ପ୍ୟାରେଡରୁ ବାଦ୍ ପଡ଼ିଲା କେରଳର ପ୍ରଜ୍ଞାପନ ମେଢ
ନୂଆଦିଲ୍ଲୀ : ପଶ୍ଚିମବଙ୍ଗ, ମହାରାଷ୍ଟ୍ର ପରେ ଏବେ କେରଳର ପ୍ରଜ୍ଞାପନ ମେଢ ମଧ୍ୟ ଗଣତନ୍ତ୍ର ଦିବସ ପ୍ୟାରେଡ୍ରେ ସାମିଲ୍ ହୋଇପାରିବ ନାହିଁ । କେରଳ ତା’ର ପ୍ରଜ୍ଞାପନ ମେଢରେ କଳାମଣ୍ଡଳମ୍ର ପାରମ୍ପରିକ କଳାର ପ୍ରସ୍ତାବ ରଖିଥିଲା। କିନ୍ତୁ ଏହି ପ୍ରସ୍ତାବକୁ ରକ୍ଷା ମନ୍ତ୍ରଣାଳୟର ସିଲେକ୍ସନ୍ କମିଟି ପ୍ରତ୍ୟାଖ୍ୟାନ କରିଛନ୍ତି। ଏହ ପୂର୍ବରୁ ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗର ମେଢକୁ ମଧ୍ୟ ବାଦ୍ ଦିଆଯାଇଛି । ଚଳିତ ଗଣତନ୍ତ୍ର ଦିବସ ପ୍ୟାରେଡ୍ରେ ୧୬ ରାଜ୍ୟ, ୬ଟି ମନ୍ତ୍ରଣାଳୟ ବିଭାଗର ପ୍ରଜ୍ଞାପନ ମେଢକୁ ଅନୁମତି ମିଳିଛି । ଗଣତନ୍ତ୍ର ଦିବସ ପ୍ୟାରେଡ୍ରେ ସାମିଲ୍ ହେବାକୁ ଥିବା ରାଜ୍ୟର ମେଢଗୁଡ଼ିକ ମଧ୍ୟରେ ରହିଛି – ଆନ୍ଧ୍ରପ୍ରଦେଶ, ଆସାମ, ଛତିଶ୍ଗଡ, ଗୋଆ, ଗୁଜୁରାଟ, ହିମାଚଳ ପ୍ରଦେଶ, ଜମ୍ମୁ-କାଶ୍ମୀର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମେଘାଳୟ, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ, ତାମିଲ୍ନାଡୁ, ତେଲେଙ୍ଗନା ଓ ଉତ୍ତରପ୍ରଦେଶ । ଏତଦ୍ବ୍ୟତୀତ ଗୃହ ମନ୍ତ୍ରଣାଳୟ ସମେତ ୬ଟି ମନ୍ତ୍ରଣାଳୟକୁ ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ଲାଗି ଅନୁମତି ମିଳିଛି ।


