ଫକୀର ମୋହନ ସାହିତ୍ୟ ପରିଷଦ ନିର୍ବାଚନକୁ ନେଇ ବିବାଦ
ବାଲେଶ୍ୱର, (ସରୋଜ ପଣ୍ଡା) : ସଦ୍ୟ ଶେଷ ହୋଇଥିବା ଫକୀର ମୋହନ ସାହିତ୍ୟ ପରିଷଦର କର୍ମକର୍ତ୍ତା ନିର୍ବାଚନକୁ ନେଇ ବିବାଦ ଦେଖାଦେଇଛି । ନିର୍ବାଚନ ଫଳାଫଳ ଘୋଷଣା ପରେ ନବନିର୍ବାଚିତ ୭ ଜଣ କର୍ମକର୍ତ୍ତାଙ୍କ ସହମତି କ୍ରମେ ହୋଇଥିବା ୧୨ଜଣିଆ କାର୍ଯ୍ୟକାରିଣୀ କମିଟି ସଦସ୍ୟ ମନୋନୟନକୁ ବିରୋଧ କରିଛନ୍ତି ସଭାପତି ପଦ ପ୍ରତିଦ୍ୱନ୍ଦ୍ୱୀ କବି କାଳୀପଦ ପଣ୍ଡା ତଥା ତାଙ୍କ ସହଯୋଗୀ ଗୋଷ୍ଠୀ । ପରିଷଦର ସମ୍ବିଧାନ ଅନୁସାରେ ଆଜୀବନ ସଦସ୍ୟମାନେ ସଭାପତି, ଉପ-ସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ ଓ କୋଷାଧ୍ୟକ୍ଷ ଏବଂ ୧୦ ଜଣ କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ନିର୍ବାଚିତ କରିବା କଥା । ଅର୍ଥାତ ମୋଟ ୧୭ ଜଣ କର୍ମକର୍ତ୍ତା ନିର୍ବାଚିତ ହେବାକୁ ଥିବା ବେଳେ ୧୦ ଜଣଙ୍କୁ କେଉଁ ଆଧାରରେ ମନୋନୀତ କରାଯାଇଛି ବୋଲି ଆରୋପ ଉଠାଇଛନ୍ତି ଶ୍ରୀ ପଣ୍ଡା । ଏହି ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ସେ ଓ ତାଙ୍କର ସହଯୋଗୀମାନେ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ରଙ୍କଠାରେ ଫେରାଦ ହୋଇଛନ୍ତି । ଏନେଇ ସେମାନେ ଏକ ଦାବିପତ୍ର ଶ୍ରୀ ମହାପାତ୍ରଙ୍କୁ ପ୍ରଦାନ କରିଥିଲେ । ଦାବିପତ୍ର ପ୍ରଦାନ ବେଳେ ଶ୍ରୀ ପଣ୍ଡାଙ୍କ ସମେତ କବି ଅଭୟ ଦାସ, ଉଦୟନାରାୟଣ ଦାସ, ଡ. ରାଧାରଞ୍ଜନ ଦାସ, ଯତୀନ୍ଦ୍ର କୁମାର ପୁହାଣ ପ୍ରମୁଖ ଉପସ୍ଥିତ ଥିଲେ । ନିୟମକୁ ଭିତ୍ତି କରି ଉଚିତ ପଦକ୍ଷେପ ନେବେ ବୋଲି ଅତିରିକ୍ତ ଜିଲାପାଳ ଶ୍ରୀ ମହାପାତ୍ର ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଏ ବାବଦରେ ନବନିର୍ବାଚିତ ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କୁ ଯୋଗଯୋଗ କରିବାରୁ ସେ ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି । ସାଧାରଣ ପରିଷଦର ନିଷ୍ପତ୍ତି କ୍ରମେ ଏହି ନିର୍ବାଚନ ହୋଇଥିଲା । ପରିଷଦ ପକ୍ଷରୁ ଦୀର୍ଘଦିନ ଧରି ଏହି ଧାରା ଚଳି ଆସୁଛି । ଏହା ସତ୍ତ୍ୱେ ଯଦି ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଏ ଆମର କିଛି କହିବାର ନାହିଁ । ବରଂ ପୁନଃ ନିର୍ବାଚନକୁ ଆମେ ସାମ୍ନା କରିବୁ ବୋଲି ଡ. ତ୍ରିପାଠୀ ମତ ପ୍ରକାଶ କରିଛନ୍ତି । ।