ପ୍ରାକ୍ତନ ଅଧ୍ୟକ୍ଷ କ୍ୟାପଟେନଙ୍କ ବିୟୋଗରେ କେନ୍ଦ୍ରାପଡା କଲେଜରେ ଶୋକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କଲେଜର ପ୍ରାକ୍ତନ ଅଧ୍ୟକ୍ଷ କ୍ୟାପଟେନ ପ୍ରଭାକର ଶତପଥୀଙ୍କ ବିୟୋଗରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ କଲେଜ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବାର୍ଦ୍ଧକ୍ୟଜନିତ ରୋଗରେ ଗୁରୁବାର ରାତିରେ ଭୁବନେଶ୍ୱରସ୍ଥିତ ଏକ ବେସରକାରୀ ଡାକ୍ତରଖାନାରେ କ୍ୟାପଟେନ ଶତପଥୀଙ୍କ ଦେହାନ୍ତ ହୋଇଯାଇଛି । ଗତ ୧୯୮୫ରୁ ୮୭ମସିହା ପର୍ଯ୍ୟନ୍ତ ସ୍ୱର୍ଗତ ଶତପଥୀ ଏହି କଲେଜର ଅଧ୍ୟକ୍ଷ ଭାବେ ସୂଚାରୁ ରୂପେ ଦାୟିତ୍ୱ ସମ୍ପାଦନ କରିଥିଲେ । ତାଙ୍କ କାର୍ଯ୍ୟକାଳ ସମୟରେ ମହାବିଦ୍ୟାଳୟର ବହୁ ଉନ୍ନତିମୂଳକ କାର୍ଯ୍ୟ ହେବା ସଙ୍ଗେ ସଙ୍ଗେ ଶୈକ୍ଷିକ ବାତାବରଣରେ ଉନ୍ନତି ପରିଲକ୍ଷିତ ହୋଇଥିଲା । ସଭା ପ୍ରାରମ୍ଭରେ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଶୋକସଭାରେ ପ୍ରାଧ୍ୟାପକ ଡଃ. ଦେବେନ୍ଦ୍ର ଗୋଛାୟତ, ସେଖ ସାହାବୁଦ୍ଦିନ ଅଲ୍ଲୀ, ଡଃ. ଜ୍ଞାନୀନ୍ଦ୍ର ଦାଶ, ବିଶ୍ୱରଞ୍ଜନ ପୁହାଣ, ରଞ୍ଜିତ କୁମାର ଦାସ ପ୍ରମୁଖ ବହୁ ଅଧ୍ୟାପକ,ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ସ୍ୱର୍ଗତ ଶତପଥୀଙ୍କ କାର୍ଯ୍ୟାଧାରା ସମ୍ପର୍କରେ ଆଲୋକପାତ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସ୍ୱର୍ଗତ ଶତପଥୀଙ୍କ ପରିବାରବର୍ଗଙ୍କ ଉଦେଶ୍ୟରେ ଏକ ଶୋକବାର୍ତ୍ତା ପଠାଇବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।