ନାଇଟ ୱାଚମ୍ୟାନ ଓ ହାଉସକିପିଙ୍ଗ କର୍ମଚାରୀ ସଙ୍ଘର ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା,(ଓ୍ବାଇଏନଏସ) :ନିଖିଳ ଓଡିଶା ନାଇଟ୍ ୱାଚମ୍ୟାନ ଓ ହାଉସକିପିଙ୍ଗ କର୍ମଚାରୀ ସଙ୍ଘ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ମଙ୍ଗଳବାର ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜିିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ‘ମୋ ସ୍କୁଲ ଅଭିଯାନ’ରେ ପିଅନ ଓ ରାତ୍ରଜଗୁଆଳ ନଥିବା ଉଚ୍ଚ ବିଦ୍ୟାଳୟ ଗୁଡିକରେ ସରକାରଙ୍କ ନିର୍ଦେଶରେ ସ୍ଥାନୀୟ ବେକାରୀ ଯୁବକ ଓ ଯୁବତୀମାନଙ୍କୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ନାଇଟ୍ ୱାଚମ୍ୟାନ ଓ ହାଉସ୍‌କିପିଙ୍ଗ କର୍ମଚାରୀ ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିଲା। ନାଇଟ୍ ୱାଚମ୍ୟାନଙ୍କୁ ମାସିକ ପାରିଶ୍ରମିକ ଭାବେ ୧୦ହଜାର ୯୮୦ଟଙ୍କା ଓ ସୁଇପର କିମ୍ବା ହାଉସକିପିଙ୍ଗ କର୍ମଚାରୀଙ୍କୁ ମାସିକ ପାରିଶ୍ରମିକ ଭାବେ ୪୨୪୩ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା କରାଗଲା। ମାତ୍ର ଦୁଃଖର କଥା ଏହି କର୍ମଚାରୀମାନେ ଦିନରାତି ନିଷ୍ଠାର ସହ କାର୍ଯ୍ୟ କରି ଆସୁଥିଲେ ମଧ୍ୟ ସେମାନଙ୍କୁ ଦୀର୍ଘ ୧୭ମାସ ଧରି ପାରିଶ୍ରମିକ ପ୍ରଦାନ କରାଯାଇନଥିବା ସେମାନେ ଅଭିଯୋଗ କରିଥିଲେ। ସ୍ଥାୟୀ କର୍ମଚାରୀଙ୍କ ଭଳି ଏହି କର୍ମଚାରୀମାନେ ନିଜର ଦାୟୀତ୍ୱ ନିର୍ବାହ କରି ଆସୁଥିଲେ ମଧ୍ୟ ସେମାନଙ୍କୁ ପ୍ରତ୍ୟେକ ମାସରେ ପାରିଶ୍ରମିକ ପ୍ରଦାନ କରାଯାଉନାହିଁ। ଏଣୁ ସେମାନଙ୍କ ବକେୟା ପ୍ରାପ୍ୟ ତୁରନ୍ତ ପ୍ରଦାନ କରାଯିବା, ପ୍ରତ୍ୟେକ ମାସର ପ୍ରଥମ ସପ୍ତାହରେ ଦରମା ପ୍ରଦାନ, ଅସୁସ୍ଥତା ପାଇଁ ଛୁଟି ପ୍ରଦାନର ବ୍ୟବସ୍ଥା ସମେତ ସେମାନଙ୍କ ପ୍ରାପ୍ୟ ବୃଦ୍ଧି କରାଯିବାକୁ ସଙ୍ଘ ପକ୍ଷରୁ ଦାବି କରାଯାଇଛି। ଆଇ.ଏନ,ଟି.ୟୁ.ସି. ନେତା ବରିଷ୍ଠ ଆଇନଜୀବୀ ରମଣୀରଞ୍ଜନ ରାଉତରାୟଙ୍କ ନେତୃତ୍ୱରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ସମୟରେ ସୁଶାନ୍ତ କୁମାର ନାୟକ, ସୁମିତ୍ରା ସାହୁ, ବସନ୍ତ କୁମାର ସାହୁ, ଗିନୁ ଚରଣ ଦାସ, କ୍ଷୀରୋଦ କୁମାର ମଲ୍ଲିକ, ଅମୁଲ୍ୟ ଲେଙ୍କା, ଅମୀୟ କୁମାର ରଣା, ହରପ୍ରିୟା ବେହେରା, ରଶ୍ମୀତା ଜେନା, ଭଗବତୀ ନାୟକ, ସରସ୍ୱତୀ ମିଶ୍ର ପ୍ରମୁଖ ଶତାଧିକ ନାଇଟ୍ ୱାଚମ୍ୟାନ ଓ ହାଉସକିପିଙ୍ଗ କର୍ମଚାରୀମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ