ପ୍ଲାଷ୍ଟିକ ମୁକ୍ତ,ପରିବେଶ ସୁରକ୍ଷା ଓ ଜଳକୁ ନେଇ ନିଆରା ସଚେତନତା କାର୍ଯ୍ୟକ୍ରମ

ଛତ୍ରପୁର, (ଦେବଦତ୍ତ ମହାରଣା):ଛାତ୍ର ଛାତ୍ରୀ ମାନେ ପ୍ରଥମେ ସଚେତନ ହେଲେ ଅଭିଭାବକ ମାନେ ସଚେତନ ହୋଇପାରିବେ l ଏହା ସହିତ ସମାଜ ସଚେତନ ହୋଇପାରିବ l ଆଜିର ସମାଜରେ ପରିବେଶ ସୁରକ୍ଷା, ଜଳର ସଂରକ୍ଷଣ ଓ ପ୍ଲାଷ୍ଟିକ ମୁକ୍ତ କରିବା ନେଇ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି l ଏହାକୁ ଦୃଷ୍ଟିରେ ରଖି ଆଉ ପାଦେ ଆଗକୁ ଆସି ଋଷିକୂଲ୍ୟା ରୟତ ମହାସଭା ଓ ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏକ ନିଆରା ସଚେତନତା କାର୍ଯ୍ୟକ୍ରମ ଗୁରୁବାର ଦେଖିବାକୁ ମିଳିଛି l ସ୍ଥାନୀୟ ଶ୍ରୀ ରାମ ନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସିମାଞ୍ଚଳ ନାହାକ ଙ୍କ ପୌରାହିତରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ଲାଷ୍ଟିକ ମୁକ୍ତ, ଗଛ ଲଗାଇବା ଏବଂ ତାହାର କିପରି ଯତ୍ନ ନେବା,ପରିବେଶ ସୁରକ୍ଷା ଏବଂ ଜଳର ସଂରକ୍ଷଣ ସମ୍ପର୍କ ରେ ବିଭିନ୍ନ ମତ ପ୍ରକାଶ କରିଥିଲେ l ଏଥିରେ ସମ୍ମାନିତ ଅତିଥି ଭାବେ ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁ, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ପରିବେଷବିତ ତଥା ଆର୍ଯ୍ୟଭଟ ସଂଗଠନ ର ସୁଧୀର ରାଉତ, ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ତଥା 10ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ର, ହାଇକୋର୍ଟ ଆଇନଜୀବୀ ପଦ୍ମ ଚରଣ ସାହୁ, ଯୁବ ଆଇନଜୀବୀ କେ. ଚନ୍ଦ୍ର ଶେଖର ରେଡ୍ଡୀ, କବି ଡ଼ଃ ପ୍ରଶାନ୍ତ ଶତପଥୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଉପେନ୍ଦ୍ର ମହାନ୍ତି, ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କରେ ସଚେତନ କରାଇ ଥିଲେ, ଏହାସହିତ ସେମାନେ କିପରି ନିଜ ଅଭିଭାବକ ମାନଙ୍କୁ ଅଧିକରୁ ଅଧିକ ସଚେତନ କରାଇପାରିବେ ସେ ସମ୍ପର୍କ ମଧ୍ୟ ସେମାନେ କହିଥିଲେ l ଏହା ସହିତ ପ୍ଲାଷ୍ଟିକ ମୁକ୍ତ, ପରିବେଶ ସୁରକ୍ଷା ଓ ଜଳ କୁ ନଷ୍ଟ ନ କରି ସଂଚୟ କରିବା ଉପରେ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ରବିନ୍ଦ୍ର ନାଥ ଦାଶ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ l ପରେ ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ସମସ୍ତ ଅତିଥି ମାନେ ନିଜେ ନିଜେ ଦସ୍ତଖତ କରିଥିଲେ, ପରେ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଚାରା ଏବଂ ପ୍ଲାଷ୍ଟିକ ମୁକ୍ତ ବ୍ୟାଗ ବଣ୍ଟନ କରାଯାଇଥିଲା l ଶେଷରେ ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦେବାଶିଷ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ