ବିବାଦରେ କଂଗ୍ରେସର ବୁକ୍ଲେଟ୍, ରହିଛି ସଭର୍କରଙ୍କ ସମ୍ପର୍କରେ ଆପତ୍ତିଜନକ ତଥ୍ୟ
ଭୋପାଳ : ବିବାଦ ଘେରକୁ ଆସିଛି ମଧ୍ୟପ୍ରଦେଶର କଂଗ୍ରେସ ସେବାଦଳ ଦ୍ବାରା ବଣ୍ଟାଯାଇଥିବା ଏକ ବୁକଲେଟ୍। ଏହି ବୁକଲେଟ୍ଟି ବୀର୍ ସଭରକର୍ଙ୍କ ଉପରେ ଆଧାରିତ। ଏହାର ଶୀର୍ଷକ ‘କେତେ ବୀର ଥିଲେ ସଭର୍କର୍’ ରହିଥିବାବେଳେ ଏଥିରେ ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡସେ ଓ ବୀର୍ ସଭର୍କରଙ୍କ ମଧ୍ୟରେ ସମଲିଙ୍ଗୀ ସମ୍ପର୍କ ରହିଥିବାର ଏହି ବୁକଲେଟ୍ରେ ଲେଖାଯାଇଛି। ଏଥିରେ ଡୋମିନିକ ଲାପିୟର ଓ ଲାରି କଲିନ୍ସ ଦ୍ୱାରା ଲିଖିତ ପୁସ୍ତକ “ଫ୍ରିଡମ ଆଟ ମିଡନାଇଟ୍”ରୁ କିଛି ତଥ୍ୟ ଉଦ୍ଧାର କରି କଂଗ୍ରେସ ବୁକଲେଟରେ ବ୍ରହ୍ମଚର୍ଯ୍ୟ ଗ୍ରହଣ କରିବା ପୂର୍ବରୁ ଗଡସେଙ୍କ ଶାରୀରିକ ସମ୍ପର୍କର ତଥ୍ୟ ଉଲ୍ଲେଖ କରିଛି। ଗଡସେଙ୍କ ସମଲିଙ୍ଗୀ ପାର୍ଟନର ଥିଲେ ତାଙ୍କ ରାଜନୈତିକ ଗୁରୁ ବୀର ସଭରକର୍। ସଭରକର୍ ସଂଖ୍ୟାଲଘୁ ମହିଳାଙ୍କୁ ବଳାତ୍କାର ପାଇଁ ମଧ୍ୟ ଉସୁକାଉଥିଲେ ବୋଲି ଏହି ବୁକଲେଟ୍ରେ ଲେଖାଯାଉଛି। ଭୋପାଳରେ କଂଗ୍ରେସ ପକ୍ଷରୁ ଆୟୋଜିତ ସର୍ବଭାରତୀୟ କଂଗ୍ରେସ ସେବା ଦଳ ଟ୍ରେନିଂ କ୍ୟାମ୍ପରେ ଏହି ବୁକଲେଟ୍ ବଣ୍ଟାଯାଇଥିବା ଅଭିଯୋଗ ହୋଇଛି। ଏଥିରେ ସଭରକରଙ୍କୁ ନେଇ ଏକାଧିକ ପ୍ରଶ୍ନ କରାଯାଇଥିବା ବେଳେ କିଛି ଘଟଣାକୁ ମଧ୍ୟ ଲେଖାଯାଇଛି। ପୂର୍ବରୁ ରାହୁଲ୍ ଗାନ୍ଧି ସଭରକର୍ଙ୍କୁ ନେଇ କହିଥିବା ବୟାନକୁ ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇସାରିଛି।


