“ଫନି’ ପ୍ରଳୟ

ଅତି ଭୟଙ୍କର ସାମୁଦ୍ରିକ ଝଡ଼ “ଫନି’ର ଉନ୍ମତ୍ତ ଫଣାର ଘାତକ ମାଡ଼ରେ ସମଗ୍ର ଉପକୂଳ ଓଡ଼ିଶାରେ ପ୍ରଳୟର ସ୍ଥିତି ସୃଷ୍ଟି ହୋଇଛି । ଶୁକ୍ରବାର ସକାଳ ୮ଟା ୧୦ରେ “ଫନି’ ପୁରୀ ନିକଟସ୍ଥ ବାଲୁଘାଟଠାରେ ସ୍ଥଳ ଭାଗ ଅତିକ୍ରମ କଲା ପରେ ପ୍ରାୟ ୧୨ଘଣ୍ଟା ଧରି ରଚିଥିବା ଧ୍ୱଂସର ତାଣ୍ଡବରେ ରାଜ୍ୟର ୧୪ଟି ଜିଲ୍ଲା ପ୍ରବଳ ମାତ୍ରାରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି । ଶ୍ରୀକ୍ଷେତ୍ର ସଂପୂର୍ଣ୍ଣ ଶ୍ରୀହୀନ ହୋଇ ପଡ଼ିଥିବାବେଳେ ପୁରୀ ପରେ ସବୁଠାରୁ ଅଧିକ ମାଡ଼ ସହିଥିବା ରାଜଧାନୀ ଭୁବନେଶ୍ୱରର ଚେହେରା ସଂପୂର୍ଣ୍ଣ ବଦଳି ଯାଇଛି । “ଫନି’ର ଧ୍ୱଂସଲୀଳା କୋଡିଏ ବର୍ଷ ତଳର ଅନେଶତ ମହାବାତ୍ୟାର କରାଳ ରୂପକୁ ମନେ ପକାଇ ଦେଇଛି । ଧନଜୀବନ ହାନି ଦୃଷ୍ଟିରୁ ପର୍ଯ୍ୟାପ୍ତ ସତର୍କତା ଯୋଗୁଁ ଜୀବନ ହାନି ଅନେଶତ ଅପେକ୍ଷା ଉଲ୍ଲେଖନୀୟ ଭାବେ କମ୍ ଥିଲେ ମଧ୍ୟ ସଂପତ୍ତି କ୍ଷୟକ୍ଷତି ଦୃଷ୍ଟିରୁ ଏହା କୋଡିଏ ବର୍ଷ ତଳର ବିପର୍ଯ୍ୟୟ ସହିତ ସମାନ । ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ଶୁକ୍ରବାର ରାତି ୮ଟା ସୁଦ୍ଧା ୧୬ ବୋଲି କୁହାଯାଉଥିଲେ ମଧ୍ୟ ଏ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି । ବାସଗୃହ ଓ ଅନ୍ୟାନ୍ୟ ସରକାରୀ ବେସରକାରୀ ସଂପତ୍ତି କ୍ଷୟକ୍ଷତିର ବର୍ତ୍ତମାନ ସୁଦ୍ଧା କୌଣସି ଆକଳନ କରାଯାଇନାହିଁ । କ୍ଷୟକ୍ଷତିର ପୂର୍ଣ୍ଣାଙ୍ଗ ଚିତ୍ର ଜାଣିବା ଲାଗି ଆହୁରି କିଛି ଦିନ ଲାଗିଯାଇପାରେ । ତେବେ ଏତିକି କୁହାଯାଇପାରେ ଯେ, ୨୦୧୩ ପରବର୍ତ୍ତୀ ଫାଇଲିନ୍, ହୁଡହୁଡ଼ ଓ ଗତବର୍ଷର ତିତ୍ଲି ତୁଳନାରେ “ଫନି’ ଜନିତ କ୍ଷୟକ୍ଷତିର ପରିମାଣ ଢ଼େର୍ ଅଧିକ ହେବ ।
ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଏରିକ୍ ହୋଇଥାସ୍ଙ୍କ ଏକ ଟ୍ୱିଟ୍ ଅନୁଯାୟୀ ଲିପିବଦ୍ଧ ଇତିହାସରେ ଏହା ପୂର୍ବରୁ କୌଣସି ସାମୁଦ୍ରିକ ଝଡ଼ର ସ୍ଥଳଭାଗରେ ମାଡ଼ ଏତେ ଶକ୍ତିଶାଳୀ ନଥିଲା । ସ୍ଥଳଭାଗକୁ ଛୁଇଁବା ପୂର୍ବରୁ ପବନର ବେଗ ଘଣ୍ଟାପ୍ରତି ୧୭୫ରୁ ୧୮୫ କିଲୋମିଟର ଥିଲା । ସ୍ଥଳଭାଗ ଛୁଇଁଲା ପରେ ଏହାର ବେଗ ଘଣ୍ଟା ପ୍ରତି ୨୦୫ କିଲୋମିଟରକୁ ଟପି ଯାଇଥିଲା । ପାଖାପାଖି ଦଶ ଫୁଟରୁ ଅଧିକ ଉଚ୍ଚତାର ଜୁଆର ମାଡ଼ି ଆସିଥିଲା । ତେବେ ଉଚ୍ଚ ଜୁଆର ମାଡ଼ି ଆସିବା ଫଳରେ କ୍ଷୟକ୍ଷତି ଅପେକ୍ଷା ପ୍ରବଳ ବେଗରେ ପବନ ଯୋଗୁଁ ଅଧିକ କ୍ଷୟକ୍ଷତି ଘଟିଛି । ରାଜଧାନୀ ଭୁବନେଶ୍ୱରରେ ସବୁଜ ବଳୟ ବୋଲି ଆଉ କିଛି ନାହିଁ । “ଫନି’ ଯୋଗୁଁ ଅସଂଖ୍ୟ ବାସଗୃହ, ଗଛ ଏବଂ ବିଦ୍ୟୁତ୍ ଖୁଣ୍ଟି ଆଦି ଧ୍ୱସ୍ତବିଧ୍ୱସ୍ତ ହୋଇଯିବା ପଛରେ ଥିବା ଏକ ମୁଖ୍ୟ କାରଣ ହେଲା ପ୍ରବନର ପ୍ରବଳ ଗତି ସହିତ ଏହା ଦିଗ ପରିବର୍ତ୍ତନ । ସମୁଦ୍ର ତଟରେ ମାଡ଼ ହେଲାପରେ ପବନର ଯେଉଁ ଦିଗ ଥିଲା, ତାହା ପରବର୍ତ୍ତୀ ସମୟରେ ପୁଣି ଓଲଟି ଯିବା ଫଳରେ ପ୍ରଭାବିତ ଅଞ୍ଚଳ ବିଶେଷ କରି ପୁରୀ, ଭୁବନେଶ୍ୱର ଓ ପାଶ୍ୱବର୍ତ୍ତୀ ଅଞ୍ଚଳକୁ ଘଣ୍ଟିଚକଟି ପକାଇଥିଲା ।
ଏଥିରେ କୌଣସି ସନ୍ଦେହ ନାହିଁ ଯେ, “ଫନି’ ରାଜ୍ୟର ଅର୍ଦ୍ଧେକ ଅଞ୍ଚଳରେ ଏବେ ପ୍ରଳୟର ସ୍ଥିତି ସୃଷ୍ଟି କରିଛି । ଏ ପ୍ରଳୟର ମୁକାବିଲା କରି ସ୍ୱାଭାବିକତା ଫେରାଇ ଆଣିବା ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆହ୍ୱାନ । ପ୍ରଭାବିତ ଅଞ୍ଚଳର ଯେୁଁ ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନ କିମ୍ବା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତରିତ କରାଯାଇଥିଲା, ସେମାନଙ୍କୁ ପୁନର୍ବାର ନିଜ ନିଜ ଘରକୁ ସୁରକ୍ଷିତ ଭାବେ ଫେରାଇ ଆଣିବା ସରକାରଙ୍କ ଆଗରେ ପ୍ରାଥମିକତା । ଏହା ହଠାତ୍ ସମ୍ଭବ ହୋଇନପାରେ । ତେଣୁ ଯେତେ ଦିନ ପର୍ଯ୍ୟନ୍ତ ସେମାନେ ନିଜ ଘର ଛାଡ଼ି ଆଶ୍ରୟସ୍ଥଳରେ ଅଛନ୍ତି ସେତେଦିନ ପର୍ଯ୍ୟନ୍ତ ସେମାନଙ୍କୁ ଖାଦ୍ୟ ଓ ସ୍ୱାସ୍ଥ୍ୟସେବା ଯୋଗାଣ ଓ ନିରାପତ୍ତା ଯେମିତି ନିଶ୍ଚିତ କରାଯାଏ, ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ପଡ଼ିବ । ଶିଶୁ, ବୃଦ୍ଧି ଓ ମହିଳାଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପଡ଼ିବ । ଭାଙ୍ଗି ଯାଇଥିବା ଭିତ୍ତିଭୂମିର ପୁନନିର୍ମାଣ ଦ୍ୱାରା ବିଦ୍ୟୁତ୍ ଯୋଗାଣ, ଜଳ ଯୋଗାଣ, ଯୋଗାଯୋଗ ଓ ଗମନାଗମନ କ୍ଷେତ୍ରରେ ସ୍ୱାଭାବିକତା ଫେରାଇ ଆଣିବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲୁ । ବିପନ୍ନ ଲୋକଙ୍କ ବାସଗୃହ ପୁନନିର୍ମାଣ କ୍ଷେତ୍ରରେ ମଧ୍ୟ ସରକାରଙ୍କ ଉଦାର ସହାୟତାର ଆଶା କରାଯାଏ । ରିଲିଫ୍ ଓ ପୁନନିର୍ମାଣ କାର୍ଯ୍ୟ ଲାଗି ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦିଷ୍ଟ ଦାୟିତ୍ୱ ଦେଇ ସେମାନଙ୍କୁ ଉତ୍ତର ଦାୟୀ ମଧ୍ୟ କରାଯାଉ । ଏହି କାର୍ଯ୍ୟରେ ଦଳ ନିର୍ବିଶେଷରେ ସବୁ ରାଜନୈତିକ ଦଳର ନେତା, କର୍ମୀମାନଙ୍କ ସହଯୋଗ ନେବାରେ ସରକାରୀ କଳ ଆଦୌ କୁଣ୍ଠାବୋଧ କରିବା ଉଚିତ୍ ନୁହେଁ ।
“ଫନି’ର ମୁକାବିଲା ଲାଗି ସରକାରୀ କଳ ପ୍ରସ୍ତୁତ ବୋଲି ବାରମ୍ବାର ଆଗରୁ ଘୋଷଣା କରାଯାଇଛି । ବାସ୍ତବରେ ସେ “ପ୍ରସ୍ତୁତି’ର ପରୀକ୍ଷା ପାଇଁ ଏବେ ସମୟ ଉପନୀତ । ଆଶା, “ଫନି’ ଆସିବା ପୂର୍ବରୁ ସରକାରୀ କଳ ଯେତିକି ତତ୍ପରତାର ସହିତ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସଚେତନ କରାଇ ସ୍ଥାନାନ୍ତର ସହ ଅନ୍ୟ ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କଲେ, ସମାନ ତତ୍ପରତାର ସହ ବିପର୍ଯ୍ୟୟ ପରବର୍ତ୍ତୀ ପ୍ରଳୟ ସ୍ଥିତିର ମୁକାବିଲା କରି ଯଥାଶୀଘ୍ର ସ୍ୱାଭାବିକତା ଫେରାଇ ଆଣିବେ । ଫଳରେ ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ଓଡ଼ିଶାର କ୍ଷମତା ଓ ଦକ୍ଷତାକୁ ମିଳିଥିବା ଆନ୍ତର୍ଜାତିକ ସ୍ୱୀକୃତିର ମାନ ରହିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ