ପ୍ରଶାସନ ପକ୍ଷରୁ ଦୁର୍ନୀତି ନିବାରଣ ଶପଥ ପାଠ
ବାଲେଶ୍ୱର, (ସରୋଜ ପଣ୍ଡା) : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ଏକ ଶପଥପାଠ କାର୍ଯ୍ୟକ୍ରମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଅକ୍ଟୋବର ୨୬ ତାରିଖରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀୀଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧ଟାରେ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ବିଭିନ୍ନ ବିଭାଗରେ କାର୍ଯ୍ୟାରତ ଅଧିକାରୀ, କର୍ମଚାରୀଙ୍କ ସମେତ ଏନଡିଆରଏଫ ଯବାନମାନେ ଏଥିରେ ଯୋଗ ଦେଇ ଜୀବନର ସବୁ କ୍ଷେତ୍ରରେ ସାଧୁତା ଓ ସ୍ୱଚ୍ଛତା ବଜାୟ ରଖିବା ସହିତ ଦୁର୍ନୀତି ବିରୋଧରେ ସଂଗ୍ରାମ ଜାରି ରଖିବା ସାଙ୍ଗକୁ ଏହାର ମୂଳୋତ୍ପାଟନ ପାଇଁ ଶପଥ ନେଇଥିଲେ । ଶପଥ ପାଠର ମହତ୍ୱକୁ ବୁଝିବା ଏବଂ ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରି ଏକ ସୁସ୍ଥ ସମାଜ ଗଠନ କରିବାକୁ ଜିଲାପାଳ ଶ୍ରୀ ଚକ୍ରବର୍ତ୍ତୀ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଏନେଇ ଆମେ ସମସ୍ତେ ଐକ୍ୟବଦ୍ଧ ଭାବେ ଉଦ୍ୟମ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଭବେଶ କୁମାର ନାୟକଙ୍କ ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀ, କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଏହି ଶପଥପାଠ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବେଳେ ସୂଚନା ଲୋକସମ୍ପର୍କ ଅଧିକାରୀ ଦୀପକ ସାହୁ ଏଥିରେ ସଂଯୋଜନା କରିଥିଲେ । ଅନୁରୂପ ଭାବେ ବାଲେଶ୍ୱର ଜିଲାର ସଦର ମହକୁମା ଏବଂ ବ୍ଲକ ସ୍ତରୀୟ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ଏହିଭଳି ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଜଣାଯାଇଛି ।


