ଫକୀରମୋହନ ମେଡିକାଲ କଲେଜରେ କାର୍ଯ୍ୟକ୍ଷମ ହେଲା କୋଭିଡ-୧୯ ଟେଷ୍ଟିଂ ଲାବୋରଟରୀ
ବାଲେଶ୍ୱର, ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜ ଓ ହସପିଟାଲରେ କୋଭିଡ-୧୯ ଟେଷ୍ଟିଂ ଲାବୋରଟରୀ କାର୍ଯ୍ୟକ୍ଷମ ହୋଇଛି । ଆଜି ସନ୍ଧ୍ୟାରେ ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀଙ୍କ ଦ୍ୱାରା ଏହାର ଶୁଭାରମ୍ଭ ହୋଇଛି । ଏହି ଅବସରରେ ମାନ୍ୟବର ରେମୁଣା ବିଧାୟକ ଶ୍ରୀ ସୁଧାଂଶୁ ଶେଖର ପରିଡା, ମେଡିକାଲ କଲେଜ ଡିନ ଓ ଅଧ୍ୟକ୍ଷ ପ୍ରଫେସର(ଡା.) ରାମଚନ୍ଦ୍ର ଗିରି, ବାଲେଶ୍ୱର ଉପଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ର, ସିଡିଏମଓ ଡା. ବାନାର୍ଜୀ ପ୍ରସାଦ ଛୋଟରାୟ, ମେଡିକାଲ କଲେଜ ଅଧୀକ୍ଷକ ପ୍ରଫେସର(ଡା) ଆରତୀ ବେହେରା, ମାଇକ୍ରୋବାୟୋଲଜି ବିଭାଗୀୟ ମୁଖ୍ୟ ପ୍ରଫେସର(ଡା) ଗୀତାଞ୍ଜଳୀ ଷଡଙ୍ଗୀ ଓ ତାଙ୍କ ସହଯୋଗୀ ଡା.ସୁଧୀର ଘୋଷ ପ୍ରମୁଖ ଉପସ୍ଥିତ ଥିଲେ । ମେଡିକାଲ କଲେଜର ମାଇକ୍ରୋବାୟୋଲଜି ବିଭାଗରେ ସ୍ଥାପିତ ହୋଇଥିବା ଟ୍ରୁନାଟ ମେସିନ ଦ୍ୱାରା କୋଭିଡ-୧୯ର ପରୀକ୍ଷଣ କରାଯିବ । ଏଥିରୁ ନମୁନାଗୁଡିକ ପଜିଟିଭ କିମ୍ବା ନେଗେଟିଭ ତାହା ଜଣାପଡିବ । ଏହି ମେସିନ ଦ୍ୱାରା ଗୋଟିଏ ଦିନରେ ପ୍ରାୟ ୩୦ଟି ନମୁନା ପରୀକ୍ଷା କରାଯାଇପାରିବ । ଯେଉଁ ନମୁନାଗୁଡିକ ପଜିଟିଭ ଚିହ୍ନଟ ହେବ ତାହାକୁ ପୁଣିଥରେ ସୁନିଶ୍ଚିତ କରିବା ପାଇଁ ଏସ.ସି.ବି.ମେଡିକାଲ କଲେଜ କଟକ ପଠାଯିବ ଏବଂ ଖୁବଶୀଘ୍ର ତାହାର ଫଳାଫଳ ଜଣାପଡିବ । ତେବେ ଅଳ୍ପ ଦିନ ମଧ୍ୟରେ ମେଡିକାଲ କଲେଜରେ ଆର.ଟି.ପି.ସି.ଆର.ମେସିନ କାର୍ଯ୍ୟକ୍ଷମ ହେବା ପରେ ନମୁନା(ସାମ୍ପଲ)ଗୁଡିକୁ ବାହାରକୁ ପଠାଇବାକୁ ପଡିବ ନାହିଁ ବୋଲି କଲେଜ ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ଏହି ଲାବୋରଟାରୀ ପାଇଁ ଡାକ୍ତର, ଟେକ୍ନିସିଆନଙ୍କ ସମେତ ପ୍ରାୟ ୧୦ଜଣଙ୍କୁ ନିୟୋଜିତ କରାଯାଇଛି । ଟେଷ୍ଟିଂ ଲାବୋରଟରୀ କାର୍ଯ୍ୟକ୍ଷମ ହେବା ପରେ ବାଲେଶ୍ୱର ଜିଲ୍ଲାର ଜନସାଧାରଣଙ୍କ ସେବାରେ ଏହା ଲାଗିପାରିବ ବୋଲି ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ଆଶାପ୍ରକଟ କରିଛନ୍ତି ।


