ପ୍ରସବର ଗୋଟିଏ ଦିନ ପରେ ପରୀକ୍ଷା ଦେଲେ ଛାତ୍ରୀ
ପ୍ରସବର ଗୋଟିଏ ଦିନ ପରେ ଜଣେ ଛାତ୍ରୀ ପରୀକ୍ଷା ଦେଇଥିବା ଘଟଣା ସାମ୍ନାକୁ ଆସିଛି । ବେଙ୍ଗାଲୁରୁର ଜଣେ ୨୭ ବର୍ଷୀୟ ମେଡିକାଲ ଛାତ୍ରୀଙ୍କୁ ପରୀକ୍ଷା ଦେବା ସମୟରେ ପ୍ରସବ ପୀଡ଼ା ହୋଇଥିଲା । ତେଣୁ ସେଠାରୁ ତାଙ୍କୁ ତୁରନ୍ତ ହସ୍ପିଟାଲ୍ ନେଇ ଭର୍ତ୍ତି କରାଯାଇଥିଲା । ସି-ସେକ୍ସନ୍ରେ ସେ ଏକ ସନ୍ତାନକୁ ଜନ୍ମ ଦେଇଥିଲେ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ସନ୍ତାନ ଜନ୍ମ ଦେବାର ଗୋଟିଏ ଦିନ ପରେ ଏହି ଛାତ୍ରୀ ଜଣଙ୍କ ପରୀକ୍ଷା ଦେଇଥିଲେ ଏବଂ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲେ । ଛାତ୍ରୀଙ୍କୁ ରବିବାର କସ୍ତୁରବା ମେଡିକାଲରୁ ଛୁଟି ମିଳିଛି । ଏବେ ସେ ପ୍ରାକ୍ଟିକାଲ ଏଗ୍ଜାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି । ସୂଚନା ଯୋଗ୍ୟ, ଛାତ୍ରୀ ଜଣଙ୍କ କସ୍ତୁରବା ମେଡିକାଲ କଲେଜରେ ପିଜି କରୁଛନ୍ତି । ଏହି ଛାତ୍ରୀ ଜଣଙ୍କ ଏପ୍ରିଲ ୨ ତାରିଖରେ ସନ୍ତାନକୁ ଜନ୍ମ ଦେଇଥିଲେ । ଏହାର ଗୋଟିଏ ଦିନ ପରେ ସେ ହସ୍ପିଟାଲ୍ରୁ ପରୀକ୍ଷା ଦେବା ପାଇଁ ଅନୁମତି ମାଗିଥିଲେ । କଲେଜ ବି ତାଙ୍କୁ ଏଭଳି ପରୀକ୍ଷା ଦେବା ପାଇଁ ଅନୁମତି ଦେଇ ଦେଇଥିଲା । ଏନେଇ ଛାତ୍ରୀ କସ୍ତୁରବା ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି । କଲେଜ କର୍ତ୍ତୃପକ୍ଷଙ୍କ ଅନୁମତି ବିନା ଏହା ସମ୍ଭବ ହୋଇପାରି ନ ଥାନ୍ତା ବୋଲି ସେ କହିଛନ୍ତି ।


