ଫନିରେ ବ୍ୟାପକ ଫସଲ କ୍ଷତି : କ୍ଷତିପୁରଣ ପ୍ରଦାନ ସହ କୃଷି ଋଣ ଛାଡ଼ ଦାବୀ

ହିଂଜିଳିକାଟୁ, (ଶେଷଦେବ ସାହୁ): ସାମୁଦ୍ରିକ ଝଡ଼ ଫନି ପ୍ରଭାବରେ ଗଂଜାମ ଜିଲ୍ଲା ହିଂଜିଳିକାଟୁ ବ୍ଳକରେ ଶହ ଶହ ଏକର ପରିବା ଫସଲ କ୍ଷତି ହୋଇଛି । ତିତ୍ଲି ପରେ ଏହି ବାତ୍ୟା ଚାଷୀର ମେରୁଦଣ୍ଡ ଭାଙ୍ଗି ଯାଇଛି । ତେବେ ଫସଲ କ୍ଷତିର ସଠିକ ଭାବେ ଆକଳନ କରି ଚାଷୀଙ୍କୁ କ୍ଷତିପୂରଣ ଦେବା ଲାଗି ଋଷିକୂଲ୍ୟା ରୟତ ମହାସଙ୍ଘ ଦାବୀ କରିଛି । ଫନି ପ୍ରଭାବରେ ଘଂଟା ପ୍ରତି ୭୦ ରୁ ୮୦ କି.ମି ବେଗରେ ପବନ ବୋହିବା ଦ୍ୱାରା ଅଂଚଳର ବହୁ ରକମର ପନିପରିବା ଫସଲ ସମ୍ପୁଣ୍ଣ ରୂପେ ନଷ୍ଟ ହୋଇଯାଇଛି । ହିଂଜିଳିକାଟୁ ବ୍ଳକର ବିଭିନ୍ନ ପଂଚାୟତରୁ ଅମଳ କରାଯାଉଥିବା ପନିପରିବା ଗଂଜାମ ଜିଲ୍ଲା ସମେତ ନିକଟବର୍ତି ବହୁ ଅଂଚଳକୁ ରପ୍ତାନି କରାଯାଉଥିବା ବେଳେ ଅଂଚଳର ପନିପରିବା ଫସଲ ସମ୍ପୂଣ୍ଣ ଭାବେ ଉଜୁଡ଼ି ଯାଇଛି । ସ୍ଥାନୀୟ ବ୍ଳକର ଖଣ୍ଡରା, ଚାନ୍ଦୁଲି, ସିକିରି, ରାଳବ, ଶାସନ ଆମ୍ବଗାଁ, ବୁରୁପୋଡ଼ା, ଆଲପୁର, କେ. ଖରିଡ଼ା ପଂଚାୟତର ଗରୀବ ଚାଷୀ ମାନେ ନିଜ ନିଜର ଜମିରେ ଟମାଟ, ସାରୁ, ଭେଣ୍ଡି, ଜହ୍ନି, ବାଇଗଣ, ପୋଟଳ, କଖାରୁ, ଲାଉ, ଲଙ୍କା, କୁନ୍ଦୁରି କଦଳୀ ସମେତ ବିଭିନ୍ନ ରକମର ସବୁଜ ପନିପରିବା ଚାଷ କରି ଗୁଜୁରାଣ ମେଂଟାଇଥାନ୍ତି । ଏହି ବାତ୍ୟା ସବୁକିଛି ଉଜାଡ଼ି ଦେଇଛି ।କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ଲାଗି ସ୍ଥାନୀୟ ଅଂଚଳର ଚାଷୀ ମାନେ ଦାବୀ କରିଛନ୍ତି । ଫାଇଲିନ୍ ରେ ଚାଷୀ ମାନେ ଅଂଟା ସଳଖି ନଥିବା ବେଳେ ସାମୁଦ୍ରିକ ବାତ୍ୟା ପନି ଆସି ସେମାନଙ୍କ ମେରୂଦଣ୍ଡ ଭାଙ୍ଗି ଦେଇଛି ବୋଲି କ୍ଷତିଗ୍ରସ୍ତ ଚାଷୀ ମାନେ କହିଛନ୍ତି । ସରକାର କ୍ଷୟକ୍ଷତିର ଆକଳନ କରି ଯେଉଁ ପରିମାଣର କ୍ଷତିପୂରଣ ପ୍ରଦାନ କରୁଛନ୍ତି, ତାହା ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ । ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବରେ ଚାଷୀ ବାରମ୍ବାର କ୍ଷତିଗ୍ରସ୍ତ ହେଉଥିବାରୁ ଚାଷୀ ମାନେ ଆଉ ଚାଷପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି । ଚାଷ କାମ ଛାଡ଼ି ପେଟ ପୋଷିବା ଲାଗି ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି ।ଚାଷୀଙ୍କ କ୍ଷୟକ୍ଷତିର ପ୍ରକୃତ ଆକଳନ କରି ଉଚିତ କ୍ଷତିପୂରଣ ପ୍ରଦାନ ସହ କୃଷି ଋଣ ଛାଡ଼ ଓ ନୂତନ କୃଷି ଋଣ ପ୍ରଦାନ କରିବା ଲାଗି ଅଂଚଳର ଚାଷୀ ମାନେ ଦାବୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ