ହାଟରୁ ମାହାସୁଲ ଉଠାଇବା ପାଇଁ ସେହି ପୁରୁଣା ଟେଣ୍ଡର ପଟାଧାରୀକୁ ପ୍ରଶାସନ ତରଫରୁ ମହାସୁର ଉଠାଇବା ପାଇଁ ନିର୍ଦ୍ଦେଶ ଦିଆ ଯାଇଥିଲା ।ଶିବ ବର ପାଇଲା ଭଳି ପୁରୁଣା ଟେଣ୍ଡର ଧାରୀ ଅତିରିକ୍ତ ମନଇଛା ଚଢା ମାହାସୁଲ ଉଠାଇବା ଚାଲିଥିଲା ।ଉଠା ପରିବା ଦୋକାନୀଙ୍କ ପାଖରୁ ୩୦ଟଙ୍କାରୁ ୫୦ଟଙ୍କା,ଅଟୋ ବାଲାଙ୍କ ଠାରୁ ୨୦୦ଟଙ୍କା, ପିକ୍ ଅପ୍ଭେନ୍ ରେ ଯିଏ ପରିବା ଆଣୁଥିଲେ ତାଙ୍କ ଠାରୁ ୧୦୦୦ରୁ ୧୫୦୦ ଟଙ୍କା ମାହାସୁଲ ଉଠାଉଥିଲା । ଏହାକୁ ନେଇ ପରିବା ବ୍ୟବସାୟୀ ମାନେ ଶୋଷଣର ଶିକାର ହୋଇ ଅତିଷ୍ଠ ହୋଇ ଏକ ସଂଘ ଗଢିଥିଲେ ।ତାହାର ନାମ ‘ତ୍ରିନାଥ ପରିବା ମାର୍କେଟ ସଂଘ’ ଯେଉଁଥିରେ ୨୦୦ରୁ ଉର୍ଦ୍ଧ୍ବ ପରିବା ବ୍ୟବସାୟୀ ସଭ୍ୟ ଅଛନ୍ତି । ସେମାନେ ନିଜରମାହାସୁଲ କମ କରିବା, ପୌର କର୍ମଚାରୀ ମାହାସୁଲ ଉଠାଇବା,ପରିବା ମାର୍କେଟରେ ପିଇବା ପାଣି ବ୍ୟବସ୍ଥା ଓ ସ୍ଥାୟୀ ପିଣ୍ଡି ବସାଇବା ବିଭିନ୍ନ ସମସ୍ୟା ନେଇ ପୌର କତୃପକ୍ଷଙ୍କୁ ଲିଖିତ ଅଭିଯୋଗ କରିଥିଲେ ଏବଂ ଗତ ବୁଧବାରଠାରୁ ଶନିବାର ଯାଏ ପରିବା ବ୍ୟବସାୟୀ ବନ୍ଦ କରି ହଡତାଳ କରିଥିଲେ ।ଆଜି ପରିବା ମାର୍କେଟରେ ତ୍ରିନାଥ ପରିବା ମାର୍କେଟ ସଂଘ ଏବଂ ମ୍ୟୁନିସିପାଲଟି ପ୍ରଶାସନ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମ୍ୟୁନିସିପାଲଟି ଚେୟାରମେନ ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ଏସଡିପିଓ ସ୍ନେହାଶିଷ ସାହୁ,ପୌର ଅଧିକାରୀ ଭାଗବତ ପ୍ରସାଦ ମହାପାତ୍ର, ରାଇରଙ୍ଗପୁର ତହସିଲଦାର ଯୋଗ ରଂଜନ ନାୟକ,ମୋରଡା ବିଜେଡି ବିଧାୟକ ରାଜ କିଶୋର ଦାସ, ମୟୂରଭଂଜ ସଦର ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ, ବିଜେଡି ଯୁବନେତା ଦିପ୍ତିମାନ ବଳ, ବିଜେଡି ଯୁବନେତା ଗଣେଶ ମିଶ୍ର, ତ୍ରିନାଥ ପରିବା ମାର୍କେଟ ସଂଘର ସଭାପତି ରାଜାରାମ ମହାନ୍ତ ଏବଂ ସଭ୍ୟ କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ରହି ଆଲୋଚନା କରିଥିଲେ । ଶେଷରେ ଏକ ସ୍ଥାୟୀ ସମାଧାନ ହୋଇଥିଲା । ଆଗକୁ ଉଠା ପରିବା ଦୋକାନୀମାନେ ୫ଟଙ୍କା ମାହାସୁଲ,ଅଟୋବାଲା ୫୦ ଟଙ୍କା,ପିକ ଅପ୍ ଭେନ ବାଲା ୨୦୦ଟଙ୍କା ଦେବେ,ଛୋଟ ମାଛ ବାଲା ୨୦ ଟଙ୍କା,ବଡମାଛବାଲା ୫୦ ଟଙ୍କା ମାହାସୁଲ ଦେବେ।୨ ଜଣ ପୌର କର୍ମଚାରୀ ଓ ୨ ଜଣ ପରିବା ମାର୍କେଟ ସଂଘର କର୍ମଚାରୀ ମାହାସୁଲ ଉଠାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।ଦିର୍ଘ ୪ଦିନ ହେଲା ପରିବା ମାର୍କେଟ ବନ୍ଦ ଯୋଗୁଁ ରାଇରଙ୍ଗପୁରବାସୀ ଏବଂ ଆଖପାଖ ଖାଉଟି ପରିବା ପାଇଁ ଡହଳ ବିକଳ ହେଉଥିଲେ ତଦସହ ମୁଣ୍ଡ ଉପରେ ରଜ । ବିଳମ୍ବରେ ହେଲେ ମଧ୍ୟ ସ୍ଥାୟୀ ସମାଧାନ ହେବା ସହ ଏଣିକି ପରିବା ଟିକେ ଶସ୍ତାରେ ମିଳିବ ବୋଲି ଖାଉଟି କଥା କୁହାକୁହି ହେଉଛନ୍ତି ।ପରିବା ମାର୍କେଟ ସଂଘ ତରଫରୁ ପ୍ରଶାସନକୁ ଏବଂ ସ୍ଥାନୀୟ ନେତୃବୃନ୍ଦଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ