ପ୍ରାଥମିକ ବିଦ୍ୟାଳୟ ମିଶ୍ରଣ ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଅଭିଯୋଗ
କେନ୍ଦ୍ରାପଡା – ଜିଲ୍ଲାର ପଟ୍ଟାମୁଣ୍ଡାଇ ଶିକ୍ଷା ଜିଲ୍ଲା ଅନ୍ତର୍ଗତ ତରଡିପାଳ ଗ୍ରାମପଂଚାୟତର ରାମନାୟକଡିଆ ଗ୍ରାମର ଅଧିବାସୀ ଏବଂ ଅଭିଭାବକମାନେ ସୋମବାର ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଅଭିଯୋଗ କରିଥିଲେ ଯେ ତାଙ୍କ ଗ୍ରାମରେ ଦୀର୍ଘ ଦଶନ୍ଧି ଧରି ଚାଲିି ଆସିଥିବା ରାମନାୟକଡିଆ ପ୍ରାଥମିକ ବିଦ୍ୟାଳୟଟିକୁ ପ୍ରାୟ ୧କିଲୋମିଟର ଦ୍ୱରରେ ଥିବା ଗୋପାଳପୁର ପ୍ରାଥମିକ ବିଦ୍ୟାଳୟ ସହିତ ମିଶ୍ରଣ କରିଦିଆଯାଇଛି । ଫଳରେ ରାମନାୟକଡିଆ ପ୍ରାଥମିକ ବିଦ୍ୟାଳୟର ଛୋଟ ଛୋଟ ପିଲାମାନେ ଏକ କିଲୋମିଟର ଦ୍ୱରରେ ଥିବା ସେହି ବିଦ୍ୟାଳୟକୁ କାଇପଡା – ଅମୃତମଣୋହି ମୁଖ୍ୟ ରାସ୍ତାଦେଇ ଯିବା ଅସମ୍ଭବ ହୋଇପଡିଛି । ସର୍ବଦା ବ୍ୟସ୍ତବହୁଳ ରହୁଥିବା କାଇପଡା – ଅମୃତମଣୋହି ରାସ୍ତାରେ ଟ୍ରକ ବସ ଠାରୁ ଆରମ୍ଭକରି ଭାରିଯାନ ଗୁଡିକ ଯାତାୟତ କରୁଥିବାରୁ ସେହି ରାସ୍ତା ଦେଇ କୁନି କୁନି ପିଲାମାନେ ଗୋପାଳପୁର ପ୍ରାଥମିକ ବିଦ୍ୟାଳୟକୁ ଯିବାରେ ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି । ଏହାଛଡା ରାମନାୟକଡିଆ ପ୍ରାଥମିକ ବିଦ୍ୟାଳୟ ଠାରୁ ମାତ୍ର ଏକଶହ ମିଟର ଦ୍ୱରରେ ଏକ ଶିଶୁ ମନ୍ଦିର ଖୋଲିବା ପାଇଁ କିଭଳି ଶିକ୍ଷା ବିଭାଗ ଅନୁମତି ପ୍ରଦାନ କଲା ତାହା ତଦନ୍ତ ସାପେକ୍ଷ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏଣୁ ଏହିସବୁ ସମସ୍ୟାକୁ ସହୃଦୟତାର ସହିତ ବିଚାର କରାଯାଇ ଛୋଟ ଛୋଟ ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷପ ଗ୍ରହଣ କରିବାକୁ ଗ୍ରାମବାସୀ ଓ ଅଭିଭାବକମାନଙ୍କ ପକ୍ଷରୁ ଦୀନେଶ କୁମାର ନାୟକ, ଅଜାମ୍ବର ନାୟକ, ଶ୍ରୀନାଥ ନାୟକ, ମେଘନାଦ ନାୟକ, ଦେବବ୍ରତ ନାୟକ,ନୃସିଂହ ନାୟକ,ରସାନନ୍ଦ ନାୟକ, ବିକ୍ରାନ୍ତ ନାୟକ, ଜିତେନ୍ଦ୍ର ନାୟକ, ଦେବାଶିଷ ନାୟକ, ବରିଷ୍ଠ ନେତା ଗଦାଧର ମଲ୍ଲିକ ପ୍ରମୁଖ ଜିଲ୍ଲାପାଳ ଶ୍ରୀ ବର୍ମାଙ୍କୁ ଭେଟି ନିବେଦନ କରିଥିଲେ । ଜିଲ୍ଲାପାଳ ଶ୍ରୀ ବର୍ମା ଏ ସମ୍ପର୍କରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଗତ ଏକମାସ ତଳେ ଜିଲ୍ଲା ଶିକ୍ଷା ଅଧିକାରିଣୀଙ୍କୁ ନିର୍ଦେଶ ଦେଇଥିଲେ ମଧ୍ୟ ସେ ଅଦ୍ୟାବଧି କୈାଣସି ପଦକ୍ଷେପ ନେଇନଥିବାରୁ ଗ୍ରାମବାସୀ ଓ ଅଭିଭାବକମାନେ କ୍ଷୋଭପ୍ରକାଶ କରିବା ସହିତ ପୁନର୍ବାର ଜିଲ୍ଲାପାଳଙ୍କୁ ଏହି ସମସ୍ୟାର ସମାଧାନ ନିମନ୍ତେ ନିବେଦନ କରିଛନ୍ତି ।