ଫତେଗଡ଼ ଶ୍ରୀରାମ ମନ୍ଦିର

ଆଲେଖ୍ୟ -ଅରବିନ୍ଦ ତ୍ରିପାଠୀ
ଓଡିଶାର ବହୁପର୍ୟ୍ୟଟନ ସ୍ଥଳୀ, ସାଂସ୍କୃତିକ ପୀଠ, ଐତିହ୍ୟ ପ୍ରମୁଖ ଅଛି.ସମସ୍ତ ପୀଠ, ମନ୍ଦିରର ନିଜ ନିଜର ସ୍ୱତନ୍ତ୍ର ପରିଚୟରେ ବଳିୟାନ.ସେଥି ମଧ୍ୟରୁ ବର୍ତ୍ତମାନ ନୟାଗଡ ଜିଲ୍ଲା ଅନ୍ତର୍ଗତ ଫତେଗଡ଼ ଠାରେ ଅବସ୍ଥିତ ଶ୍ରୀରାମ ମନ୍ଦିର ଚର୍ଚ୍ଚାର ପରିସରକୁ ଆସିଛି.ଓଡିଶା ବାହାରୁ ପର୍ୟ୍ୟଟକ ଓ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ି ଚାଲିବା ସହିତ ଚଳିତ ବର୍ଷ ରେ ବଣ ଭୋଜି ମଧ୍ୟ ସେହି ସ୍ଥାନରେ ଆୟୋଜନ କରାଯାଉଛି. ଭୁବନେଶ୍ୱର ରୁ 73 କିଲୋମିଟର ଓ ନୟାଗଡରୁ 35 କିଲୋମିଟର, (ଭାପୁର ବ୍ଲକ ଅନ୍ତର୍ଗତ) ଦୂରରେ ଫତେଗଡ଼ ରାମ ମନ୍ଦିର ଅବସ୍ଥିତ.ଏକ ବର୍ଷ ପୂର୍ବେ ଏହି ମନ୍ଦିର ଟି ନିର୍ମିତ ହୋଇଛି.ପାହାଡ଼ ଉପରେ ତଥା ଚତୁଃ ପାର୍ଶ୍ଵ ରେ ଘଞ୍ଚ ଜଙ୍ଗଲ ପୂର୍ଣ୍ଣ ବୃକ୍ଷଲତା ରେ ପରିପୂର୍ଣ୍ଣ ଏହି ସ୍ଥାନ.
ମନ୍ଦିରର ଉଚ୍ଚତା 65 ଫୁଟ. ଚତୁଃପାର୍ଶ୍ୱରେ ଦେବାଦେବୀ ଙ୍କ ସହ ଦେବ ଦେବ ମହାଦେବ, ବିଘ୍ନ ବିନାଶକ ଗଣେଷ, ନବଗ୍ରହ ବିଦ୍ୟମାନ. ଖୁବ ସୁନ୍ଦର ଭାବରେ ମନ୍ଦିର ନିର୍ମାଣ କାର୍ଯ୍ୟ କରାଯାଇଛି. ଗ୍ରାମବାସୀ ଙ୍କ ଠାରୁ ଶୁଣିବାକୁ ମିଳେ ଯେ ମନ୍ଦିର ନିର୍ମାଣ ପୂର୍ବରୁ ଭାଗବତ ପୀଠ ଥିଲା. ବର୍ଷା ହେବା ପାଇଁ ପୂଜା କରା ଯାଉଥିଲା. ସ୍ଥାନୀୟ ଗ୍ରାମବାସୀ ଙ୍କ ସହିତ ଶ୍ରୀରାମ ସେବା ପରିଷଦ ଓ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ରେ ମର୍ଯ୍ୟାଦା ପ୍ରଭୁ ଶ୍ରୀରାମ ଙ୍କ ମନ୍ଦିର କାର୍ଯ୍ୟ ସମାପନ କରାଯାଇଛି. ବର୍ଷସାରା ଏହିଠାରେ ଶ୍ରଦ୍ଧାଳୁ ଙ୍କ ଭିଡ଼ ଦେଖିବାକୁ ମିଳେ. ପ୍ରାତଃ ସମୟରେ ମଙ୍ଗଳ ଆଳତି ସହ ଦିନ ରେ ଅନ୍ନଭୋଗ ପୂଜା ହୁଏ. ସନ୍ଧ୍ୟା ରେ ବି ପ୍ରଭୁଙ୍କ ରୀତି ନୀତି ଅନୁଯାୟୀ ସନ୍ଧ୍ୟା ଧୁପ ହୋଇଥାଏ.
ପ୍ରସାଦ ର ମଧ୍ୟ ବ୍ୟବସ୍ଥା ମନ୍ଦିର ଟ୍ରଷ୍ଟ ପକ୍ଷରୁ କରାଯାଇଛି. ମାତ୍ର ଅଭିଯୋଗ ଓ ଜନ ଅସନ୍ତୋଷ କିଛି ମାତ୍ରା ରେ ପରିଲକ୍ଷିତ ହୋଇଥାଏ.ଉପରକୁ ଯିବା ଆସିବା ବ୍ୟବସ୍ଥା ଗୋଟିଏ ପଟରେ କରାଯାଇଥିବାରୁ ଓ ଗାଡି ପାର୍କିଂ ର ସୁବ୍ୟବସ୍ଥା ନ ଥିବାରୁ ପର୍ଯ୍ୟଟକ ମାନେ ବହୁ ଅସୁବିଧା ର ସମ୍ମୁଖୀନ ହୁଅନ୍ତି. ସେଥିପ୍ରତି ସ୍ଥାନୀୟ ପ୍ରଶାସନ ଓ ସରକାର ଦୃଷ୍ଟି ଦେବାକୁ ଜନସାଧାରଣ ମତବ୍ୟକ୍ତ କରନ୍ତି. ଯଦି ସରକାର ଏହି ସ୍ଥାନର ରକ୍ଷଣାବେକ୍ଷଣା କରିବା ସହ ପର୍ୟ୍ୟଟନ ବିଭାଗ ର ଅନ୍ତର୍ଭୁକ୍ତ କରନ୍ତେ, ତେବେ ବହୁ ସୁବିଧା ହେବା ସହ ରାଜକୋଷ ମଧ୍ୟ ବୃଦ୍ଧି ହେଇ ପାରନ୍ତା. ଓଡିଶା ଭିତରୁ ଓ ବାହାରୁ ବହୁ ଜନସାଧାରଣ ଆସିବା ସହ ପରିବାର ସହ ବଣଭୋଜି ମଧ୍ୟ ଏହିଠାରେ କରିଥାନ୍ତି.ଅନେକ ଶ୍ରଦ୍ଧାଳୁ ଏହି ମନ୍ଦିର କୁ ଦ୍ୱିତୀୟ ଅଯୋଧ୍ୟା ଶ୍ରୀରାମ ମନ୍ଦିର ବୋଲି କୁହନ୍ତି.ସରକାର ଙ୍କ ତରଫରୁ ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ପରିପୂର୍ଣ୍ଣ ଉକ୍ତ ସ୍ଥାନର ସୁବ୍ୟବସ୍ଥିତ ସୁବିଧା ସାଙ୍ଗକୁ ପର୍ୟ୍ୟଟନ ପରିପ୍ରେକ୍ଷୀରେ ପ୍ରଚାର ପ୍ରସାର କରାଗଲେ ଆମ ସଂସ୍କୃତି, ପରମ୍ପରା, ଐତିହ୍ୟ ର ବିକାଶ ସହିତ ଦେଶ ବିଦେଶରେ ମଧ୍ୟ ଆମ ପର୍ୟ୍ୟଟନ ସମ୍ପର୍କ ରେ ଏକ ସମ୍ମାନସ୍ପଦ ଦୃଷ୍ଟିକୋଣ ରହିପାରିବ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ