ପ୍ରାଥମିକ ଶିକ୍ଷକଙ୍କ ଗଣଧାରଣା
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ବ୍ଲକ ଶିକ୍ଷା ବିଭାଗ ଅନ୍ତର୍ଗତ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ସଂଘ ତରଫରୁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଗଣଧାରଣା ଦେବା ସହ ୩ଦଫା ସମ୍ବଳିତ ଦାବିପତ୍ର ଶିକ୍ଷା ଅଧିକାରୀ ଙ୍କୁ ପ୍ରଦାନ କରାଯାଇଥିଲା ।ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ କରିବା,କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା,ଶିକ୍ଷାକର୍ମୀ ଓ ଶିକ୍ଷା ସହାୟକଙ୍କ କାର୍ଯ୍ୟକାଳକୁ ମୂଳ ଚାକିରୀରେ ଗଣନା କରିବା ସହ ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ କରିବା,ଏକ୍ସକ୍ୟାଡର ଶିକ୍ଷକମାନଙ୍କୁ ଏଲିମେଣ୍ଟାରି କ୍ୟାଡରଭୁକ୍ତ କରିବା,କଳା ଓ କ୍ରିଡା ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରିବା,ସମସ୍ତ ବର୍ଗର ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ମୂଳ ବେତନ ଲେବୁଲ-୯ ଅନଯାଇ ୪୨୦୦ ଗ୍ରେଡପେ ପ୍ରଦାନ କରିବା ଓ ନୂତନ ପେନସନ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁରୁଣା ପେନସନ ପୁନଃ ପ୍ରଚଳନ କରିବା ଦାବି ମେମୋରାଣ୍ଡମରେ ଉଲ୍ଲେଖ ରହିଛି ବୋଲି ସଂଗଠନର ସଭାପତି ମୁନିର ଅହମ୍ମଦ ଖାଁ ପ୍ରକାଶ କରିଛନ୍ତି ।ଏହି ଗଣଧାରଣାରେ ବ୍ଲକର ସମସ୍ତ ବର୍ଗର ଶିକ୍ଷକମାନେ ଯୋଗଦେଇ ସରକାରଙ୍କ ପ୍ରାଥମିକ ଶିକ୍ଷା ମାରଣ ନୀତିକୁ ବିରୋଧ କରିଥିଲେ ।ସରକାର ଶିକ୍ଷକମାନଙ୍କ ପ୍ରମୂଖ ଦାବିସବୁ ପୁରଣ କରିବାରେ ଅଣଦେଖା କଲେ ଦାବି ପୂରଣ ହେବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ପ୍ରମୂଖ ନେତାମାନେ ପ୍ରକାଶ କରିଛନ୍ତି ।ଶିକ୍ଷକମାନଙ୍କ ଏଭଳି ଧାରଣା ଦେବା ଦ୍ବାରା ବ୍ଲକର ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ତାଲା ଝୁଲିବା ପରିସ୍ଥିତି ସୃଷ୍ଟି ହୋଇଛି ।ଏହି ଗଣଧାରଣାରେ ପ୍ରମୂଖ ଶିକ୍ଷକ ନେତା ବିଷ୍ନୁଚରଣ ମହାନ୍ତି, ହୃଦାନନ୍ଦ ସାସମଲ,ରକ୍ଷକ କୁମାର ସ୍ବାଇଁ,ତ୍ରିଲୋଚନ ବିଶ୍ବାଳ,ବିଶ୍ବଜିତ ସ୍ବାଇଁ,ଅଭୟ କୁମାର ନାୟକ,ସୁନିଲ କୁମାର ମହାନ୍ତି,ଆଦିତ୍ୟ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।