ପ୍ରଶାସନ ପକ୍ଷରୁ ଡ୍ରେନ୍ ସଫେଇ ଆରମ୍ଭ ଡ୍ରେନ୍ ଉପରୁ ହଟିବ ଜବରଦଖଲ
ପୁରୀ (ଯୁଗାବ୍ଦ ନ୍ୟୁଜ୍) ରଥଯାତ୍ରାକୁ ଆଉ ୩୦ ଦିନ ରହିଥିଲା ବେଳେ ପ୍ରଶାସନକୁ ଘାରିଛି ପରିମଳ ବ୍ୟବସ୍ଥା । ରଥଯାତ୍ରା ସମୟରେ ବର୍ଷା ମାତ୍ରାଧିକ ମାତ୍ରାରେ ହୋଇଥାଏ । ଯାହା ଫଳରେ ବଡଦାଣ୍ଡ ଠାରୁ ଆରମ୍ଭ କରି ପୁରୀ ସହରର ଗଳିକନ୍ଦି ପାଣିରେ ଉବୁଟୁବୁ ହୋଇଥାଏ । ତତ୍ ସହିତ ରଥଯାତ୍ରାରେ ପ୍ରବଳ ବର୍ଷା ହେବା ଫଳରେ ଡ୍ରେନ୍ ଚୋକ୍ ହୋଇଯାଇଥାଏ । ଯାହା ଫଳରେ ବଡଦାଣ୍ଡରେ ନଳା ପାଣି ଲହଡି ମାରିଥାଏ । ସେହି ପାଣିରେ ମଧ୍ୟ ରଥଟଣା ହେବାର ନଜିର ରହିଛି । ଏହାକୁ ନେଇ ପ୍ରଶାସନ ସମେତ ସରକାର ସାରା ଦେଶରେ ବଦ୍ନାମ୍ ହୋଇଥିଲେ । ହେଲେ ଚଳିତ ବର୍ଷ ସେପରି କିଛି ହେବ ନାହିଁ ତାହାକୁ ଲକ୍ଷ୍ୟ କରି ନୂତନ ଭାବରେ ପୁରୀରେ ଜିଳ୍ଲାପାଳ ଭାବରେ ଯୋଗଦେଇଥିବା ବଳୱନ୍ତ ସିଂ ଏହାକୁ ଗୁରୁତର ଭାବରେ ଗ୍ରହଣ କରିଛନ୍ତି । ତେଣୁ କିପରି ଭାବରେ ସ୍ନାନଯାତ୍ରା ପୂର୍ବରୁ ସହରର ପରିମଳ ବ୍ୟବସ୍ଥା ସୁଧୁରିବ ସେ ନେଇ ପ୍ରକିୟା ଆରମ୍ଭ ହୋଇଛି । ସୋମବାର ଠାରୁ ଜିଲ୍ଲାପାଙ୍କ ନିର୍ଦ୍ଦେଶ କ୍ରମେ ସଫେଇ କର୍ମଚାରୀଙ୍କୁ ନିୟୋଜିତ କରାଯାଇ ଡ୍ରେନ୍ ସଫେଇ ଆରମ୍ଭ ହୋଇଛି । ଏହାକୁ ତଦାରଖ କରିବା ପାଇଁ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ନିଯୁକ୍ତି କରାଯାଇଛି । ସେମାନେ ଘଟଣାସ୍ଥଳରେ ରହି ସଫେଇ କାର୍ୟ୍ୟକୁ ତ୍ୱରାନ୍ୱିତ କରିବା ସହିତ କାର୍ୟ୍ୟର ସ୍ଥିତି ନେଇ ସଂନ୍ଧ୍ୟାରେ ଜିଲ୍ଲାପାଳଙ୍କୁ ରିପୋର୍ଟ କରିବେ । ଠିକ୍ ସେହିପରି ରଥଯାତ୍ରା ସରିବା ପର୍ୟ୍ୟନ୍ତ କୌଣସି ଅଧିକାରୀ ଛୁଟିରେ ଯିବେ ନାହିଁ ବୋଲି ରୋକ୍ଠୋକ୍ କହିଛନ୍ତି ଜିଲ୍ଲାପାଳ । ଅନ୍ୟପକ୍ଷରେ ଡ୍ରେନ୍ ଉପରେ ଜବରଦଖଲ କରିଥିବା ବ୍ୟବସାୟିକ ଅନୁଷ୍ଠାନ ଗୁଡିକୁ ତୁରନ୍ତ ହଟାଯିବ ବୋଲି ଜିଲ୍ଲାପାଳ ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଧାର୍ୟ୍ୟ ସମୟ ଭିତରେ ସହରର ପରିମଳ ବ୍ୟବସ୍ଥା ଶେଷ ହେଉଛି କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ।