ପ୍ରେମ କରି ଏକା ହୋଇ ପାରିଲେ ନାହିଁ ପ୍ରେମୀଯୁଗଳ ,ମୃତ୍ୟୁ ପରେ ଶ୍ମଶାନରେ ମଧ୍ୟ ଅଲଗା ହେଲେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଆରିବା ଗ୍ରାମର ପ୍ରେମୀ ଯୁଗଳ ଦୀର୍ଘ ବର୍ଷ ପ୍ରେମ କରି ଏକ ହୋଇ ପାରିଲେ ନାହିଁ । ଦୁଇ ଜଣ ଗୋଟିଏ ସ୍ଥାନରେ ମିଳିତ ଭାବେ ଆତ୍ମହତ୍ୟା କଲେ । ହେଲେ ମୃତ୍ୟୁ ପରେ ଶ୍ମଶାନରେ ଏକାଠି ହୋଇ ପାରିଲେ ନାହିଁ । ଦୁହିଁଙ୍କ ଜୁଇ ଅଲଗା ଅଲଗାରେ ସତ୍କାର କରାଗଲା । ଏହି ଘଟଣା ସମ୍ପୃକ୍ତ ଅଞ୍ଚଳବାସୀଙ୍କ ଠାରେ ବିଶେଷ ଦୁଃଖ ଦେବା ସହ ଏହା ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ଅଞ୍ଚଳ ଲୋକେ କହୁଛନ୍ତି, ବିଧାତା ପ୍ରେମୀ ଯୁଗଳଙ୍କୁ ଏକ କରି ବଞ୍ଚାଇ ରଖିଲା ନାହିଁ । ମୃତ୍ୟୁ ପରେ ମଧ୍ୟ ଏମାନେ ଏକା ନହୋଇ ଅଲଗା ଅଲଗା ଭାବେ ସତ୍କାର ହେଲେ । ଶ୍ମଶାନରେ ଏମାନଙ୍କ ମିଳନ ହୋଇପାରିଲା ନାହିଁ । ଗଜପତିର ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଘଟଣା ରହସ୍ୟ ବର୍ତ୍ତମାନ ସୁଦ୍ଧା ଉନ୍ମୋଚନ ହୋଇ ପାରିନାହିଁ । ଏମାନେ ଗତ ୭ତାରିଖ ଦିନ ଏକତ୍ର ମିଶି ରକ୍ତାକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ । ଗତ ୮ ତାରିଖ ଦିନ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ପରେ ବିଳମ୍ବିତ ସନ୍ଧ୍ୟାରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପଠା ଯାଇଥିଲା । ଗତକାଲି ୯ ତାରିଖ ଶବ ବ୍ୟବଚ୍ଛେଦ ପରେ ଉଭୟଙ୍କ ପରିବାରକୁ ସେମାନଙ୍କ ଶବକୁ ହସ୍ତାନ୍ତର କରାଯାଇଛି । ଶେଷକୃତ୍ୟ ସମ୍ପନ୍ନ ହୋଇଛି ଆରିବା ଗ୍ରାମରେ ମୃତ ଯୁବକ ଟି. ଶ୍ରୀନୁ ବହୁତ ଭଲ ପାଉଥିବା ମୃତ ଯୁବତୀ ତଥା ପ୍ରେମିକା ଏସ୍.ଡିଲେଶ୍ୱରୀଙ୍କ । ଏକାଠି ବଞ୍ଚିବାପାଇଁ ଦୀର୍ଘ ୬ବର୍ଷ ହେବ ଉଭୟେ ସ୍ୱପ୍ନ ଦେଖୁଥିଲେ । ଟି.ଶ୍ରୀନୁ ଓ ଏସ୍.ଡିଲେଶ୍ୱରୀ କେହି କାହାକୁ ଛାଡି ବଞ୍ôଚପାରିବେ ନାହିଁ ବୋଲି ନିଜ ବନ୍ଧୁ ମାନଙ୍କୁ ବି କହିଥିଲେ । ତେବେ ଉଭୟଙ୍କ ଅଲଗା ଅଲଗା ଜାତି ଓ ଏସ୍.ଡିଲେଶ୍ୱରୀଙ୍କ ଘର ଲୋକେ ଡିଲେଶ୍ୱରୀ ପାଇଁ ଠିକ କରିଥିବା ବିବାହ ପ୍ରସ୍ତାବ ବୋଧେ ସେମାନଙ୍କର ଆତ୍ମହତ୍ୟା କି ହତ୍ୟାର କାରଣ ହୋଇଥାଏ ପାରେ ବୋଲି ବନ୍ଧୁମାନେ ଓ ଗ୍ରାମବାସୀ ସନ୍ଦେହ କରୁଛନ୍ତି । ସେପଟେ ସାଇଣ୍ଟିଫିକ୍ ଟିମ୍, ଗଜପତି ଜିଲ୍ଲା ପୋଲିସର ବଛା ବଛା ପୋଲିସ ଅଧିକାରୀଙ୍କ ଟିମ୍, ସନ୍ଧାନୀ କୁକୁରର ରହସ୍ୟ ଭେଦ କରିବାକୁ ଚେଷ୍ଟା କରୁଛନ୍ତି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଜଣାପଡିବ ବୋଲି ପୋଲିସ ଜଗି ବସିଛି । ସେ ଯାହା ହେଉ ନା କାହିଁକି ଏକାଠି ପ୍ରେମ କଲେ ଏକାଠି ମୃତ୍ୟୁ ମଧ୍ୟ ହେଲା କିନ୍ତୁ ଜୁଇ ଅଲଗା ଅଲଗା ଜଳିଲା । ମର ଶରୀରକୁ ସିନା ଏହି ସମାଜ ଓ ତାଙ୍କ ପରିବାର ଲୋକେ ଅଲଗା କରି ସତ୍କାର କଲେ ହେଲେ ସେମାନଙ୍କ ଆତ୍ମାକୁ କେହି ଅଲଗା କରିପାରିବେ କି ? ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି ।


