ପ୍ରିୟଙ୍କାରାଣୀଙ୍କୁ ଛୁଟୁଛି ପ୍ରଶଂସାର ସଅ
ଗଞ୍ଜାମ- କିଡ୍ନୀ ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିବା ଦିଗପହଣ୍ଡିର ପ୍ରିୟଙ୍କାରାଣୀ ରାଜୁଙ୍କ ପରିବାର ଲାଗି ମୁଖ୍ୟମନ୍ତ୍ରୀ ବୁଧବାର ବଡ଼ ଘୋଷଣା କରିଛନ୍ତି । ସେମାନେ ମୃତା ପ୍ରିୟଙ୍କାରାଣୀଙ୍କ କିଡ୍ନି ଦାନ କରିଥିଲେ । ଏଥିଯୋଗୁଁ କଟକ ବଡ଼ ଡାକ୍ତରଖାନା ଓ ଭୁବନେଶ୍ୱରସ୍ଥିତ ଆପୋଲୋ ହ୍ପିଟାଲରେ ଦୁଇଜଣ ରୋଗୀଙ୍କ ଠାରେ ତାହା ପ୍ରତିରୋପଣ କରାଯାଇ ସେମାନଙ୍କ ଜୀବନ ରକ୍ଷା କରାଯାଇ ପାରିଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରିୟଙ୍କାରାଣୀଙ୍କ ପରିବାରକୁ ‘ସୂରଜ ଯୋଜନା ରେ ସମ୍ମାନିତ କରାଯିବ । ଏହାଛଡ଼ା ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନା ଥିବା ଦିବଂଗତ ପ୍ରିୟଙ୍କା ପାତ୍ରଙ୍କ ଝିଅର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ତୁଲାଇବେ । ସଫଳ ବୃକ୍କ ପ୍ରତିରୋପଣ ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ ଓ ହସ୍ପିଟାଲର୍ ସମସ୍ତ ଡାକ୍ତର ଏବଂ ତାଙ୍କ ଟିମ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଆପୋଲୋ ହସ୍ପିଟାଲରେ ‘ବ୍ରେନ୍ ଡେଡ୍’ ଘୋଷିତ ପ୍ରିୟଙ୍କାରାଣୀ ପାତ୍ରଙ୍କ ଶରୀରରୁ ଗୋଟାଏ କିଡ୍ନି କଟକ ବଡ଼ ଡାକ୍ତରଖାନାକୁ ନିଆଯାଇ ଜଣେ ପୁରୁଷ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା । ଅନ୍ୟ ଏକ କିଡ୍ନି ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଅନ୍ୟ ଜଣେ ପୁରୁଷ ରୋଗୀଙ୍କ ଠାରେ ପ୍ରତିରୋପଣ କାଯାଇଛି । ସୂଚନାଥାଉକି ଦିଗପହଣ୍ଡି ରାଣୀସାହିର ପ୍ରିୟଙ୍କା ଗତ ୨୬ ତାରିଖ ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିଲେ । ଚିକିତ୍ସା ଲାଗି ତାଙ୍କୁ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ରାତିରେ ଡାକ୍ତର ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ । ପରେ ପ୍ରିୟଙ୍କାଙ୍କ ସ୍ବାମୀ ଭି.ସମୀର ରାଜୁ ଓ ଶ୍ୱଶୁର ଭି. ଧର୍ମାରାଜୁ ପ୍ରିୟଙ୍କାଙ୍କ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା । ନିର୍ଦ୍ଦେଶ ମିଳିବା ପରେ ପ୍ରିୟଙ୍କାଙ୍କ ଶରୀରରୁ ବିଧିବଦ୍ଧ ଭାବେ କିଡ୍ନୀ କଢ଼ାଯାଇଥିଲା ।


